ଅହମ୍ମଦାବାଦ,୨୫/୦୫: ରବିବାର ଅପରାହ୍ଣରେ ଗୁଜରାଟ ଟାଇଟନ୍ସ ଘରୋଇ ଗ୍ରାଉଣ୍ଡ୍ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିବ। ଉଭୟ ଦଳର ଏହା ଶେଷ ଲିଗ୍ ମ୍ୟାଚ୍ । କିନ୍ତୁ ଟାଇଟନ୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ । ଟାଇଟନ୍ସ ଏହି ମ୍ୟାଚ୍ ଜିତି ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବାକୁ ପ୍ରୟାସ କରିବ । ସୁପରକିଙ୍ଗ୍ସ କେବଳ ସମ୍ମାନ ବଞ୍ଚାଇବା ପାଇଁ ଜିତିବାକୁ ଲକ୍ଷ୍ୟ ରଖିବ ।
୧୮ ପଏଣ୍ଟ ଅର୍ଜନ କରିସାରିଥିବା ଟାଇଟନ୍ସ ଗତ ୨୨ତାରିଖରେ ଅନୁଷ୍ଠିତ ମ୍ୟାଚ୍ରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଠାରୁ ୩୩ ରନ୍ରେ ପରାଜିତ ହୋଇଥିଲା । ଏହି ମ୍ୟାଚ୍ ଜିତିଥିଲେ ଟାଇଟନ୍ସର ଶ୍ରେଷ୍ଠ ୨ରେ ସ୍ଥାନ ନିଶ୍ଚିତ ହୋଇପାରିଥାନ୍ତା । ତଥାପି ଦଳ ପାଇଁ ଆଉ ଏକ ସୁଯୋଗ ରହିଛି । ଆଜି ଜିତିଲେ ଟାଇଟନ୍ସର ପଏଣ୍ଟ ୨୦ରେ ପହଞ୍ଚିବ । ଫଳ ସ୍ୱରୂପ ଦଳ ପ୍ରଥମ କିମ୍ବା ଦ୍ୱିତୀୟ ସ୍ଥାନରେ ରହି ଲିଗ୍ ପର୍ଯ୍ୟାୟ ଶେଷ କରିବ । ଦଳର ସମସ୍ତ ଖେଳାଳି ଫିଟ୍ ଓ ଫର୍ମରେ ରହିଛନ୍ତି । ତେଣୁ ସୁପରକିଙ୍ଗ୍ସ ବିପକ୍ଷରେ ବିଜୟ କଷ୍ଟକର ହେବ ନାହିଁ।
ସୁପରକିଙ୍ଗ୍ସ ପ୍ରଥମ ଦଳ ଭାବେ ପ୍ଲେ-ଅଫ୍ ଦୌଡ଼ରୁ ବାଦ ପଡ଼ିଥିଲା । ଆଜି ଟାଇଟନ୍ସକୁ ହରାଇଲେ ମଧ୍ୟ ପଏଣ୍ଟ ତାଲିକାର ଅନ୍ତିମ ସ୍ଥାନ ବଜାୟ ରଖିବ । ସୁପରକିଙ୍ଗ୍ସ ଫ୍ୟାନ୍ମାନେ କେବଳ ଧୋନି ଓ ଦଳରେ ରହିଥିବା ଯୁବ ଖେଳାଳିମାନଙ୍କ ପ୍ରଦର୍ଶନକୁ ଦେଖିବା ପାଇଁ ଆଶା ରଖିବେ । ଚଳିତ ସିଜନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ହେଁ ଦଳ ଆୟୂଷ ମାହତ୍ରେ, ସାଇକ ରସିଦ, ଉର୍ଭିଲ ପଟେଲ, ଡିୱାଲ୍ଡ ବ୍ରେଭିସଙ୍କ ଭଳି ପ୍ରତିଭାବାନ ଯୁବ ତାରକାଙ୍କୁ ପାଇଛି । ଆଗାମୀ ସିଜନରେ ଏମାନେ ସୁପରକିଙ୍ଗ୍ସକୁ ପୁଣି ଥରେ ଶକ୍ତିଶାଳୀ ଦଳ ରୂପେ ଗଢ଼ି ତୋଳିବେ ।
ଟାଇଟନ୍ସ ପକ୍ଷରୁ ସାଇ କିଶୋରଙ୍କ ଉପରେ ନଜର ରହିବ । ଏହି ବାମ ହାତି ସ୍ପିନର ପୂର୍ବରୁ ୨ଟି ସିଜନ ଧରି ସୁପରକିଙ୍ଗ୍ସ ଦଳର ସଦସ୍ୟ ରହିଥିଲେ ହେଁ ଖେଳିବାକୁ ସୁଯୋଗ ପାଇ ନଥିଲେ । ୨୦୨୩ ସିଜନରୁ ସେ ଟାଇଟନ୍ସ ଦଳର ସଦସ୍ୟ ରହିଛନ୍ତି । ଚଳିତ ସିଜନରେ ସେ ୧୬ଟି ୱିକେଟ୍ ଅକ୍ତିଆର କରିସାରିଛନ୍ତି । ସୁପରକିଙ୍ଗ୍ସ ପକ୍ଷରୁ ଡିୱାଲ୍ଡ ବ୍ରେଭିସଙ୍କ ଉପରେ ନଜର ରହିବ । ସୁପରକିଙ୍ଗ୍ସ ଦଳରେ ଯୋଗ ଦେବା ପରଠୁ ସେ କେବଳ ବ୍ୟାଟ୍ରେ କଥା କହୁଛନ୍ତି ।
ଟାଇଟନ୍ସ ଦଳର ୩ସଦସ୍ୟ ଜୋସ ବଟଲର, କାଗିସୋ ରାବାଡା ଓ ଗେରାଲ୍ଡ କୋଏଜି ଶେଷ ମ୍ୟାଚ୍ ଖେଳିବେ । ରାବାଡା ପୂର୍ବ ମ୍ୟାଚ୍ରେ ବ୍ୟୟ ବହୁଳ ସାବ୍ୟସ୍ତ ହୋଇଥିଲେ । ଆଜି ତାଙ୍କ ସ୍ଥାନରେ କୋଏଜିଙ୍କୁ ଏକାଦଶରେ ସୁଯୋଗ ମିଳିପାରେ । ସୁପରକିଙ୍ଗ୍ସ ଦଳରେ ମଧ୍ୟ ଏକ ପରିବର୍ତ୍ତନ ଆଶା କରାଯାଉଛି । ଫର୍ମ ହରାଇଥିବା ଡେଭନ କନୱେଙ୍କ ବଦଳରେ ସାଇକ ରସିଦଙ୍କୁ ଏକାଦଶରେ ସୁଯୋଗ ମିଳିପାରେ ।
ଅହମ୍ମଦାବାଦ ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ । ଦିନ ବେଳ ମ୍ୟାଚ୍ ଥିବାରୁ ବିଶାଳ ସ୍କୋର ଆଶା କରାଯାଉଛି । ଏଠାରେ ଖେଳାଯାଇଥିବା ୬ଟି ମ୍ୟାଚ୍ରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୫ଟି ମ୍ୟାଚ୍ ଜିତିଛନ୍ତି । ତେଣୁ ଟସ ସେଭଳି ପ୍ରଭାବ ପକାଇବ ନାହିଁ ।
ସମ୍ଭାବ୍ୟ ଦ୍ବାଦଶ
ଗୁଜରାଟ ଟାଇଟନ୍ସ: ଶୁଭମନ ଗିଲ (ଅଧିନାୟକ), ସାଇ ସୁଦର୍ଶନ, ଜୋସ ବଟଲର, ସେରଫାନ ରଦରଫୋର୍ଡ, ଶାହରୁଖ ଖାନ, ରାହୁଲ ତେୱାତିଆ, ଅର୍ସଦ ଖାନ, ରସିଦ ଖାନ, କାଗିସୋ ରାବାଡା/ଗେରାଲ୍ଡ କୋଏଜି, ସାଇ କିଶୋର, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ।
ସୁପରକିଙ୍ଗ୍ସ: ଆୟୂଷ ମାହତ୍ରେ, ସାଇକ ରସିଦ/ଡେଭନ କନୱେ, ଉର୍ଭିଲ ପଟେଲ, ରବିନ୍ଦ୍ର ଜାଡ଼େଜା, ଡିୱାଲ୍ଡ ବ୍ରେଭିସ, ଶିବମ ଦୁବେ, ଆର ଅଶ୍ୱିନ, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ଅଂଶୁଲ କାମ୍ବୋଜ, ନୂର ଅହମ୍ମଦ, ଖଲିଲ ଅହମ୍ମଦ, ମଥିଶା ପତିରଣା ।