ପ୍ରମୂଖ ଖବର
  • ସମ୍ଭାବ୍ୟ ବାତ୍ୟାକୁ ନେଇ ବାସୁଦେବପୁର ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା, କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ
  • ||
  • ୩ରୁ ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା, ୬୮୦ ଜଣ ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍‌
  • ||
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ଛାନିଆ କଲାଣି ବାତ୍ୟା "ଦାନା': ଅତ୍ୟାବଶ୍ୟକ ସାମଗ୍ରୀ କଳାବଜାର, ଭୁଆଁ ବୁଲାଉଛନ୍ତି ଦୋକାନୀ

ଅସ୍ତରଙ୍ଗ/ଗୋପ,୨୨/୧୦: ସମ୍ଭାବ୍ୟ  ବାତ୍ୟା "ଦାନା'କୁ ନେଇ ଲୋକ ଛାନିଆ ହୋଇ  ପଡ଼ିଛନ୍ତି । ଏହାର ଫାଇଦା ଉଠାଉଛନ୍ତି କିଛି  ଅସାଧୁ ବ୍ୟବସାୟୀ । ଅତ୍ୟାବଶ୍ୟକ ସାମଗ୍ରୀ  କଳାବଜାର କରିବା ଆରମ୍ଭ କରି ଦେଲେଣି ।  ହଠାତ୍‌ ସବୁ ଦରଦାମ୍‌ ବଢ଼ାଇ ଦେଇଛନ୍ତି । ଅସ୍ତରଙ୍ଗ ଅଞ୍ଚଳର  କେତେକ ସ୍ଥାନରେ ଖୁଚୁରା ବ୍ୟବସାୟୀମାନେ  ଆଳୁ କିଲୋ ୪୦ ଟଙ୍କାରେ ବିକ୍ରି କରୁଥିବା  ଅଭିଯୋଗ ହୋଇଛି । କେଜି ପ୍ରତି ପାଖାପାଖି  ୧୦ ଟଙ୍କା ବୃଦ୍ଧି କରିଛନ୍ତି । ସେହିପରି ପିଆଜ  କିଲୋ ୬୦ଟଙ୍କା ଥିବାବେଳେ ତାହା ଏବେ  ୬୫ରୁ ୭୦ଟଙ୍କାରେ ବିକ୍ରି ହେଉଛି । ଏ  ବାବଦରେ ପଚାରିଲେ ବ୍ୟବସାୟୀମାନେ  ଅଜବ ଉତ୍ତର ଦେଉଛନ୍ତି । କହୁଛନ୍ତି, ବାତ୍ୟା  ଆସୁଛି, ଆଳୁ ଗାଡ଼ି ଆସି ନପାରେ । ଯେତିକି  ଅଛି ସେତିକିରେ ବେପାର କରୁଛୁ । ହଠାତ୍‌  ଦରଦାମ୍‌ ବୃଦ୍ଧି ହେବାରୁ ଗ୍ରାହକଙ୍କ ମଧ୍ୟରେ  ଅସନ୍ତୋଷ ପ୍ରକାଶ ପାଇଛି ।  

ସବୁଦିନ ଭଳି ଶନିବାର ଅସ୍ତରଙ୍ଗ  ବଜାରକୁ ମଣ୍ଡିରୁ ଆଳୁ, ପିଆଜ ଗାଡ଼ି ଆସିଥିବା ଜଣାପଡ଼ିଛି । ଏହାସତ୍ତେ୍ୱ ବାତ୍ୟା ଆଳରେ କଳାବଜାର କରୁଛନ୍ତି ଅସାଧୁ ବ୍ୟବସାୟୀ ।  ରାଜ୍ୟ ସରକାର ଏ ଦିଗରେ କଠୋର  ପଦକ୍ଷେପ ଗ୍ରହଣ କରିବାକୁ ସମାଜସେବୀ  ଅମୀୟ ରଞ୍ଜନ ବାରିକି ଦାବି କରିଛନ୍ତି ।  

କେବଳ ସେତିକି ନୁହେଁ, ବାତ୍ୟା  ଭୟରେ ସୋମବାର ଅସ୍ତରଙ୍ଗ ବଜାର ସହ  ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ବଜାରରେ  ପରିବା ଓ ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ  କିଣିବାକୁ ପ୍ରବଳ ଭିଡ଼ ହୋଇଥିଲା । ଏଥିଯୋଗୁଁ  ଦୋକାନୀମାନେ ସବୁଥିରେ ଦର ବୃଦ୍ଧି କରିଥିବା କୁହାଯାଉଛି ।  

ସେପଟେ ବାତ୍ୟା ପ୍ରଭାବରେ ପ୍ରବଳ  ବର୍ଷା ଓ ପବନ ହେବ ବୋଲି ପାଣିପାଗ  ବିଭାଗ ପୂର୍ବାନୁମାନ କରିଛି । ଫଳରେ ହେକ୍ଟର  ହେକ୍ଟର ଜମିରେ ହୋଇଥିବା ଚାଷ ଉଜୁଡ଼ିବାର  ସମ୍ଭାବନା ରହିଛି । ଯାହାକୁ ନେଇ ଚିନ୍ତାରେ  ପଡ଼ିଛନ୍ତି ଚାଷୀ ।  ଏବେ ଧାନ ଗଛରେ କେଣ୍ଡା ବାହାରୁ  ଥିବାବେଳେ ଶୀତ ଦିନିଆ ପନିପରିବା ଅମଳ  ହେବାକୁ ବସିଛି । ଏହି ସମୟରେ ଯଦି ବାତ୍ୟା  ହୁଏ ତେବେ ବର୍ଷା ଓ ପବନରେ ଧାନ ଓ  ପନିପରିବା ଚାଷ କ୍ଷତିଗ୍ରସ୍ତ ହେବ । 

ଅପରପକ୍ଷେ ସ୍ଥାନୀୟ ମତ୍ସ୍ୟ ବିଭାଗ  ପକ୍ଷରୁ ସଚେତନ ପରେ ସମୁଦ୍ରରୁ ଫେରୁଛନ୍ତି  ମତ୍ସ୍ୟଜୀବୀ । ସୁରକ୍ଷିତ ସ୍ଥାନକୁ ଜାଲ, ଡଙ୍ଗା  ସହ ଯନ୍ତ୍ରାଂଶ ଆଣୁଛନ୍ତି । ବାତ୍ୟା କେତେ  ଭୟଙ୍କର ହେବ ଆଉ ଏହା କେଉଁ ଉପକୂଳ  ଦେଇ ଅତିକ୍ରମ କରିବ ତାକୁ ନେଇ ନାନା  ପ୍ରକାର ଚର୍ଚ୍ଚା ହେଉଛି ।  

ବାତ୍ୟା ଖବର ଶୁଣି ଅସ୍ତରଙ୍ଗ ବ୍ଲକ୍‌ର  ଛୁରିଆନା, ଡାଳୁଅକଣି, ତଣ୍ଡାହାର, ସହନ,  ନୂଆଗଡ଼, ଝାଡ଼ଲିଙ୍ଗ, କାଳିଆକଣ, ନଗର,  ଆଳସାହି, ତାଳଦା ଶିଶୁଅ ଅଞ୍ଚଳ ଲୋକେ  ଭୟଭୀତ ହୋଇ ପଡ଼ିଛନ୍ତି । ସମସ୍ତେ  ପାଣିପାଗ ବିଭାଗର ଖବରକୁ ଚାତକ ପରି  ଚାହିଁ ବସିଛନ୍ତି । ଗୋପ ବ୍ଲକ୍‌ରେ ବି ସମାନ  ସ୍ଥିତି ଦେଖିବାକୁ ମିଳିଛି । ଚାଷୀମାନେ  ଭୟଭୀତ ହୋଇ ପଡ଼ିଛନ୍ତି । ବର୍ତ୍ତମାନ  ସମୟରେ ଏଠାରେ ଚାଷୀ ଦୁଇ ପ୍ରକାର  ଚାଷ କରିଥାନ୍ତି । ନଈକୂଳରେ ବିଭିନ୍ନ  ପ୍ରକାର ପରିବା ଚାଷ କରିଛନ୍ତି । ଯଦି ପ୍ରବଳ  ବର୍ଷା ହୁଏ ତେବେ ଏହା ନଷ୍ଟ ହୋଇଯିବ ।  ଧାନ ଚାଷ ମଧ୍ୟ କ୍ଷତିଗ୍ରସ୍ତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.