ନୂଆଦିଲ୍ଲୀ,୦୪/୦୮: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପୁଣି ଥରେ ତାଙ୍କ ବସ୍ ତଥା ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଟେନ୍ସନ୍ରେ ପକାଇଛନ୍ତି । ଦିଲ୍ଲୀରେ ଦଳର ସାମ୍ବିଧାନିକ ଚ୍ୟାଲେଞ୍ଜ: ଦୃଷ୍ଟିକୋଣ ଓ ପଥ ଶୀର୍ଷକ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ତାଙ୍କର ଏକ ଟିପ୍ପଣୀ ଏହା ପ୍ରମାଣ ଦେଉଛି କି, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କର କ୍ଷମତା ଟଣାଓଟରା ବିବାଦ ଏବେ ବି ଥମିନାହିଁ ।
ଦିନିକିଆ ସମ୍ମିଳନୀ ସମାରୋହକୁ ସମ୍ବୋଧିତ କରି ଡିକେ ଶିବକୁମାର କହିଛନ୍ତି,'' କଂଗ୍ରେସ ଯୋଗୁଁ ଭାରତ ଏକତାରେ ରହିଛି ଏବଂ ଗାନ୍ଧୀ ପରିବାର ଦଳକୁ ଏକତାରେ ରଖିଛି । ରାଜନୀତିରେ କ୍ଷମତା ବିଭାଜନ ଉପରେ ମନ୍ତବ୍ୟ ଦେଇ ଥିଲେ । ମନମୋହନ ସିଂହଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ସୋନିଆ ଗାନ୍ଧୀ କରିଥିବା ତ୍ୟାଗକୁ ପ୍ରଶଂସା କରିଥିଲେ । ଯେତେବେଳେ ରାଷ୍ଟ୍ରପତି ସୋନିଆ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବାକୁ କହିଥିଲେ, ସେ କହିଥିଲେ, ' କ୍ଷମତା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ,' ସେ ନିଷ୍ପତ୍ତି ନେଇଥିଲେ ଯେ ଜଣେ ଶିଖ୍, ସଂଖ୍ୟାଲଘୁ ଜଣେ ଅର୍ଥନୀତିଜ୍ଞ ଦେଶକୁ ରକ୍ଷା କରିପାରିବେ ଏବଂ ସେ ପ୍ରଧାନମନ୍ତ୍ରୀ ହେବା ଉଚିତ୍ ବୋଲି କହିଥିଲେ ।''
ସେ ଆହୁରି କହିଛନ୍ତି, "ଏତେ ବଡ଼ ଗଣତନ୍ତ୍ରରେ କେହି ଏତେ ବଳିଦାନ ଦେଇଛନ୍ତି କି ? ଆଜିକାଲି କେହି ଛୋଟ ପଦବୀ ମଧ୍ୟ ତ୍ୟାଗ କରନ୍ତି କି ? ପଞ୍ଚାୟତ ସ୍ତରରେ ମଧ୍ୟ ଅନେକ ଲୋକ ଏପରି କରନ୍ତି ନାହିଁ । କିଛି ବିଧାୟକ ଏବଂ ମନ୍ତ୍ରୀ କ୍ଷମତା ବାଣ୍ଟିଥାନ୍ତି, କିନ୍ତୁ ଆମ ମଧ୍ୟରୁ କିଛି ଲୋକ କ୍ଷମତା ବାଣ୍ଟିବାକୁ ମଧ୍ୟ ରାଜି ନୁହଁନ୍ତି ।" ଯଦିଓ ଶିବକୁମାର କାହାର ନାମ ନେଇ ନାହାଁନ୍ତି, କିନ୍ତୁ ତାଙ୍କର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ମଧ୍ୟରେ କ୍ଷମତା ବାଣ୍ଟିବା ଚୁକ୍ତିନାମାକୁ ନେଇ ବିବାଦ କାହାଠୁ ଅଛପା ନୁହେଁ । ଅନେକ ବିଧାୟକ ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଲଗାତାର ଦାବି କରୁଛନ୍ତି ।
ପୁରା ମାମଲା କ'ଣ?
କର୍ଣ୍ଣାଟକ କଂଗ୍ରେସରେ ଅନ୍ତକନ୍ଦଳ ଚାଲିଛି। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ମଧ୍ୟରେ ତିକ୍ତତା ରହିଛି। ୨୦୨୩ରେ କର୍ଣ୍ଣାଟକରେ କଂଗ୍ରେସ କ୍ଷମତାକୁ ଆସିବା ପରେ ସିଦ୍ଧରମୈୟା ଏବଂ ଶିବକୁମାରଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା ଯେ ଉଭୟ ୨.୫-୨.୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ହେବେ। କିନ୍ତୁ ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ହୋଇନାହିଁ। ଶିବକୁମାର ଗୋଷ୍ଠୀ ଏବେ ପ୍ରତିଶ୍ରୁତି ପୂରଣ ପାଇଁ ଚାପ ପକାଉଛନ୍ତି। ବରିଷ୍ଠ କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଏବଂ ପ୍ରିୟାଙ୍କ ଖାଡ଼ଗେ କହିଛନ୍ତି ଯେ, ''ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ, ଏବଂ ଏହି ନିଷ୍ପତ୍ତି ଦଳର ହାଇକମାଣ୍ଡ ନେବେ ।''