ପ୍ରମୂଖ ଖବର
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ବସ୍ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ନେତ୍ରୋତ୍ସବରେ ନବଯୌବନ ଦର୍ଶନ, ଜାଣନ୍ତୁ ଏହାର ମହତ୍ତ୍ୱ

Published By : Anindita Ratha | June 26, 2025 9:23 AM

ପୁରୀ,୨୬/୦୬: ଆସନ୍ତାକାଲି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ତା’ ପୂର୍ବରୁ ଆଜି ଶ୍ରୀଜିଉଙ୍କ ପବିତ୍ର ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ। ଅଣସର ପରେ, ପ୍ରଥମେ ନବଯୌବନ ଦର୍ଶନ ଓ ତା’ ପରେ ନେତ୍ରୋତ୍ସବ ହୋଇଥାଏ। ନବଯୌବନ ଦର୍ଶନ ପୂର୍ବରୁ ଅଣସର ତାଟିରେ ପୂଜିତ ପଟଦିଅଁମାନଙ୍କୁ ବିସର୍ଜନ କରି ଦିଆଯାଏ ।  ତାଟି ସମ୍ମୁଖରେ, ଖଟ ଉପରେ ପୂଜିତ ସାତ ଦେବଦେବୀଙ୍କୁ ସ୍ୱସ୍ଥାନକୁ ନେଇ ନିଆଯାଇ,ତାଟି ଖୋଲି ଦିଆଯାଏ ।  ପଟରେ ଆରୋପିତ ଦେବତା ପୁଣି ଦାରୁ ବିଗ୍ରହଙ୍କ ମଧ୍ୟକୁ ଫେରିଆସନ୍ତି। ଭକ୍ତମାନେ ସେମାନଙ୍କୁ ପୁଣି ଦାରୁବ୍ରହ୍ମ ରୂପରେ ଦର୍ଶନ କରନ୍ତି  ।  ଏହା ହେଉଛି ନବଯୌବନ ଦର୍ଶନ  । ଏହା ପରେ ଶ୍ରୀଜିଉଙ୍କ ନେତ୍ରୋତ୍ସବ ନୀତି ହୋଇଥାଏ । ଏହି ନେତ୍ରୋତ୍ସବର ସ୍ୱତନ୍ତ୍ର ବିଧି ରହିଛି । 

ନବଯୌବନ ଦର୍ଶନ ପୂର୍ବର ବନକଲାଗି ସମୟରେ, ଶ୍ରୀମୁଖ-ଶିଙ୍ଗାରୀ ଦତ୍ତ ମହାପାତ୍ର ସେବକ ଶ୍ରୀଜଗନ୍ନାଥାଦି ଦେବତାମାନଙ୍କର ନେତ୍ର ଅଙ୍କନ କରିଥାଆନ୍ତି  ।  ସେଥିରେ ନେତ୍ର ପିତୁଳା ବା ପୁଅଡୋଳା ବି ଅଙ୍କନ ହୋଇଥାଏ  ।  କିନ୍ତୁ ତାହା ସଂପୂର୍ଣ୍ଣ ହୋଇ ନଥାଏ  । ନେତ୍ରୋତ୍ସବ ଦିନ ଦତ୍ତ ମହାପାତ୍ର ସେବକ ତିନିଟି ରୂପା ପାତ୍ରରେ କଳା ପ୍ରସ୍ତୁତ କରି ଦେବା ପରେ, ପୂଜାପଣ୍ଡା ସେବକ ସେହି ନେତ୍ର ପିତୁଳା ଅଙ୍କନକୁ ସଂପୂର୍ଣ୍ଣ କରିଥାଆନ୍ତି  ।  ତିନି ଖଣ୍ଡି ତୁଳସୀ କାଠିରେ ତାହା କରାଯାଏ  । ଏହି ତୁଳସୀକାଠି ରାଘବ ଦାସ ମଠରୁ ଆସିଥାଏ  ।  

ଏହି ନେତ୍ର ଅଙ୍କନର ଏକ ସ୍ୱତନ୍ତ୍ର ମନ୍ତ୍ର ଅଛି  ।  ଏ ସଂପର୍କରେ ‘ନୀଳାଦ୍ରି ମହୋଦୟ’ରେ ଉଲ୍ଲେଖ ଅଛି- ନାନା ବାଦ୍ୟଧ୍ୱନିର ମହୋତ୍ସବ ମଧ୍ୟରେ ପୂଜକ ଠାକୁରମାନଙ୍କ ନିକଟକୁ ଯାଇ ‘ ତଚ୍ଚକ୍ଷୁ ’ ମନ୍ତ୍ରରେ ସେମାନଙ୍କ ନେତ୍ରପଦ୍ମରେ ଦୁଇଟି ନେତ୍ର ଅଙ୍କନ କରିବେ  । ଏହା ହେଉଛି ନେତ୍ରୋତ୍ସବ  ।  ଏହି ‘ତଚ୍ଚକ୍ଷୁ’ ମନ୍ତ୍ର ହେଉଛି  ଯଜୁର୍ବେଦ (୩୬.୨୪) ର ଏକ ମନ୍ତ୍ର  ।  ଏହାର ତାତ୍ପର୍ଯ୍ୟ ହେଉଛି-ହେ ପ୍ରଭୁ ! ଆପଣଙ୍କର ଚକ୍ଷୁ ହେଉଛି ଶୁଦ୍ଧ ସୂର୍ଯ୍ୟମଣ୍ଡଳ ସ୍ୱରୂପ, ନିତ୍ୟଚକ୍ଷୁ lଏହି ଚକ୍ଷୁ ଦେବତାମାନଙ୍କର ହିତକାରୀ  ।  ଆପଣଙ୍କ କୃପାରୁ ସେହି ନିତ୍ୟଚକ୍ଷୁର ଆଲୋକ ଦ୍ୱାରା ଆମେ ଶହେଟି ଶରତ୍‌ (ବର୍ଷ) ଦେଖିବାକୁ ସକ୍ଷମ ହେଉ  ।  ଶହେଟି ଶରତ୍‌ ସୁଖରେ ଜୀବନ ଧାରଣ କରୁ  ।   ଶହେଟି ଶରତ୍‌ ଭଲ ଭାବରେ ଶୁଣିପାରୁ  ।  ଶହେଟି ଶରତ୍‌ ଭଲ ଭାବରେ କହିପାରୁ  ।  ଶହେଟି ଶରତ୍‌ ବିନା ଦୈନ୍ୟରେ ଚଳିପାରୁ  ।  ଶହେଟି ବା ଶତାଧିକ ଶରତ୍‌ ଆମେ ଏହିପରି ଭାବରେ କ୍ରିୟାଶୀଳ ଓ ଆୟୁଷ୍ମାନ୍ ରହୁ  । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.