ଭୁବନେଶ୍ୱର,୦୩/୦୩: ରାଜ୍ୟରେ ପ୍ରଥମ ଥର ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି ) ପକ୍ଷରୁ କୁକୁର ଗଣନାରେ ସଫେଇ କର୍ମୀଙ୍କୁ ନିୟୋଜିତ କରିବାକୁ ଆଲୋଚନା ହୋଇଛି । ପୁଣି ମାର୍ଚ୍ଚ ମାସ ଶେଷ ସୁଦ୍ଧା ରାଜଧାନୀରେ କୁକୁର ବନ୍ଧ୍ୟାକରଣ ଆରମ୍ଭ ହେବାକୁ ସ୍ଥିର ହୋଇଛି ।
ଭୁବନେଶ୍ୱରରେ କୁକୁର ସଂଖ୍ୟା ବଢ଼ିଛି । ପ୍ରତିଦିନ ବୁଲା କୁକୁର କାମୁଡ଼ୁଥିବା ଏବଂ କୁକରଙ୍କ ଯୋଗୁ ଦୁର୍ଘଟଣା ଘଟୁଥିବା ମାମଲା ସାମ୍ମାକୁ ଆସୁଛି । ଏହାକୁ ଦୃଷ୍ଟିରେ ରଖି ବିଏମ୍ସି ପକ୍ଷରୁ ରାଜ୍ୟରେ କୁକୁର ଗଣନା ଆରମ୍ଭ ହେବ । ପରୀକ୍ଷାମୂଳକ ଭାବେ ସଫେଇ କର୍ମୀଙ୍କୁ ଏ ଦିଗରେ ନିୟୋଜିତ କରାଯିବ । ପ୍ରଥମେ ଦୁଇରୁ ୩ଟି ୱାର୍ଡରେ ଏହି ଗଣନା କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା କରାଯାଇଛି । ଯଦି ଏହା ସଫଳ ହୁଏ, ତାହାଲେ ଆଗକୁ ସବୁ ୱାର୍ଡରେ ଗଣନା କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ବିଏମ୍ସିରେ ଗତ ବର୍ଷରୁ କୁକୁର ବନ୍ଧ୍ୟାକରଣ ବନ୍ଦ ରହିଛି । ପିଆରସି ସାର୍ଟିଫିକେଟ୍ ନ ଥିବାରୁ କୁକୁର ବନ୍ଧ୍ୟାକରଣ ଉପରେ ରୋକ୍ ଲାଗିଥିଲା । ଫଳରେ ରାଜଧାନୀରେ ବୁଲା କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ଗତମାସରେ ବିଏମ୍ସି ଟେଣ୍ଡର ଡାକିଥିଲା । ନୂଆ ସଂସ୍ଥାକୁ କୁକୁର ବନ୍ଧ୍ୟାକରଣ ଦାୟିତ୍ୱ ମିଳିଛି । ମାର୍ଚ୍ଚ ମାସ ଶେଷ ସୁଦ୍ଧା ବନ୍ଧ୍ୟାକରଣ ଆରମ୍ଭ ହେବ । ପ୍ରତିଦିନ ୫୦ରୁ ଅଧିକ କୁକୁରକୁ ବନ୍ଧ୍ୟାକରଣ କରିବାକୁ ଯୋଜନା ରଖାଯାଇଛି ।
ଫାଇଲ ଭିତରେ ପୋଷା କୁକୁର ବାଇ-ଲ
ହିଂସ୍ର ପୋଷା କୁକୁର ଆଉ ମାଲିକଙ୍କୁ ଲଗାମ ଲଗାଇଥାନ୍ତେ ସରକାର । ବାହାରେ ମଳତ୍ୟାଗ ବନ୍ଦ କରିଥାନ୍ତେ । ସାଧାରଣ ଲୋକଙ୍କୁ ଆକ୍ରମଣ ବି ବନ୍ଦ ହୋଇଥାନ୍ତା । ଏଥିପାଇଁ ବିଏମ୍ସି ବଡ଼ ନିୟମ ଆଣିଥିଲା । ଯେତେ ଦାମିକିଆ କୁକୁର ହେଉ ଯଦି ପଦାକୁ ବାହାରିବ ତେବେ ମାଲିକ ନାଁ ବେକରେ ଝୁଲାଇ ବାହାରିବ । ଏହି ନିୟମ ଆଜିପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଲା ନାହିଁ । ତେଣୁ ଗୋଟିଏ ବି କୁକୁର ପଞ୍ଜୀକରଣ ହୋଇପାରିଲା ନାହିଁ । ଏହା ଭିତରେ ପୋଷା କୁକୁର କାମୁଡ଼ାରେ ଡଜନେରୁ ଅଧିକ ମାମଲା ହେଲାଣି । ବଡ଼ଗଡ଼, ଚନ୍ଦ୍ରଶେଖରପୁରେ କୁକୁର କାମୁଡ଼ାରେ ଛାତ୍ର ଆହତ ହେଲେ । ସେହିପରି ହଂସପାଳରେ କୁକୁର କାମୁଡ଼ାରେ ମହିଳା ଗୁରୁତର ହେଲେ । ବିଏମସି କର୍ପୋରେସନ ବୈଠକରେ ଏ ସଂକ୍ରାନ୍ତ ବାଇ-ଲ କୁ ଅନୁମୋଦନ ମିଳିଥିଲା । ଏହା ପରେ ରାଜ୍ୟ ସରକାରଙ୍କ ପାଖକୁ ପଠାଯାଇଥିଲା । ବର୍ଷେରୁ ଅଧିକ ସମୟ ବିତିଲା, ବର୍ତ୍ତମାନ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇଲା ନାହିଁ।