ସିମୁଳିଆ,୨୦/୦୫(ଆପ୍ର): ୧୬ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ବେଳେ ବିଭିନ୍ନ ସ୍ଥାନରେ ଦରଖଣ୍ଡିଆ କାମ କରିବା ଏବଂ କାମ କଲାବେଳେ ମନଇଛାରେ ହଟାତ ଜାତୀୟ ରାଜପଥର ଡାଇଭରସନରେ ଷ୍ଟପ ବୋର୍ଡ ରଖିବା ଯୋଗୁଁ ସ୍ଥାନୀୟ ଥାନା ଅଞ୍ଚଳରେ ବିଭିନ୍ନ ଦୁର୍ଘଟଣା ଘଟୁଥିବାର ନଜରକୁ ଆସୁଛି। ଡେଥ ଜୋନ ଭାବେ ପରିଗଣିତ ହୋଇଥିବା ସିମୁଳିଆ ଅଧିନରେ ଥିବା ୧୬ ନଂ ଜାତୀୟ ରାଜପଥ ଜାମୁଝାଡ଼ି ଓଭରବ୍ରିଜ ପୂର୍ବ ଡ଼ାଇଭରସନ ଠାରେ ଆଜି ଅପରାହ୍ନ ୫ଟା ୩୦ ମିନିଟ ସମୟରେ ଏକ କଣ୍ଟେନର ସ୍କୁଟିକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସ୍କୁଟି ଚାଳକଙ୍କ ଉପରେ ଚକା ଚଢିଯିବାରୁ ଘଟଣା ସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି।
ଜାତୀୟ ରାଜପଥରେ କାମ କରୁଥିବା କର୍ମଚାରୀଙ୍କ ମନମାନି ଯୋଗୁଁ ଘଟିଥିବା ଏହି ଦୁର୍ଘଟଣାକୁ ନେଇ ପ୍ରାୟ ଏକଘଣ୍ଟା ଧରି ରାସ୍ତାରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ମୃତକଙ୍କ ପରିବାର ଲୋକେ ପହଁଚିବା ପରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ସିମୁଳିଆ ପୁଲିସ ଖବର ପାଇ ସେଠାରେ ପହଁଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବାଇ ଦେଖିବାକୁ ମିଳିଛି। ମୃତ ଦେହକୁ ସିମୁଳିଆ ଡାକ୍ତରଖାନାକୁ ପଠାଯିବା ସହିତ ଧକ୍କାଦେଇଥିବା କଣ୍ଟେନର ଏବଂ ସ୍କୁଟିକୁ ପୁଲିସ ଥାନାକୁ ଅଣିଥିବାର ସୂଚନା ମିଳିଛି।
ସୂଚନା ମୁତାବକ, ବାଲେଶ୍ୱର ଆଡୁ ଭଦ୍ରକ ଆଡ଼କୁ ଏକ କଣ୍ଟେନର ଗାଡି ଯାଉଥିବା ସମୟରେ ଜାମୁଝାଡ଼ି ଓଭରବ୍ରିଜ ପରେ ଥିବା ଡ଼ାଇଭରସନ ଠାରେ ଦିଗ ବଦଳାଇବା ପାଇଁ ସୂଚନା ଥିବାରୁ ଡ୍ରାଇଭର ଦିଗ ବଦଳାଇବା ସମୟରେ ସମ୍ମୁଖରୁ ଜଣେ ସ୍କୁଟି ଚାଳକ ଆସୁଥିବାରୁ କଣ୍ଟେନର ତାଙ୍କୁ ଧକ୍କା ଦେଇଥିଲା ଏବଂ ଧକ୍କା ଦେବାପରେ ଗାଡିର ପଛ ଚକା ଚାଳକଙ୍କ ଉପରେ ଚଢିଯାଇଥିଲା। ଫଳରେ ଚାଳକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ମୃତ ଚାଳକଙ୍କ ନାମ ଶିବ ପ୍ରସାଦ ଜେନା(୬୬) ଏବଂ ତାଙ୍କର ଘର ସୋର ଥାନା ଅନ୍ତର୍ଗତ ତଳନଗର ଅଞ୍ଚଳର ବୋଲି ସୂଚନା ମିଳିଛି।
ଡ଼ାଇଭର୍ଶନ ଠାରେ ଏଭଳି ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ଏବଂ ମୃତକଙ୍କ ସମ୍ପର୍କୀୟ ପ୍ରତିବାଦ କରିଥିଲେ। କିଛି ସମୟ ଧରି ସେଠାରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ସିମୁଳିଆ ପୁଲିସ ଖବର ପାଇ ସେଠାରେ ପହଁଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହିତ ମୃତଦେହକୁ ସିମୁଳିଆ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ କରୁଥିବା ସୂଚନା ରହିଛି। ମାର୍କୋଣା ଅଞ୍ଚଳରେ ଜାତୀୟ ରାଜପଥ କାର୍ଯ୍ୟ ଚାଲିଥିବାରୁ ଏହି ଡେଥ ଜୋନ ଅଞ୍ଚଳରେ ବାରମ୍ୱାର ବିଭିନ୍ନ ଦୁର୍ଘଟଣା ଘଟୁଛି।