ଭୁବନେଶ୍ୱର, ୦୩/୩: ରାଜ୍ୟରେ କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ବିକାଶ ନେଇ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି । ଶନିବାର କଳିଙ୍ଗ ଷ୍ଟାଡିୟମରେ ଥିବା ଓଡ଼ିଶା ସନ୍ତରଣ ଉଚ୍ଚ ପ୍ରଦର୍ଶନ କେନ୍ଦ୍ରରେ ପ୍ରଶିକ୍ଷାର୍ଥୀଙ୍କୁ ନିର୍ଯାତନା ଅଭିଯୋଗ ହେବା ପରେ ବିଭାଗ ପକ୍ଷରୁ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ୪ ଜଣିଆ ତଦନ୍ତ କମିଟି କ୍ରୀଡ଼ା ବିଭାଗ ପକ୍ଷରୁ ଗଠନ ହୋଇଛି । ବିଭାଗର ଅତିରିକ୍ତ ସଚିବ ଅଶୋକ କୁମାର ପଣ୍ଡା, ଉପ ସଚିବ ଅମିତ କୁମାର ନାୟକ, ଓଏସ୍ଡି ସୋନାଲି ଚାନ୍ଦ ଓ ଅଣ୍ଡର ସେକ୍ରେଟାରୀ ରୂପନ୍ୱିତା ପଣ୍ଡା କମିଟିରେ ସଦସ୍ୟ ରହିଥିବା ଜଣା ପଡ଼ିଛନ୍ତି । କମିଟି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ ।
ପ୍ରାଥମିକ ପର୍ଯ୍ୟାୟରେ କୋଚ୍ ସନ୍ଦୀପ ସେଜୱାଲଙ୍କୁ କାର୍ଯ୍ୟରୁ ନିବୃତ କରାଯାଇଥିଲା । ଉଚ୍ଚ ପ୍ରଦର୍ଶନ କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ଦିଆ ଯାଉଥିବାବେଳେ କୋଚ୍ମାନେ ଦୁର୍ବବ୍ୟବହାର ପ୍ରଦର୍ଶନ କରୁଥିବା ନେଇ ୫୦ ଜଣ ପ୍ରଶିକ୍ଷାର୍ଥୀ ଲିଖିତ ଭାବେ କ୍ରୀଡ଼ା ବିଭାଗକୁ ଜଣାଇଥିଲେ ।
କ୍ରୀଡ଼ା ବିଭାଗ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି କରି କୁହାଯାଇଥିଲା ଯେ , ପ୍ରଶିକ୍ଷାର୍ଥୀଙ୍କ ଅଭିଯୋଗ କ୍ରମେ ଉଚ୍ଚ ପ୍ରଦର୍ଶନ କେନ୍ଦ୍ରରେ ଦିଆଯାଉଥିବା ଖାଦ୍ୟର ମାନ, କୋଚ୍ ଏବଂ ସହକାରୀ କର୍ମଚାରୀଙ୍କ ବ୍ୟବହାର ଉପରେ ତଦନ୍ତ କରାଯାଉଛି । ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ କୋଚ୍ ସନ୍ଦୀପଙ୍କୁ କାର୍ଯ୍ୟରୁ ନିବୃତ ରଖାଯାଇଛି । ତଦନ୍ତରେ ଅଭିଯୋଗ ପ୍ରମାଣିତ ହେଲେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।