କେନ୍ଦୁଝର ସଦର ୩୧/୦୭(ଆପ୍ର) : ପୂର୍ବତଟ ରେଳ ପଥର ୱେଲ୍ଟୟାର, ସମ୍ବଲପୁର ସମେତ ଖୋର୍ଦ୍ଧା ମଣ୍ଡଳ ବିଭିନ୍ନ କର୍ମୀଦଳ ନିୟନ୍ତ୍ରକ କାର୍ଯ୍ୟାଳୟ ସମ୍ମୁଖରେ ରେଲଚାଳକ, ସହଚାଳକ ଓ ଟ୍ରେନ ପରିଚାଳକମାନେ ପୂର୍ବ ତଟ ରେଳପଥ ଶ୍ରମିକ କଂଗ୍ରେସର ନେତୃତ୍ୱରେ ଅନଶନରେ ବସିଛନ୍ତି।ଏହାକୁ ଅଖିଳ ଭାରତୀୟ ରେଲଚାଳକ ସଂଘ ପୂର୍ଣ ସମର୍ଥନ ଜଣାଇଛି।
ସୂଚନାରୁ ପ୍ରକାଶ ଯେ, ୧୨୦କିଲୋମିଟର ଦୈନିକ ମାଇଲେଜ ଭତ୍ତା ପ୍ରଦାନ କରିବା, ରେଳ ଚାଳକଙ୍କ ୯ଘଣ୍ଟା କାର୍ଯ୍ୟ ସମୟ ଲାଗୁ କରିବା, ବେନିୟମ ଭାବରେ କାର୍ଯ୍ୟ ସମୟକୁ କାଟିଦେବା, ଦୁଇ ରାତି ଡ୍ୟୁଟି କଲାପରେ ରାତ୍ରି ବିଶ୍ରାମ ଦେବା, ରେଳ ଚାଳକଙ୍କୁ ୩୬ଘଣ୍ଟା ଭିତରେ ନିଜ ମୁଖ୍ୟାଳୟକୁ ଫେରାଇ ଆଣିବା, ରେଳ ବୋର୍ଡର ନିୟମ ଅନୁଯାୟୀ ରନିଂ ରୁମ ଖୋଲିବା, ଟ୍ରାଙ୍ଗୁଲାର କାର୍ଯ୍ୟ ଶୈଳୀକୁ ବନ୍ଦ କରିବା, ଗାର୍ଡ ବ୍ରେକ ଭ୍ୟାନର ଉପଯୁକ୍ତ ମରାମତି କରିବା, ସମସ୍ତ ରେଳ ଇଂଜିନରେ ଏସି ଲଗାଇବା ସହିତ ଖରାପ ଏସି ଗୁଡିକର ତୁରନ୍ତ ମରାମତି କରିବା, ଇଞ୍ଜିନରେ ଟୁଲ ବକ୍ସ ଓ ଲାଇନ ବକ୍ସ ର ବ୍ୟବସ୍ତା କରିବା ଆଦି ୧୧ଦଫା ଦାବି ନେଇ ରେଳ ଚାଳକ ଓ ରେଳ ପରିଚାଳକ ମାନେ ବାରମ୍ବାର ପ୍ରଶାସନ ନିକଟରେ ଦାବି କରି ଆସୁଛନ୍ତି।ମାତ୍ର ରେଳ ପ୍ରଶାସନ ସର୍ବଦା ଏହାକୁ ଅଣଦେଖା କରି ଆସୁଅଛି।
ଏହାର ପ୍ରତିବାଦରେ ଖୋର୍ଦ୍ଧା, ପାରାଦୀପ, ତାଳଚେର, ଜଖପୁରା ପ୍ରଭୃତି ସ୍ଥାନ ସମେତ କେନ୍ଦୁଝର ଗଡ଼ରେ କାର୍ଯ୍ୟରତ ରେଲଚାଳକ, ସହଚାଳକ ଓ ରେଳ ପରିଚାଳକ ମାନେ ଅନଶନରେ ବସିଛନ୍ତି। ଜୋନ ସ୍ତରରେ ଅନୁଷ୍ଠିତ ହେଉଥିବା ଏହି ଧର୍ମଘଟରେ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ରମେଶ ସାହୁ ନେତୃତ୍ୱ ନେଉଥିବା ବେଳେ ମଣ୍ଡଳ ସ୍ତରରେ ଭଞ୍ଜ, କେନ୍ଦୁଝରରେ ଆଶିଷ କୁମାର ମହାନ୍ତ ପ୍ରମୁଖ ନେତୃତ୍ୱ ନେଉଛନ୍ତି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବା ସହିତ ଆବଶ୍ୟକ ପଡ଼ିଲେ ଚକା ବନ୍ଦ କରାଯିବ ବୋଲି ସଂଗଠନ ତରଫରୁ ରେଳ ପ୍ରଶାସଙ୍କୁ ଚେତାବନୀ ଦିଆଯାଇଛି।