ସମ୍ବଲପୁର,୨୪।୫: ରାସ୍ତା କଡ଼ରୁ ବୃଦ୍ଧଙ୍କ ଗଳିତ ମୃତଦେହ ଉଦ୍ଧାର। ସମ୍ବଲପୁର ଜିଲ୍ଲା କଟକ ଜାତୀୟ ରାଜପଥର ଯୁଯୁମୁରା ଥାନା ମାରୱାଡ଼ି ବନ୍ଧ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ପାଖ ଗାଁର ଜଣେ ବ୍ୟକ୍ତି ଜମିକୁ ଯାଇଥିବା ସମୟରେ ଦୁର୍ଗନ୍ଧ ହୋଇଥିଲା। ଏହା ଦେଖିବା ବେଳକୁ ଜଣେ ବ୍ୟକ୍ତିଙ୍କ ମୃତଦେହ ରାସ୍ତା କଡ ଜମିରେ ପଡିଛି। ଏନେଇ ଯୁଯୁମୁରା ପୁଲିସକୁ ସ୍ଥାନୀୟ ଲୋକେ ସୂଚନା ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗଳିତ ମୃତଦେହକୁ ଉଦ୍ଧାର କରିଛି ବ୍ୟବଚ୍ଛେଦ ପାଇଁ ପଠାଇଛି । ପ୍ରାଥମିକ ତଦନ୍ତରୁ ମୃତକଙ୍କ ବୟସ ପ୍ରାୟ ୬୫ରୁ ୭୦ ବର୍ଷ ହେବ ବୋଲି ପୁଲିସ କହିଛି । ମାତ୍ର ବୃଦ୍ଧଙ୍କର ପରିଚୟ ମିଳିପାରିନି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ,ଏହି ବୃଦ୍ଧ ଜଣକ ଆଖପାଖ ଅଞ୍ଚଳରେ ଏଣେତେଣେ ବୁଲୁଥିଲେ। ଲୋକଙ୍କ ପାଖରୁ ଭିକ୍ଷା ବୃତ୍ତି କରି ଚଳୁଥିଲେ। ଜିଲ୍ଲାରେ ଭିକ୍ଷା ବୃତ୍ତି କରି ଚଳୁଥିବା ଅସହାୟ ଲୋକଙ୍କୁ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଉଦ୍ଧାର କରାଯାଇ ପୁନରୁଦ୍ଧାର କେନ୍ଦ୍ରରେ ଥଇଥାନ କରାଯାଉଛି। ହେଲେ ଏହି ବ୍ୟକ୍ତିଙ୍କୁ ଠାବ କରିବାରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ କିପରି ବିଫଳ ହେଲା ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ଜିଲ୍ଲାରେ ଏବେ ବି ଅନେକ ଅସହାୟ ବୃଦ୍ଧ-ବୃଦ୍ଧା ଭିକ୍ଷା ବୃତ୍ତି କରୁଛନ୍ତି । ୨ବର୍ଷ ପୂର୍ବରୁ ସମ୍ବଲପୁରକୁ ଭିକ୍ଷୁକ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରାଯାଇଥିଲା। କିନ୍ତୁ ବାସ୍ତବରେ ଏହା କେତେ କାର୍ଯ୍ୟକାରୀ ହେଉଛି ତାକୁ ନେଇ ପ୍ରଶ୍ନ ଉଠିଛି।