ନୂଆଦିଲ୍ଲୀ: ଲକ୍ଷ୍ନୋରେ ସାମ୍ନାକୁ ଆସିଛି ଏକ ତାଜୁବ୍ କଲା ଭଳି ଘଟଣା। ଉତ୍ତରପ୍ରଦେଶର ଲଖନଉରେ ଜଣେ ମହିଳାଙ୍କ ପେଟରୁ ୧୭ ବର୍ଷ ପରେ ଏକ କତୁରୀ ବାହାର କରାଯାଇଛି। ଯାହା ୨୦୦୮ ମସିହାରେ ହୋଇଥିବା ଅପରେଶନ ସମୟରେ ଭୁଲବଶତଃ ତାଙ୍କ ପେଟରେ ରହିଯାଇଥିଲା। ଏହି ଆଶ୍ଚର୍ଯ୍ୟଜନକ ଘଟଣା ଚିକିତ୍ସା ଜଗତରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୂଚନା ମୁତାବକ, ସନ୍ଧ୍ୟା ପାଣ୍ଡେ ନାମକ ଜଣେ ମହିଳା ୨୦୦୮ ମସିହାରେ ସିଜରିଆନ ଜରିଆରେ ସନ୍ତାନ ପ୍ରସବ କରିଥିଲେ। ତାଙ୍କ ପେଟରେ ଅସ୍ତ୍ରୋପଚାର ସମୟରେ ଭୁଲବଶତଃ ବ୍ୟବହୃତ ଏକ କତୁରୀ ରହିଯାଇଥିଲା। ବର୍ଷ ବର୍ଷ ଧରି ସେ ପେଟରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଥିଲେ। କିନ୍ତୁ ଏହାର ପ୍ରକୃତ କାରଣ ଅଜଣା ରହିଥିଲା। ନିକଟରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡାକ୍ତରୀ ପରীକ୍ଷା କରାଯାଇଥିଲା, ଯେଉଁଠାରେ ଏକ୍ସ-ରେ ଓ ଅନ୍ୟାନ୍ୟ ପରୀକ୍ଷା ମାଧ୍ୟମରେ ତାଙ୍କ ପେଟରେ ଏକ କତୁରୀ ଥିବା ଜଣାପଡ଼ିଥିଲା।
୨୦୨୫ ମାର୍ଚ୍ଚ ମାସରେ ଲଖନଉର ଏକ ହସ୍ପିଟାଲରେ ଡାକ୍ତରମାନେ ଏକ ସଫଳ ଅପରେଶନ କରି ତାଙ୍କ ପେଟରୁ ସେହି କତୁରୀ ବାହାର କରିଛନ୍ତି। ଏହି ଘଟଣା ପରେ ମହିଳାଙ୍କ ସ୍ୱାସ୍ଥ୍ୟ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେଉଛି ବୋଲି ଡାକ୍ତରମାନେ ସୂଚନା ଦେଇ କହିଛନ୍ତି।
ଏହି ମାମଲା ଚିକିତ୍ସା କ୍ଷେତ୍ରରେ ଅବହେଳାର ଏକ ଗମ୍ଭୀର ଉଦାହରଣ ଭାବେ ଦେଖାଯାଇଛି। ପରିବାର ଲୋକେ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଥିବା ବେଳେ ସମ୍ପୃକ୍ତ ହସ୍ପିଟାଲ ଓ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ଘଟଣା ଅସ୍ତ୍ରୋପଚାର ସମୟରେ ସୁରକ୍ଷା ଓ ଯତ୍ନର ଆବଶ୍ୟକତାକୁ ପୁଣି ଥରେ ଆଲୋଚନାକୁ ଆଣିଛି।