ଭୁବନେଶ୍ୱର,୨୩/୦୬(ବିଜୟ ମିଶ୍ର): ୪୧ କିମି ଦୈର୍ଘ୍ୟ ବିଶିଷ୍ଟ ଦୟାୱେଷ୍ଟ କେନାଲ ଖୋଳିବାକୁ ଯେତିକି ଖର୍ଚ୍ଚ ହୋଇଥିଲା, ତା’ ଠାରୁ ଢେର୍ ଅଧିକ ଟଙ୍କା ଖର୍ଚ୍ଚ ହେଲାଣି କେନାଲ ଗର୍ଭରୁ ଗଛ ଉପାଡ଼ିବାରେ । ଫି’ ବର୍ଷ ନର୍ଦ୍ଦମା ପାଣି ଉପରେ ଦୂର୍ ଦୂର୍ ବଢ଼ୁଥିବା ଦଳ ସଫା କରିବାକୁ ବିଭାଗୀୟ କର୍ତ୍ତୃପକ୍ଷ ତୁଚ୍ଛାଟାରେ ପ୍ରାୟ ୨ କୋଟି ଖର୍ଚ୍ଚ କରୁଛନ୍ତି । ହେଲେ ନର୍ଦ୍ଦମା ବଦଳରେ ନଦୀ ଜଳ ପ୍ରବାହ କରିବା ଦିଗରେ ସାମାନ୍ୟତମ ଉଦ୍ୟମ ନାହିଁ କି ଖର୍ଚ୍ଚ ନାହିଁ । ଫଳରେ ପ୍ରଦୂଷଣର ଜ୍ୱାଳାରେ ଅଧ୍ୟୁଷିତ ଜନସାଧାରଣ ତ୍ରାହି ତ୍ରାହି ଡାକିଲେଣି ।
୧୯୬୭ ମସିହାରେ ଦୟାୱେଷ୍ଟ କେନାଲ ଖୋଳା ଆରମ୍ଭ ହୋଇଥିଲା । ବାରଙ୍ଗ କେନ୍ଦୁପାଟଣା ପୁରୀ ହାଇଲେବୁଲ କେନାଲରୁ ଏହା ବାହାରି ପ୍ରାୟ ୪୧ କିମି ପ୍ରବାହିତ ହେବା ପରେ ରେତଙ୍ଗ ନିକଟସ୍ଥ ଏକ ପ୍ରାକୃତିକ ନାଳରେ ଏହା ସଂଯୋଗ ହୋଇଥିଲା । ଏଥିପାଇଁ ବିପୁଳ ପରିମାଣର ଜମି ସ୍ଥାନୀୟ ଲୋକେ ସରକାରଙ୍କୁ ଦେଇଥିଲେ । ୩ ବର୍ଷ ଭିତରେ କେନାଲ ଖୋଳାଯାଇ ଏଥିରେ ଶୁଦ୍ଧ ନଦୀଜଳ ପ୍ରବାହିତ ହୋଇଥିଲା । ଉଦ୍ଦେଶ୍ୟ ଥିଲା ରାଜଧାନୀରେ ଜଳ ଅଭାବ ରହିବ ନାହିଁ । ଉପକଣ୍ଠରେ ଥିବା ପ୍ରାୟ ୧୩ହଜାର ହେକ୍ଟର ଚାଷଜମିକୁ ଶସ୍ୟଶ୍ୟାମଳା ହେବ । ଉଦ୍ଦେଶ୍ୟ ସାଧନ ହୋଇଥିଲା ମଧ୍ୟ । କେନାଲ ଅବବାହିକାରେ ଥିବା ଶସ୍ୟକ୍ଷେତ୍ରରେ ବର୍ଷତମାମ ଫସଲ ହେଉଥିଲା । ଅସଂଖ୍ୟ କୂଅ, ପୋଖରୀ, ଜଳାଶୟ ସଜଳା ରହିଥିଲା । ହେଲେ ୨୦ ବର୍ଷ ଭିତରେ ସରକାର ଏତେ ସୁନ୍ଦର ଜଳଉତ୍ସଟିକୁ ପାଲଟାଇ ଦେଲେ ନର୍ଦ୍ଦମା, ମଳ ପ୍ରବାହର ଧାର । ଫଳରେ ଜହର ଭରିଗଲା ପ୍ରାୟ ୫ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଜନବସତିରେ । ଚାଷବାସ ଗଲା । କୂଅ, ପୋଖରୀରେ ପୋକ ସାଲୁବାଲୁ ହେଲେ । ରୋଗ, ବଇରାଗରେ ଲୋକେ ମଲେ । ତଥାପି ସୁଧୁରିଲା ନାହିଁ । କେନାଲଟି ଏବେ ଲୋକଙ୍କର ବୋଝ ପାଲଟି ଯାଇଛି । କେନାଲରେ ବିଏମ୍ସି ପକାଇଛି ୪ଟି ବଡ଼ ଡ୍ରେନ୍ ଓ ୫୦ରୁ ଅଧିକ ମଧ୍ୟମ ଧରଣର ଡ୍ରେନ୍ । ଏହାର ଉଭୟ ପାଶ୍ୱର୍ରେ ଥିବା କୋଠାବାଡ଼ିରୁ ୩୦୦୦ରୁ ଅଧିକ ସ୍ୱେରେଜ ଲାଇନ୍ ସଂଯୋଗ ହୋଇଛି । ଯାବତୀୟ ବର୍ଜ୍ୟପଦାର୍ଥ ଏଥିରେ ଫିଙ୍ଗାଯାଉଛି । ଏପରିକି ସେସ୍ପୁଲ ଗାଡ଼ି ଏଥିରେ ମଳ ଢାଳୁଛି । ଏହାର ଅସହ୍ୟ କୁପ୍ରଭାବର ଅନ୍ତ ଯେମିତି ନାହିଁ ।
ଦୟାୱେଷ୍ଟ କେନାଲର ପ୍ରଦୂଷଣର କୁପ୍ରଭାବ ଲୋକେ ଭୋଗି ଭୋଗି ମରିଯାଉଛନ୍ତି । ୨୦୦୭ରେ ୬୭ ନମ୍ବର ୱାର୍ଡ କେନାଲ କୂଳରେ ଥିବା ଯୋଗେଶ୍ୱର ପାଟଣା, ସୁନ୍ଦରପଦାରେ ହଇଜା ବ୍ୟାପୀଥିଲା । ଏଥିରେ ୬ଜଣଙ୍କ ପ୍ରାଣହାନି ଘଟିଥିଲା । ଏହାପରେ ଶ୍ରୀରାମନଗର, କପିଳେଶ୍ୱର, ଆଜାଦ ନଗର, ସୁନ୍ଦରପଦା ଆଦି ଜନବସତିରେ ଦେଖାଦେଇଥିଲା ହଳଦିଆ କାମଳ ରୋଗ । ୮ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ୨୦୧୬ ଅଗଷ୍ଟ ମାସରେ ଗ୍ୟାରେଜ ଛକ ଠାରେ କେନାଲ ବନ୍ଧ ଭାଙ୍ଗିଯିବାରେ ଅଭାବନୀୟ ପରିସ୍ଥିତି ଉପୁଜିଥିଲା । କଳା କିଟି କିଟି ନର୍ଦ୍ଦମା ପାଣି ନିକଟସ୍ଥ କେଦାରଗୌରୀ ଆପାର୍ଟମେଣ୍ଟ ପରିସରରେ ୪ଫୁଟ ଉଚ୍ଚରେ ପଶିଯାଇଥିଲା । ଅନେକ ଆପାର୍ଟମେଣ୍ଟ ବାସିନ୍ଦା ଘର ଛାଡ଼ି ପଳାଇଥିଲେ ।
କେନାଲର ମଳ ପାଣି ରେତଙ୍ଗ ପର୍ଯ୍ୟନ୍ତ ପରିବେଶକୁ ନଷ୍ଟ କରି ସାରିଲାଣି । ହଳଦିଆ କାମଳ, ଯକୃତ ଜନିତ ଜଳବାହିତ ରୋଗରେ ଶତାଧିକଙ୍କ ଜୀବନ ଗଲାଣି । ଲୋକେ ଭୟରେ କେନାଲ କଡ଼ରେ ଥିବା କୂଅ, ପୋଖରୀରୁ ଜଳ ବ୍ୟବହାର ବନ୍ଦ କରି ଦେଲେଣି । କେନାଲରେ ସ୍ୱେରେଜ, ଡ୍ରେନ୍ ସଂଯୋଗକୁ ବନ୍ଦ କରିବା ଲାଗି ଏକାଧିକ ଅଦାଲତ ବିଏମ୍ସିକୁ ନିର୍ଦ୍ଦେଶ ଦେଲେଣି । ୨୦୧୦ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଅନେକ ଡ୍ରେନ୍ ମୁହାଣରେ କଂକ୍ରିଟ ଦେଇ କେନାଲରୁ ସଂଯୋଗ ଛିନ୍ନ କରାଯାଇଥିଲା । ହେଲେ ପରବର୍ତ୍ତୀ କାଳରେ ବିଏମ୍ସି ଏହାର ବିକଳ୍ପ ବ୍ୟବସ୍ଥା ନ କରିବାରେ ବର୍ଷା ଦିନେ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଥିଲା । ତେଣୁ ସେ ଡ୍ରେନ ଗୁଡ଼ିକର ଦ୍ୱାର ପୁଣି ଖୋଲି ଦିଆଯାଇଥିଲା । ତା’ ପରଠୁ ଅବିଚାରିତ ଭାବେ ଡ୍ରେନ୍, ସ୍ୱେରେଜ ଲାଇନ କେନାଲ ସହିତ ଯୋଡ଼ା ଚାଲିଛି ।
ପରିସ୍ଥିତି ଏମିତି ଯେ ଦୟା ୱେଷ୍ଟ କେନାଲ ବର୍ତ୍ତମାନ ଉଭୟ ସରକାର ଓ ଜନସାଧାରଣଙ୍କ ବୋଝ ପାଲଟି ଯାଇଛି । ମୂଳୁ ମାଇଲେ ଯିବ ସରି ସୂତ୍ରରେ କେନାଲକୁ ନିଶ୍ଚିହ୍ନ କରିବା ଯୋଜନା କରିଛନ୍ତି । କେନାଲକୁ ପୋତି ରାସ୍ତା କରିବା ଯୋଜନା ଚଳାଇଥିଲେ । ୩୦ କୋଟିର ରାସ୍ତା ପ୍ରକଳ୍ପ ଅଧାପନ୍ତରିଆ ଭାବେ ପଡ଼ି ରହିଛି । ଅନେକ ସ୍ଥାନରେ ୧୦ ମିଟର ଓସାର ବିଶିଷ୍ଟ ଏହି କେନାଲକୁ ପୋତି ୨ ମିଟର ପର୍ଯ୍ୟନ୍ତ ସଂକୁଚିତ କରି ଦିଆଯାଇଛି । କେନାଲରେ ସ୍ୱଚ୍ଛ ନଦୀ ଜଳ ପ୍ରବାହିତ ହୋଇପାରିବ କି ନାହିଁ ବୋଲି ପ୍ରଶ୍ନର ଉତ୍ତରରେ ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି, ଏହି ସମସ୍ୟା ସମ୍ପର୍କରେ ବିଏମ୍ସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି । କ’ଣ କରାଯାଇପାରିବ ସେ ସମ୍ପର୍କରେ ମୁଁ ଆଗକୁ ସୂଚନା ଦେବି । ବିଏମ୍ସି ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଦୈତାରୀ ବେହେରା କହିଛନ୍ତି, ଭାଇ ମୁଁ ଏଠାକୁ ନୂଆ ଆସିଛି । ମୋ ଅମଳରେ କେନାଲରେ ଗୋଟିଏ ବି ଡ୍ରେନ୍ ସଂଯୋଗ ହୋଇନାହିଁ । କେନାଲ ପ୍ରଦୂଷଣମୁକ୍ତ ହୋଇପାରିବ କି ନାହିଁ, ତାହା ଉପରିସ୍ଥ ଅଧିକାରୀ କହିବେ ।