ଭୁବନେଶ୍ବର, ୨୪।୧୦ : ବାତ୍ୟା ଦାନା ସ୍ଥଳଭାଗ ଆଡେ ମାଡିଆସୁଛି। ଗତ ୬ ଘଣ୍ଟା ହେବ ଘଣ୍ଟା ପ୍ରତି ୧୦ କି.ମି ବେଗରେ ଗତି କରୁଛି। ବର୍ତ୍ତମାନ ବାତ୍ୟା ପାରାଦ୍ବୀପ ଠାରୁ ୧୫୦ କ.ମି ଓ ଧାମରା ଠାରୁ ୧୮୦ କି.ମି ଦୂରରେ ରହିଛି। ସେହିପରି ସାଗର ଦ୍ବୀପ ଠାରୁ ୨୫୦ କି.ମି ଦୂରରେ ରହିଛି। ଏହା ଗୁରୁବାର ରାତି ଓ ଶୁକ୍ରବାର ସକାଳେ ଭିତରକନିକା ଓ ଧାମରା ଠାରେ ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନର ବେଗ ୧୦୦ରୁ ୧୧୦ କି.ମି ରହିବ। ବେଳେ ବେଳେ ଏହାର ବେଗ ୧୨୦ ଅତିକ୍ରମ କରିବ।
ତେବେ ସ୍ଥଳଭାଗ ଛୁଇଁବା ପରେ ବାତ୍ୟାର ଦିଗ ସାମାନ୍ୟ ବଦଳି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଆ ଅଭିମୁଖେ ଗତି କରିବ। ଏହାରି ପ୍ରଭାବରେ ଉତ୍ତର ଉପକୂଳ ସହ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଭୀଷଣ ବର୍ଷା ହେବ। ବାତ୍ୟା ପାଇଁ ୧୪ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି। ବିଶେଷ କରି ସ୍ଥଳଭାଗ ଛୁଇଁବା ସମୟରେ ବାଲେଶ୍ଵର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ବେଶୀ ପବନ ହେବା ସହ ସମୁଦ୍ରରେ ଜୁଆର ୧ ମିଟରରୁ ୨ ମିଟର ଉଚ୍ଚ ଉଠିବ।
ବାତ୍ୟା ଦାନା ଉପକୂଳ ଅତିକ୍ରମ କରିବା ସମୟରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୧୧୦ କିଲୋମିଟର ରହିପାରେ। ସେହିପରି ମୟୂରଭଞ୍ଜ ଜିଲ୍ଲାରେ ପବନର ବେଗ ଘଣ୍ଟା ପ୍ରତି ୮୦ରୁ ୯୦ କ.ମି ରହିବ। ପୁରୀ ଓ କଟକରେ ଘଣ୍ଟାପ୍ରତି ୬୦ରୁ ୮୦କିମି ପବନ ହେବାକୁ ଥିବାବେଳେ ଯାଜପୁର, ଖୋର୍ଦ୍ଧା, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲା ସମେତ ଭୁବନେଶ୍ୱରରେ ପବନର ବେଗ ଘଣ୍ଟାପ୍ରତି ୬୦ରୁ୭୦ କିଲୋମିଟର ରହିବାର ସମ୍ଭାବନା ରହିଛି।
ବାତ୍ୟା ଦାନା ପାଇଁ ଗୁରୁବାର ୭ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ । ସେଥିପାଇଁ ଉକ୍ତ ଜିଲ୍ଲାକୁ ରେଡ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହିସବୁ ଜିଲ୍ଲାଗୁଡିକ ହେଲା ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଭଦ୍ରକ, ଯାଜପୁର, ବାଲେଶ୍ବର, ମୟୂରଭଞ୍ଜ।
ସେହିପରି ୫ଟି ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହି ସବୁ ଜିଲ୍ଲାଗୁଡିକ ହେଲା ପୁରୀ, ଖୋର୍ଦ୍ଧା, କେନ୍ଦୁଝର, ନୟାଗଡ ଓ ଢେଙ୍କାନାଳ। ଗଞ୍ଜାମ, ବୌଦ୍ଧ, ଅନୁଗୁଳ, ଦେବଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଏବଂ କନ୍ଧମାଳକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ଶୁକ୍ରବାର ୯ ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ରେଡ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଯାଜପୁର, ଭଦ୍ରକ, ପୁରୀ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ଅନୁଗୁଳ ଜିଲ୍ଲାକୁ ରେଡ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।