ନୂଆଦିଲ୍ଲୀ, ୦୪/୦୮: ଟ୍ରେନ୍ରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସି ଖବର । ବନ୍ଦେ ଭାରତ, ନମୋ ଭାରତ ଏବଂ ଅମୃତ ଭାରତ ପରେ ଏବେ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ଚାଲିବ । ଗୁଜୁରାଟର ଭାବନଗରଠାରେ ରବିବାର ଦିନ ଏକ କାର୍ଯ୍ୟକ୍ରମରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ସେପ୍ଟେମ୍ୱରରେ ଆରମ୍ଭ ହେବ । ଏହି ଟ୍ରେନ୍ଟି କେଉଁ ରୁଟ୍ରେ ଚାଲିବ ସେ ବିଷୟରେ କିଛି କହିନାହାନ୍ତି । ସେ ଅହମଦାବାଦ ଏବଂ ମୁମ୍ୱାଇ ମଧ୍ୟରେ ଶୀଘ୍ର ଏକ ବୁଲେଟ୍ ଟ୍ରେନ୍ ଆରମ୍ଭ କରିବା ବିଷୟରେ ମଧ୍ୟ କହିଥିଲେ ।
ରେଳମନ୍ତ୍ରୀ କହିଛନ୍ତି ଯେ, ନୂତନ ପିଢିର ସେମି ହାଇ ସ୍ପିଡ୍ ଟ୍ରେନ୍କୁ ରେଲୱେ ନେଟୱର୍କରେ ସାମିଲ କରିବା ଦ୍ୱାରା ଲୋକମାନଙ୍କୁ ରେଳ ଯାତ୍ରାର ଏକ ନୂତନ ଅନୁଭବ ମିଳିବ । ସେ କହିଛନ୍ତି ଯେ, ବନ୍ଦେ ସ୍ଲିପର୍, ବନ୍ଦେ ଭାରତ, ଅମୃତ ଭାରତ ଏବଂ ନମୋ ଭାରତ ଭଳି ଆଧୁନିକ ଟ୍ରେନ୍ ଜରିଆରେ ରେଲ୍ୱେର ସମ୍ପୂର୍ଣ୍ଣ ରୂପ ବଦଳାଇବାକୁ ପ୍ରସ୍ତୁତି କରାଯାଉଛି । ପ୍ରତିବର୍ଷ କୋଟି କୋଟି ଲୋକ ଟ୍ରେନ୍ରେ ଯାତ୍ରା କରୁଛନ୍ତି । ତେଣୁ ଟ୍ରେନ୍ରେ ଯାଉଥିବା ଯାତ୍ରୀମାନଙ୍କୁ କିପରି ଯାତ୍ରା କରିବା ସହ ନୂଆ ଅନୁଭବ ଏବଂ ଜୀବନ ବଞ୍ଚିବାର ଉପାୟ ମିଳିବ ତାହାହିଁ ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି ।
ଟ୍ରେନ୍ରେ ଉପଲବ୍ଧ ହେବ ଏହି ସବୁ ସୁବିଧା-
ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ବଗିଗୁଡ଼ିକୁ BEML ଇଣ୍ଟିଗ୍ରଲ କୋଚ୍ ଫ୍ୟାକ୍ଟ୍ରିର ଉପାୟରେ ତିଆରି କରାଯାଇଛି । ଏହି ଟ୍ରେନ୍କୁ ବିଶେଷ କରି ରାତି ସମୟର ଅଧିକ ଦୂରତା ବିଶିଷ୍ଟ ଯାତ୍ରାକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି । ଏହାର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୮୦ କିଲୋମିଟର ରହିବ । ବନ୍ଦେ ଭାରତ ସ୍ଲିପର୍ ଟ୍ରେନରେ ମୋଟ ୧୬ଟି କୋଚ୍ ରହିବ। ଏଥିରେ ଏସି ଫାଷ୍ଟ କ୍ଲାସ୍, ଏସି ସେକେଣ୍ଡ ଟାୟାର, ଏସି ଥାର୍ଡ ଟାୟାର କୋଚ୍ ରହିବ। ଏଥିରେ ୧୧୨୮ ଜଣ ଯାତ୍ରୀଙ୍କ ପାଇଁ ସିଟ୍ ରହିବ। ପ୍ରତ୍ୟେକ ବର୍ଥରେ ରିଡିଂ ଲାଇଟ୍ ଏବଂ USB ଚାର୍ଜିଂ ପଏଣ୍ଟର ସୁବିଧା ରହିବ। ସାର୍ବଜନୀକ ଘୋଷଣା ସୁବିଧା ସହିତ ଭିଜୁଆଲ୍ ଡିସପ୍ଲେ, ସିସିଟିଭି କ୍ୟାମେରା ଏବଂ ଡିଜିଟାଲ୍ ସୂଚନା ପ୍ୟାନେଲ୍ ମଧ୍ୟ ରହିବ। ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବର୍ଥ ଏବଂ ଶୌଚାଳୟ ବ୍ୟବସ୍ଥା କରାଯାଇଛି।
ଖୁବ୍ ଶୀଘ୍ର ଆରମ୍ବ ହେବ ବୁଲେଟ୍ ଟ୍ରେନ୍-
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା ମଧ୍ୟ କହିଛନ୍ତି ଯେ, ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏହି ପ୍ରକଳ୍ପର କାମ କାମ ଦ୍ରୁତ ଗତିରେ ଚାଲିଛି । ଏହାର ଶୁଭାରମ୍ଭ ହେବା ପରେ ମୁମ୍ବାଇ ଠାରୁ ଅହମଦାବାଦ ଯାତ୍ରା ପାଇଁ ମାତ୍ର ୨ ଘଣ୍ଟା ୭ ମିନିଟ ସମୟ ଲାଗିବ । ଭାବନଗର ଟର୍ମିନାଲରୁ ଅଯୋଧ୍ୟା ଏକ୍ସପ୍ରେସ୍, ରୀବା-ପୁନେ ଏକ୍ସପ୍ରେସ୍ ଏବଂ ଜବଲପୁର- ରାୟପୁର ଏକ୍ସପ୍ରେସ୍କୁ ଗ୍ରୀନ୍ ସିଗଲାନ ଦେଖାଇବେ ।