ଅହମଦାବାଦ: ଡେଭନ କନୱେ ଏବଂ ଡେୱାଲ୍ଡ ବ୍ରେଭିସଙ୍କ ଚମତ୍କାର ଅର୍ଦ୍ଧଶତକ ବଳରେ ଚେନ୍ନାଇ ସୁପର କିଙ୍ଗ୍ସ ଗୁଜରାଟକୁ ବିଜୟ ପାଇଁ ୨୩୧ ରନର ଟାର୍ଗେଟ ଦେଇଛି । ବ୍ରେଭିସ୍ ମାତ୍ର ୧୯ ବଲ୍ରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଛନ୍ତି । ଫଳରେ ସିଏସ୍କେ ୨୦ ଓଭରରେ ୫ ୱିକେଟ୍ ହରାଇ ୨୩୦ ରନ୍ କରିଛି । ସିଏସକେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଦଳ ପାଇଁ କନୱେ ଏବଂ ବ୍ରେଭିସ୍ ଅର୍ଦ୍ଧଶତକ ହାସଲ କରିଛନ୍ତି । ଶେଷରେ ବ୍ରେଭିସ୍ ବିସ୍ଫୋରକ ବ୍ୟାଟିଂ କରିବାରୁ CSK ୨୦୦ ରନ ଅତିକ୍ରମ କରିବାରେ ସଫଳ ହୋଇଛି ।
ପ୍ରଥମେ ବ୍ୟାଟିଂ କରି ଆୟୁଷ ମହାତ୍ରେ ଏବଂ କନୱେ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ ଏବଂ ପ୍ରଥମ ୱିକେଟ ପାଇଁ ୪୪ ରନର ଭାଗୀଦାରୀ କରିଥିଲେ। ମହାତ୍ରେ ଫର୍ମରେ ଥିବା ଦେଖାଯାଉଥିଲେ କିନ୍ତୁ ପ୍ରସିଦ୍ଧ କ୍ରିଷ୍ଣା ତାଙ୍କୁ ଆଉଟ୍ କରିଥିଲେ। ୧୭ ବଲରୁ ୩୪ ରନ୍ କରି ମହାତ୍ରେ ଆଉଟ୍ ହୋଇଥିଲେ। ଏହା ପରେ କନୱେ ମଧ୍ୟ ଉର୍ବିଲ ପଟେଲଙ୍କ ସହ ଏକ ଅର୍ଦ୍ଧଶତକୀୟ ଭାଗୀଦାରି କରିଥିଲେ । ସାଇ କିଶୋର ଉର୍ବିଲଙ୍କୁ ଆଉଟ୍ କରିଦେବା ପରେ ଏହି ଯୋଡ଼ି ଭାଙ୍ଗି ଯାଇଥିଲା । ଉର୍ବିଲ ୧୯ ବଲରୁ ୩୭ ରନ୍ କରିବା ପରେ ପାଭିଲିୟନ ଫେରିଥିଲେ । ଏହାପରେ ଶାହରୁଖ ଖାନ ଶିବମ ଦୁବେଙ୍କୁ ଆଉଟ କରିଥିଲେ।
କନୱେ ୩୪ ବଲ୍ରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ କିନ୍ତୁ ପରବର୍ତ୍ତୀ ବଲ୍ରେ ରସିଦ ଖାନଙ୍କ ବଲରେ ଆଉଟ୍ ହୋଇଥିଲେ। କନୱେ ୩୫ ବଲ୍ରେ ୬ ଚୌକା ଓ ୨ଟି ଛକା ସହାୟତାରେ ୫୨ ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ, ବ୍ରେଭିସ୍ ଏବଂ ରବିନ୍ଦ୍ର ଜାଡେଜା ଦାୟିତ୍ୱ ଗ୍ରହଣ କଲେ ଏବଂ ପଞ୍ଚମ ୱିକେଟ୍ ପାଇଁ ୩୯ ବଲରେ ୭୪ ରନ୍ ର ଭାଗୀଦାରି କଲେ । ଏହି ସିଜନରେ ବ୍ରେଭିସ୍ CSK ପାଇଁ ୧୭ଟି ଛକା ମାରିଛନ୍ତି। ବ୍ରେଭିସ୍ ୨୩ ବଲ୍ରେ ଚାରି ଚୌକା ଏବଂ ପାଞ୍ଚ ଛକା ସହାୟତାରେ ୫୭ ରନ୍ କରି ଆଉଟ୍ ହୋଇଥିଲେ। ସିଏସକେ ପକ୍ଷରୁ ଜାଡେଜା ୧୮ ବଲ୍ ରୁ ଗୋଟିଏ ଚୌକା ଓ ଗୋଟିଏ ଛକା ସହାୟତାରେ ୨୧ ରନ୍ କରି ଅପରାଜିତ ଫେରିଥିଲେ । ଗୁଜରାଟ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଦୁଇଟି ୱିକେଟ୍ ନେଇଥିବା ବେଳେ ଆର ସାଇ କିଶୋର, ରସିଦ ଖାନ ଏବଂ ଶାହରୁଖ ଖାନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।