ଆନନ୍ଦପୁର,୩୧/୦୭: କେନ୍ଦୁଝର ଜିଲ୍ଲା ପୁଲିସକୁ ବଡ଼ ସଫଳତା । ବ୍ରାଉନ୍ ସୁଗର କାରବାର କରୁଥିବା ରାକେଟର ପର୍ଦ୍ଦାଫାଶ । ୨୧ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଏଥିସହ ସେମାନଙ୍କ ଠାରୁ ୨୧୩ ଗ୍ରାମ୍ ବ୍ରାଉନ ସୁଗାର ଓ ନଗଦ ୮ ଲକ୍ଷ ୩୦ ହଜାର ଟଙ୍କା ସହ ୧୨ଟି ମୋବାଇଲ ଜବତ ହୋଇଛି ।
ସୂଚନା ମୁତାବକ, କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶକ୍ରମେ ସ୍ପେଶାଲ ସ୍କ୍ୱାଡ୍ ୨ ଦିନ ଧରି ଆନନ୍ଦପୁର ଉପଖଣ୍ଡର ଘଷିପୁରା, ଆନନ୍ଦପୁର, ରାମଚନ୍ଦ୍ରପୁର ଏବଂ ନନ୍ଦିପଦା ଥାନା ଅଞ୍ଚଳରେ ଚଢାଉ କରିଥିଲା । ବ୍ରାଉନ୍ ସୁଗର କାରବାର କରୁଥିବା ଅଭିଯୋଗରେ ବିଭିନ୍ନ ଥାନା ଅଞ୍ଚଳରୁ ୨୧ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏନେଇ କେନ୍ଦୁଝରର ଅତିରିକ୍ତ ଏସପି ପ୍ରତ୍ୟୁଷ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ତେବେ ବିଭିନ୍ନ ସମୟରେ ଆନନ୍ଦପୁର ଉପଖଣ୍ଡରେ ବ୍ରାଉନ ସୁଗର କାରବାର ନେଇ ଅଭିଯୋଗ ହୋଇଆସୁଥିଲା । ଅଭିଯୋଗ ଆଧାରରେ ତଦନ୍ତ ପରେ ଶାଳପଡା ହାଟ ପଡିଆ, ଶାଳବଣି ଛକ ଆଦି ସ୍ଥାନରେ ଏହି କାରବାର ହେଉଥିବା ପୁଲିସ ପ୍ରକାଶ କରିଛି। ଏଥିସହ ଏହି ବ୍ରାଉନ ସୁଗାର କାରବାରରେ ଆହୁରି ଅନେକ ବ୍ୟକ୍ତି ସଂପୃକ୍ତ ଥିବାବେଳେ ସେମାନଙ୍କୁ ଗିରଫ କରାଯିବା ସହ ଚଢାଉ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଏସପି।