ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫେବ୍ରୁଆରୀ ୫(ବୁଧବାର)ରେ ହେବାକୁ ଯାଉଛି । ପ୍ରଚାର ଥମିଥିବା ବେଳେ ଭୋଟିଂ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି ବୁଧବାର ଦିନ ଦିଲ୍ଲୀର ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ୍ ବନ୍ଦ ରହିବ । ବୁଧବାରକୁ ଛୁଟି ଘୋଷଣା କରିଛନ୍ତି ଦିଲ୍ଲୀର ଆପ୍ ସରକାର । ଜାତୀୟ ରାଜଧାନୀରେ ତ୍ରିମୁଖୀ ଲଢ଼େଇ ହେବାକୁ ଥିବା ବେଳେ ସବୁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି । ଏଥର ବିଜେପି ଦିଲ୍ଲୀକୁ ଫେରିବ ବୋଲି ଆଶା ବାନ୍ଧି ବସିଥିବା ବେଳେ ଆପ୍ ବି ନଛୋଡ଼ବନ୍ଧା । ସେପଟେ ଗତ ଦୁଇଟି ନିର୍ବାଚନରେ ଖାତା ଖୋଲିପାରି ନଥିବା କଂଗ୍ରେସ ଆପ୍ ଓ ବିଜେପିକୁ ଚକ୍ମା ଦେବାକୁ ଜୋରଦାର ପ୍ରସ୍ତୁତି କରିଛି । ବୁଧବାର ମତଦାନ ହେବାକୁ ଥିବା ବେଳେ ଏହାର ୩ ଦିନ ପରେ ଫେବ୍ରୁଆରୀ ୮(ଶନିବାର) ଫଳାଫଳ ପ୍ରକାଶ ପାଇବ । ରେଜଲ୍ଟ ଆସିବା ପରେ ଦିଲ୍ଲୀରେ କେଉଁ ଦଳ ସରକାର ଗଢ଼ିବ ତାହା ସ୍ପଷ୍ଟ ହୋଇଯିବ ।
5th February 2025 declared a Public Holiday in all Government Offices, Local/Autonomous Bodies, Public Sector Undertakings under the Government of Delhi, on account of #DelhiElection2025 pic.twitter.com/2m4NVOzIWB
— ANI (@ANI) February 3, 2025
ସେପଟେ ବିଧାନସଭା ନିର୍ବାଚନ ଲାଗି ଦିଲ୍ଲୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅର୍ଦ୍ଧସାମରିକ ବାହିନୀର ୧୫୦ କମ୍ପାନି ଏବଂ ୩୦ ହଜାରରୁ ଅଧିକ ପୋଲିସ କର୍ମଚାରୀ ଦିଲ୍ଲୀରେ ମୁତୟନ ହୋଇଛନ୍ତି । ସ୍ବତନ୍ତ୍ର ସିପି (ଅପରାଧ) ଦେବେଶ ଚନ୍ଦ୍ର ଶ୍ରୀବାସ୍ତବ କହିଛନ୍ତି, ପ୍ରତି ପୋଲିସ ଅଧିକାରୀ ଦିଲ୍ଲୀରେ ମୁକ୍ତ ଓ ଅବାଧ ନିର୍ବାଚନ କରାଇବାକୁ ଦୃଢ଼ ନିଶ୍ଚିତ । ନିର୍ବାଚନ ପୂର୍ବ ପ୍ରସ୍ତୁତି ଶେଷ ହୋଇସାରିଛି । ଏହ ବ୍ୟତୀତ ଏଥର ରେକର୍ଡ ମାତ୍ରାରେ ଡ୍ରଗ୍ସ, ମଦ ଏବଂ ଟଙ୍କା ଜବତ ହୋଇଛି । ପ୍ରାୟ ୩୦୦୦ ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଥିବା ବେଳେ ଏହି ସବୁ ସ୍ଥାନରେ ଡ୍ରୋନ୍ ମାଧ୍ୟମରେ ନଜର ରଖାଯିବ । ଅଧିକରୁ ଅଧିକ ପୋଲିସ ମୁତୟନ ହେବେ ବୋଲି ସେ କହିଛନ୍ତି ।