ପ୍ରମୂଖ ଖବର
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ବିଶୁଦ୍ଧ ଜଳ ନାଁରେ ଲୋକଙ୍କୁ ଗୋଳି ପାଣି ଯୋଗାଣ, ଜଳ ଜୀବନ ମିଶନ କାହା ସ୍ଵାର୍ଥରେ ?

ଦାରିଙ୍ଗବାଡି,୧/୭ : ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଉଥିବା ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର କିଛି ଅଲଗା। ବିଶୁଦ୍ଧ ଜଳ ଯୋଗାଣ ପରିବର୍ତ୍ତେ ଲୋକଙ୍କୁ ଗୋଳି ପାଣି ଯୋଗାଣ କରାଯାଉଛି। ହେଲେ କୋଟିକୋଟି ଟଙ୍କା ଖର୍ଚ୍ଚ କରି ବସୁଧା ଜଳ ଯୋଗାଣରେ ଲୋକଙ୍କୁ ବିଶୁଦ୍ଧ ଜଳ ଯୋଗାଣ କରାଯାଉଥିବା ନେଇ ସରକାରୀ କାଗଜପତ୍ର ସହ କାନ୍ଥବାଡରେ ବଡ ବଡ଼ ବ୍ୟାନର ଓ ପୋଷ୍ଟର ମାଧ୍ୟମରେ ପ୍ରଚାର ପ୍ରସାର କରାଯାଉଛି। ଏଭଳି ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ। 

ଦାରିଙ୍ଗବାଡି ବ୍ଲକରେ ୨୫ଟି ପଞ୍ଚାୟତ ରହିଛି। ପ୍ରତ୍ୟେକ ପଞ୍ଚାୟତରେ ଲୋକଙ୍କୁ ବିଶୁଦ୍ଧ ଜଳ ଯୋଗାଣ ନିମନ୍ତେ ପ୍ରଥମେ ବସୁଧା ପ୍ରକଳ୍ପ ଓ ପରେ ଜଳ ଜୀବନ ମିଶନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ଜଳ ଜୀବନ ମିଶନ ଜରିଆରେ ପ୍ରତ୍ୟେକ ପରିବାରଙ୍କୁ ବିଶୁଦ୍ଧ ଜଳ ଯୋଗାଣ ପାଇଁ ସରକାର ଲକ୍ଷ୍ୟ ରଖିଥିଲେ। ହେଲେ କିଛି ପ୍ରକଳ୍ପ ସଂପୂର୍ଣ୍ଣ ହୋଇଥିବା ବେଳେ ଆଉ କିଛି ପ୍ରକଳ୍ପର ଅଗ୍ରଗତି ଚାଲିଛି । ହେଲେ ଯେଉଁ ପ୍ରକଳ୍ପ ଗୁଡ଼ିକ ସଂପୂର୍ଣ୍ଣ ହୋଇ ଲୋକଙ୍କୁ ଜଳ ଯୋଗାଣ ହେଉଛି ତାହା ବିଶୁଦ୍ଧ ଜଳ ନୁହେଁ ବରଂ ନଦୀ ଓ ନାଳର ଗୋଳି ପାଣି। ଆଉ ଯେଉଁ ଅଞ୍ଚଳରେ ପ୍ରକଳ୍ପ କାର୍ଯ୍ୟ ସରିଛି ସେହି ଅଞ୍ଚଳରେ କିଛି ଲୋକ ପାଣି ପାଉଛନ୍ତି ତ ଆଉ କିଛି ଲୋକ ପାଣି ପାଉନାହାଁନ୍ତି। ଏଭଳି କି କିଛି ପରିବାରଙ୍କୁ ପାଇପ ସଂଯୋଗ ଦିଆଯାଇନାହିଁ। 

ଯେଉଁ ପ୍ରକଳ୍ପର କାମ ସମ୍ପୂର୍ଣ୍ଣ ହୋଇଛି ସେହି ପ୍ରକଳ୍ପରେ ଫିଲଟର ବ୍ୟବହାର ହୋଇନାହିଁ । ବରଂ ନଦୀ ଓ ନାଳରେ ହୋଇଥିବା ଟାଙ୍କିରୁ ସିଧାସଳଖ ଲୋକଙ୍କ ପାଖକୁ ପାଣି ଯାଉଛି। ଆଉ ଯେଉଁ ପ୍ରକଳ୍ପରେ ଫିଲଟର କାମ ହୋଇଛି ତାହା କାର୍ଯ୍ୟକାରୀ ହେଉନାହିଁ । ବରଂ କାମ ସଠିକ୍ ଭାବେ ହୋଇନଥିବା ଯୋଗୁଁ ଫିଲଟର କାମ କରୁନାହିଁ। ଫିଲଟର ମାଧ୍ୟମରେ ପାଣି ନଆସିବା ଫଳରେ ଗୋଳି ପାଣି ଆସୁଛି । ଯାହାକି ପିଇବା ତ ଦୂରର କଥା ଗାଧୋଇବା ଓ ଲୁଗାପଟା ସଫା କରିବା ମଧ୍ୟ ସମ୍ଭବ ନୁହଁ। ଯେଉଁ ପାଣି ପିଇବା ପାଇଁ ଯୋଗାଣ କରାଯାଉଛି ତାହା ଚାଷ କାର୍ଯ୍ୟ ପାଇଁ ହିଁ ଠିକ୍ । ଉକ୍ତ ଗୋଳି ପାଣି ଗାଧୋଇଲେ ଚର୍ମ ରୋଗ ହେଇଥିବା ବେଳେ ଲୁଗାପଟା ସଫା କରିଲେ ମାଟିଆ ରଙ୍ଗ ହୋଇଯାଉଛି। 

ପ୍ରକଳ୍ପ କାମରେ ଅତି ନିମ୍ନମାନର ଉପକରଣ ବ୍ୟବହାର ହୋଇଥିବା ଯୋଗୁଁ  ଅନେକ ସମୟରେ ପାଣି ପାଇପ ଫାଟୁଛି। ପାଣି ପମ୍ପ ଖରାପ ହୋଇଯାଉଛି, ଯଏଣ୍ଟ ଛାଡି ଯାଉଛି । ଏଭଳିକି ଗୋଟେ ଦିନ ପମ୍ପ ଚାଲିଲେ ବେଳେ ବେଳେ ଏକାଧିକ ଦିନ ଧରି ଜଳ ଯୋଗାଣ ବନ୍ଦ ରହୁଛି। ଯାହାଫଳରେ ଏଥି ପ୍ରତି ଦୃଷ୍ଟି ଦେବାକୁ ଲୋକେ ବିଭିନ୍ନ ସମୟରେ ଅଭିଯୋଗ କରିବା ସହ ରାସ୍ତାରୋକ ଓ ଭୋଟ ବର୍ଜନ ନିଷ୍ପତି ନେଇଥିଲେ। ହେଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ । ବରଂ ବିଭାଗ ପକ୍ଷରୁ ଏହାକୁ ଗୁରୁତ୍ଵ ଦିଆଯାଇନାହିଁ । ଏଣୁ ଏଥିପ୍ରତି ନୂତନ ସରକାର ଦୃଷ୍ଟି ଦେଇ ଲୋକଙ୍କୁ ବିଶୁଦ୍ଧ ଜଳ ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ଗ୍ରାମ୍ୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ କ୍ଷୀରୋଦ ରାଉତଙ୍କୁ ପଚାରିବାରୁ ସେ କହିଲେ ୫୫ ଗୋଟି ପ୍ରକଳ୍ପ କାମ ସଂପୂର୍ଣ୍ଣ ହୋଇ ଜଳ ଯୋଗାଣ ହେଉଥିବା ବେଳେ ୮୧ ଗୋଟି ପ୍ରକଳ୍ପର କାର୍ଯ୍ୟ ଚାଲିଛି । କେତେଗୋଟି ପ୍ରକଳ୍ପରେ ଫିଲଟର ବ୍ୟବହାର ହୋଇଛି ତାହାର ସୂଚନା ମୋ ପାଖରେ ନାହିଁ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.