ନୂଆଦିଲ୍ଲୀ: ତିନି ବର୍ଷର ଯୁଦ୍ଧରେ ୟୁକ୍ରେନ ସମ୍ପୂର୍ଣ୍ଣ ଧ୍ୱଂସ ହେବାକୁ ବସିଥିବା ବେଳେ ଆମେରିକା କୋଟି କୋଟି ଡଲାରର ଅସ୍ତ୍ରଶସ୍ତ୍ର ବିକ୍ରି କରିଛି । ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (SIPRI)ର ସଦ୍ୟତମ ରିପୋର୍ଟରେ ଏହା ପ୍ରକାଶ ପାଇଛି । ଗତ ତିନି ବର୍ଷ ମଧ୍ୟରେ ୟୁକ୍ରେନ ଅସ୍ତ୍ରଶସ୍ତ୍ର କ୍ରୟ କ୍ଷେତ୍ରରେ ଭାରତକୁ ପଛରେ ପକାଇ ଦେଇଛି । ୟୁକ୍ରେନ ୨୦୧୫-୨୦୧୯ ବର୍ଷ ତୁଳନାରେ ୨୦୨୦-୨୦୨୪ ବର୍ଷରେ ଏହାର ଆମଦାନୀ ୧୦୦ ଗୁଣ ଅଧିକ ଅସ୍ତ୍ରଶସ୍ତ୍ର କିଣିଛି । ଏହା ବ୍ୟତୀତ SIPRI ରିପୋର୍ଟରେ କୁହାଯାଇଛି ଯେ, ନାଟୋ ଦେଶଗୁଡ଼ିକ ଗତ ୫ ବର୍ଷ ମଧ୍ୟରେ ସେମାନଙ୍କର ଅସ୍ତ୍ରଶସ୍ତ୍ର ଆମଦାନୀ ଦ୍ୱିଗୁଣିତ କରିଛନ୍ତି । ଏବଂ ଏହି ଅସ୍ତ୍ରଶସ୍ତ୍ରର ୬୦ ପ୍ରତିଶତରୁ ଅଧିକ ଆମେରିକାରୁ କିଣାଯାଇଛି । ଗତ ୫ ବର୍ଷ ମଧ୍ୟରେ ଆମେରିକା ଅସ୍ତ୍ରଶସ୍ତ୍ର ବିକ୍ରି କରୁଥିବା ଦେଶମାନଙ୍କ ମଧ୍ୟରେ ନିଜର ସ୍ଥିତିକୁ ଆହୁରି ମଜଭୁତ କରିଛି । ବିଶ୍ୱ ଅସ୍ତ୍ରଶସ୍ତ୍ର ବିକ୍ରୟରେ ଆମେରିକାର ଶେୟାର ବା ଅଂଶ ୪୩ ପ୍ରତିଶତକୁ ବୃଦ୍ଧି ପାଇଛି ।
SIPRI ରିପୋର୍ଟ ଅନୁସାରେ, ଗତ ପାଞ୍ଚ ବର୍ଷ ମଧ୍ୟରେ ନାଟୋ ଦେଶମାନଙ୍କର ଅସ୍ତ୍ରଶସ୍ତ୍ର କ୍ରୟ ୧୦୫ ପ୍ରତିଶତ ବୃଦ୍ଧି ପାଇଛି। ରୁଷ ଆକ୍ରମଣର ଭୟ ଯୋଗୁଁ ଅସ୍ତ୍ରଶସ୍ତ୍ର କ୍ରୟରେ ଏହି ବୃଦ୍ଧି ଘଟିଛି । ତେଣୁ ଏବେ ପ୍ରଶ୍ନ ଉଠିଛି ଯେ, ରୁଷର ଭୟ ଦେଖାଇ ଅସ୍ତ୍ରଶସ୍ତ୍ର ବିକ୍ରି କରାଯାଉଛି କି ? ବରିଷ୍ଠ ଗବେଷକ ପିଟର ୱେଜମ୍ୟାନ୍ କହିଛନ୍ତି ଯେ, ‘ଡୋନାଲ୍ଡ ଟ୍ରମ୍ପଙ୍କ ହ୍ୱାଇଟ୍ ହାଉସକୁ ଫେରିବା ଏବଂ ନାଟୋ ସହିତ ସମ୍ପର୍କରେ ଉତ୍ତେଜନା ପରେ ୟୁରୋପୀୟ ଦେଶଗୁଡ଼ିକ ଏବେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ଉତ୍ପାଦନକୁ ପ୍ରୋତ୍ସାହିତ କରିଥାଇ ପାରନ୍ତି ।’
ରିପୋର୍ଟ ଅନୁଯାୟୀ, ୟୁରୋପୀୟ ଦେଶମାନେ ନିଶ୍ଚିତ ଭାବରେ ଘରୋଇ ଅସ୍ତ୍ରଶସ୍ତ୍ରର ଉତ୍ପାଦନ ବୃଦ୍ଧି କରିଛନ୍ତି । ଏହା ସତ୍ତ୍ୱେ ଆମେରିକା ଅଧିକାଂଶ ଅସ୍ତ୍ରଶସ୍ତ୍ର ୟୁରୋପକୁ ରପ୍ତାନି କରୁଛି । ଆମେରିକା ନାଟୋ ଦେଶଗୁଡ଼ିକୁ ମୋଟ ଅସ୍ତ୍ରଶସ୍ତ୍ର ଆମଦାନୀର ୬୪ ପ୍ରତିଶତ ଯୋଗାଉଛି, ଯାହା ଗତ ପାଞ୍ଚ ବର୍ଷ ମଧ୍ୟରେ ୫୨ ପ୍ରତିଶତ ବଢ଼ିଛି । ୟୁରୋପୀୟ ଦେଶମାନେ ସେମାନଙ୍କର ଅସ୍ତ୍ରଶସ୍ତ୍ର କ୍ରୟ ଯଥେଷ୍ଟ ବୃଦ୍ଧି କରିଛନ୍ତି । କିନ୍ତୁ ୟୁକ୍ରେନ ଯୁଦ୍ଧ ରୁଷ ଉପରେ ଗମ୍ଭୀର ପ୍ରଭାବ ପକାଇଛି। ଗତ ୫ ବର୍ଷ ମଧ୍ୟରେ ରୁଷର ଅସ୍ତ୍ରଶସ୍ତ୍ର ବିକ୍ରୟ ୬୪ ପ୍ରତିଶତ ହ୍ରାସ ପାଇଛି । ଏହାର ମୁଖ୍ୟ କାରଣ ହେଉଛି, ରୁଷ ବିରୁଦ୍ଧରେ ଲାଗୁ ହୋଇଥିବା ଆମେରିକୀୟ ଏବଂ ୟୁରୋପୀୟ ପ୍ରତିବନ୍ଧକ । ପ୍ରତିବନ୍ଧକ ଯୋଗୁଁ ରୁଷ ଅସ୍ତ୍ରଶସ୍ତ୍ର ଉତ୍ପାଦନ ମଧ୍ୟ ହ୍ରାସ ପାଇଛି । କିନ୍ତୁ ଭାରତ ଏବେ ବି ରୁଷ ଠାରୁ ସର୍ବାଧିକ ଅସ୍ତ୍ରଶସ୍ତ୍ର କ୍ରୟ କରୁଥିବା ଦେଶ । ଭାରତ ଏବେ ବି ଏହାର ପ୍ରାୟ ୩୮ ପ୍ରତିଶତ ଅସ୍ତ୍ରଶସ୍ତ୍ର ରୁଷରୁ କିଣୁଛି ।
ଅନ୍ୟପଟେ, ଚୀନ୍ ଉପରେ SIPRI ରିପୋର୍ଟ ପ୍ରକାଶ କରିଛନ୍ତି । ଏଥିରେ କୁହାଯାଇଛି ଯେ, ଗତ ୫ ବର୍ଷ ମଧ୍ୟରେ ଚୀନ୍ ପ୍ରଚୁର ପରିମାଣରେ ଅସ୍ତ୍ରଶସ୍ତ୍ର କିଣିଛି । ଚୀନ୍ ଏହାର ଘରୋଇ ଅସ୍ତ୍ରଶସ୍ତ୍ର ଉତ୍ପାଦନକୁ ବୃଦ୍ଧି କରିଛି । ଚୀନ୍ ଅସ୍ତ୍ରଶସ୍ତ୍ର ପାଇଁ ରୁଷ ଉପରେ ନିର୍ଭରଶୀଳତାକୁ ହ୍ରାସ କରିଛି। ଚୀନ୍ ଏବେ ବିଶ୍ୱର ଦେଶଗୁଡ଼ିକୁ ଅସ୍ତ୍ରଶସ୍ତ୍ର ବିକ୍ରୟ କରିବା ଆରମ୍ଭ କରିଛି । ୨୦୨୦-୨୪ ବର୍ଷରେ ବିଶ୍ୱର ୪୪ଟି ଦେଶ ଚୀନ ଠାରୁ ଅସ୍ତ୍ରଶସ୍ତ୍ର ଆମଦାନୀ କରିଛନ୍ତି । ଏହି ଦେଶଗୁଡ଼ିକ ମଧ୍ୟରୁ ଅଧିକାଂଶ ଏସିଆ ଏବଂ ଓସେନିଆର ବୋଲି ଜଣାପଡ଼ିଛି । ଏହା ବ୍ୟତୀତ SIPRI ରିପୋର୍ଟରୁ ଜଣାପଡିଛି ଯେ, ସର୍ବାଧିକ ୬୩ ପ୍ରତିଶତ ଚୀନ୍ ଅସ୍ତ୍ରଶସ୍ତ୍ର ପାକିସ୍ତାନ କ୍ରୟ କରାଯାଇଛି ।