ବାଲେଶ୍ୱର,୨୩ା୧୨(ଆ.ପ୍ର): ମହାବଳ ବାଘ ଛାଲ ଚାଲାଣ ବେଳେ ବାଲେଶ୍ୱର ଜିଲ୍ଲା ସୋର ନିକଟସ୍ଥ ବ୍ରଜଦେଉଳିଠାରେ ଚଢ଼ଉ କରି ବନ ବିଭାଗ ଟିମ୍ ଏହାକୁ ଜବତ କରିଛି । ଘଟଣାରେ ୧୧ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ୮ ମୋବାଇଲ ମଧ୍ୟ ଜବତ କରାଯାଇଛି ।
ଡିଏଫଓ ଖୁସ୍ୱନ୍ତ ସିଂହଙ୍କ ସୂଚନା ମୁତାବକ, ୪ ଜଣ ଲୋକ ମହବାଳ ବାଘ ଛାଲ ନେଇ ଯାଉଥିବା ବିଶେଷ ସୂତ୍ରରୁ ଖବର ମିଳିଥିଲା । ତୁରନ୍ତ ସେମାନଙ୍କୁ ଧରିବା ପାଇଁ ବାଲେଶ୍ୱର ଓ ମୟୂରଭଞ୍ଜର ବନ ବିଭାଗ କର୍ମଚାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ ସୋର ନିକଟସ୍ଥ ବ୍ରଜଦେଉଳିଠାରେ ବାଘ ଛାଲ ସହ ୪ ଜଣଙ୍କୁ ଧରିଥିଲା । ସେମାନଙ୍କୁ ପଚରାଉଚରା କରିବାରୁ ଘଟଣାରେ ଅନ୍ୟ ୭ଜଣ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା । ସମସ୍ତ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ଗିରଫ ଅଭିଯୁକ୍ତମାନେ ହେଲେ ଭଦ୍ରକ ଜିଲ୍ଲା ନାଇକାଣୀଡିହି ଥାନା ଅନ୍ତର୍ଗତ ବଳରାମପୁରର ପ୍ରଦୀପ କୁମାର ନାୟକ(୪୯), ରାମଚନ୍ଦ୍ର ନାୟକ(୩୫), ପ୍ରଭାତ ନାୟକ(୩୫), ମଲ୍ଲିକାଦେଇପୁରର ଗଣେଶ ନାୟକ(୩୭), ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ସଦାନନ୍ଦପୁରର ସନ୍ତୋଷ ମାନିକ(୫୦), ପଥରଖଣି ଗ୍ରାମର ରଞ୍ଜିତ ନାୟକ(୩୬), ଉଦଳା ଥାନା ଅନ୍ତର୍ଗତ ନୂଆ ରଙ୍ଗାମାଟିଆ ଗ୍ରାମର ଦାଶରଥୀ ନାୟକ(୪୭), ନାଗପାଳ ଗ୍ରାମର ପ୍ରୀତିରଞ୍ଜନ ବାରିକ (୪୭), ତାଳସରେଇ ଗ୍ରାମର ବାଇଗାଁ ହୋ(୫୫), ଗାନସା ହୋ(୩୬), ଗାସ ହୋ(୩୬) । ଏ ନେଇ କେସ୍ ନଂ ୪୬/୨୪-୨୫ରେ ମାମଲା ରୁଜୁ ହୋଇଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଇଛି । ବାଘ ଛାଲ କେଉଁଠି ଆସିଲା, ଏହି ଘଟଣାରେ ଆଉ କେଉଁମାନେ ଜଡ଼ିତ, ବାଘଛାଲ କେଉଁଠିକୁ ଯାଉଥିଲା? ଏସବୁ ନେଇ ତଦନ୍ତ ଆରମ୍ଭ କରିଛି ବନ ବିଭାଗ ବୋଲି ଡିଏଫଓ ଶ୍ରୀ ସିଂହ କହିଥିଲେ ।