କଟକ, ୦୩/୦୩: ସହରବାସୀଙ୍କ ସମସ୍ୟାକୁ ୱାର୍ଡ ସ୍ତରରେ ସମାଧାନ କରିବା ଉଦ୍ଦେଶ୍ୟରେ କଟକ ମହାନଗର ନିଗମ(ସିଏମ୍ସି) ପକ୍ଷରୁ ଆରମ୍ଭ ହୋଇଥିଲା ‘ମୋ ୱାର୍ଡ’ ଅଭିଯାନ । ଲୋକଙ୍କ ପାଖରେ ପ୍ରଶାସନ ପହଞ୍ଚିବ ଓ ସେମାନଙ୍କ ସମସ୍ୟା ଶୁଣି ସମାଧାନ କରିବ- ଏହା ଥିଲା ଏହି ଅଭିଯାନର ମୂଳ ଲକ୍ଷ୍ୟ । ଇତିମଧ୍ୟରେ ଏହି ଅଭିଯାନକୁ ଦୁଇ ବର୍ଷ ପୂରିଗଲାଣି । । କିନ୍ତୁ ଗୋଟିଏ ବର୍ଷ ଏହି ଅଭିଯାନ ଜୋରଦାର ଢଙ୍ଗରେ ଚାଲିଥିବା ବେଳେ ବର୍ଷେ ହେବ ସଂପୂର୍ଣ୍ଣ ଠପ୍ ହୋଇପଡ଼ିଛି । ପୂର୍ବରୁ ଏହି ଅଭିଯାନରେ ସକ୍ରିୟ ହୋଇ ଦିନ ରାତି ବୁଲୁଥିବା ନିଗମ କର୍ତ୍ତୃପକ୍ଷ ଓ ଜନପ୍ରତିନିଧିଙ୍କୁ ଆଉ ୱାର୍ଡରେ ଦେଖିବାକୁ ମିଳୁନି । ବିଶେଷ କରି ରାଜ୍ୟରେ ସରକାର ବଦଳିଯିବା ପରେ ଅଭିଯାନ ଏକଦମ୍ ଠପ୍ ହୋଇଯାଇଛି । ଗତବର୍ଷ ମାର୍ଚ୍ଚ ମାସରେ ମେୟର୍ ସୁବାସ ସିଂହଙ୍କ ଦ୍ୱାରା ମୋ ୱାର୍ଡ ଅଭିଯାନ ଶେଷ ଥର ପାଇଁ ହୋଇଥିଲା । ସାଧାରଣ ନିର୍ବାଚନ ପରଠୁ ଆଉ ଥରେ ହେଲେ ଅଭିଯାନ ହୋଇନାହିଁ ।
ସରକାରୀ ସ୍ତରରେ ଜନସେବାକୁ ସରଳ କରିବା ପାଇଁ ଓ ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ସିଏମ୍ସିରେ "ମୋ ୱାର୍ଡ’ ଅଭିଯାନ ଆରମ୍ଭ ହୋଇଥିଲା । ନୂଆ କାଉନ୍ସିଲ୍ ଗଠନ ହେବା ପରେ ମେୟର ସୁବାସ ସିଂହଙ୍କ ଦ୍ୱାରା ୨୦୨୩ ମସିହା ଫେବ୍ରୁଆରୀ ୨୩ ତାରିଖରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରମରେ ମେୟର ୨ଦିନ ପ୍ରତ୍ୟେକ ୱାର୍ଡରେ ରାତି ରହଣି କରିବା ସହିତ ସିଏମ୍ସି ଅଧିକାରୀମାନଙ୍କୁ ନେଇ ୱାର୍ଡରେ ସମୀକ୍ଷା କରି ଲୋକଙ୍କ ସମସ୍ୟା ଶୁଣୁଥିଲେ । ଏହି ପ୍ରକ୍ରିୟା ସବୁଆଡେ ଚର୍ଚ୍ଚା ସୃଷ୍ଟି କରିବା ସହ ସହରବାସୀଙ୍କ ମନରେ ସେମାନଙ୍କ ଅଞ୍ଚଳର ସମସ୍ୟା ସମାଧାନ ନେଇ ଆଶା ସଂଚାର କରିଥିଲା । ମୋ ୱାର୍ଡ କାର୍ଯ୍ୟକ୍ରମ ୩ଦିନ ଧରି ହେଉଥିଲା ବେଳେ ପ୍ରଥମେ ବରିଷ୍ଠ ନାଗରିକ, ବସ୍ତିବାସିନ୍ଦା ଓ ଏସ୍ଏଚ୍ଜି ମହିଳାଙ୍କ ସମେତ ବିଭିନ୍ନ ବର୍ଗ ସହ ବୈଠକ ହୋଇଥାଏ । ତାହା ବାଦ୍ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ୱାର୍ଡର ପ୍ରତ୍ୟେକ ଗଳିକନ୍ଦି ରାସ୍ତା ବୁଲି ସ୍ଥିତି ଅନୁଧ୍ୟାନ କରାଯାଏ । ମେୟର ୱାର୍ଡ ବାସିନ୍ଦାଙ୍କ ଘରେ ରାତି ରହଣି ମଧ୍ୟ କରୁଥିଲେ । ପ୍ରଥମେ ପ୍ରଥମେ ବେଶ୍ ପ୍ରଚାରିତ ହୋଇ ଅଭିଯାନ ଚାଲିଥିଲା । ପରବର୍ତ୍ତୀ ସମୟରେ ଏହି ଯୋଜନା ଧିମା ହୋଇଯାଇଥିଲା ।
ତେବେ ଯେନତେନ ଅଭିଯାନ ବର୍ଷେ ଚାଲିଥିଲା ବେଳେ ୨୦୨୪ ମସିହା ମାର୍ଚ୍ଚ ୧ ତାରିଖରେ ୨୯ନମ୍ବର ୱାର୍ଡରେ ଶେଷ ଥର ପାଇଁ ଏହି କାର୍ଯ୍ୟକ୍ରମ ହୋଇଥିଲା । ପରେ ନିର୍ବାଚନ ଆଚରଣବିଧି ଲାଗୁ ଆଳରେ ଏହା ବନ୍ଦ ରହିଥିଲା । ବର୍ଷକ ମଧ୍ୟରେ ୧୨ଟି ୱାର୍ଡରେ ଏହି କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟକାରୀ କରାଯାଇ ପାରିଥିବା ନେଇ ନିର୍ବାଚନ ସମୟରେ ମେୟର କହିଥିଲେ । ଉକ୍ତ ୧୨ଟି ୱାର୍ଡରେ ସମୁଦାୟ ୩୩୬ ଗୋଟି ପ୍ରକଳ୍ପକୁ ପ୍ରାୟ ୫୮କୋଟି ୬୩ଲକ୍ଷ ୨୩ହଜାର ୯୯ଟଙ୍କା ବ୍ୟୟ ଅଟକଳରେ କଟକ ମହାନଗର ନିଗମ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା କହିଥିଲେ । କିନ୍ତୁ ୨୦୨୪ ମାର୍ଚ୍ଚରୁ ୨୦୨୫ ଫେବ୍ରୁଆରୀ ମଧ୍ୟରେ କୌଣସି ୱାର୍ଡରେ ଆଉ ଏହି ଅଭିଯାନ ହୋଇପାରିନାହିଁ ।
ଅନ୍ୟପକ୍ଷରେ ୱାର୍ଡ ସ୍ତରରେ ସମସ୍ୟା ସମାଧାନ ପାଇଁ କାର୍ଯ୍ୟକ୍ଷମ ହୋଇଥିବା ୱାର୍ଡ ଅଫିସ୍ଗୁଡିକରେ ମଧ୍ୟ ତାଲା ଝୁଲୁଛି । ନିଗମ ଅଧିକାରୀମାନେ ଆଉ ଲୋକଙ୍କ ପାଖକୁ ଯାଇ ଅଭିଯୋଗ ଶୁଣୁନାହାନ୍ତି । ଲୋକେ ଆସିଲେ ବି ଅଭିଯୋଗ କରିବାକୁ କାହାକୁ ପାଉନାହାନ୍ତି। ପରିଣାମ ସ୍ୱରୂପ ସମସ୍ୟାର ସମାଧାନ ତ ଦୂରର କଥା ଲୋକମାନଙ୍କ ଅଭିଯୋଗ ଶୁଣିବାକୁ ଏବେ ସିଏମ୍ସି ପ୍ରସ୍ତୁତ ନ ଥିବା ୱାର୍ଡବାସୀ ଅଭିଯୋଗ କରୁଛନ୍ତି । ଏ ନେଇ ମେୟର ସୁବାସ ସିଂହ କହିଛନ୍ତି ଯେ, ସିଏମ୍ସିର ମୋ ୱାର୍ଡ ଅଭିଯାନ ଏକ ସଫଳ ରୂପାୟନ । ବିଭିନ୍ନ ୱାର୍ଡରେ ପ୍ରାୟ ୧୦୦ କୋଟିର ପ୍ରକଳ୍ପ ପାଇଁ ଯୋଜନା କରାଯାଇଥିଲା ବେଳେ ସେଥିରୁ କିଛି କାର୍ଯ୍ୟକ୍ଷମ ହୋଇଛି । ବିଭିନ୍ନ କାରଣରୁ ଏହା ବନ୍ଦ ରହିଛି । ଆଗାମୀ ଦିନରେ ପୁଣି ଏହାକୁ ନୂଆ ରୂପରେ ଆରମ୍ଭ କରାଯିବ ।