ଭବନେଶ୍ବର, ୩।୩ : ରାଜ୍ୟରେ ନାବାଳିକା ଗର୍ଭବତୀ ହେଉଥିବା ଘଟଣା ଦେଖିବାକୁ ମିଳୁଛି। ନାବାଳିକାଙ୍କ କିପରି ସୁରକ୍ଷିତ ଗର୍ଭପାତ କରାଯାଇ ପାରିବ ସେ ନେଇ ଆଇନ ମୁତାବକ ଏସଓପି ପ୍ରସ୍ତୁତ କରିବାକୁ ସୋମବାର ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।
ଯଦି କେହି ନାବାଳିକା ଗର୍ଭବତୀ ହେଉଛନ୍ତି ଏବଂ ପରେ ତାଙ୍କ ଲାଗି ଗର୍ଭପାତ ଜରୁରୀ ତେବେ ତାକୁ ଅଣଦେଖା କରାଯାଇ ପାରିବ ନାହିଁ। ତେବେ ସେ ଦିଗରେ ସ୍ୱାସ୍ଥ୍ୟ ବିଭାଗ ଅଧିକ ସମ୍ବେଦନଶୀଳ ହେବା ଆବଶ୍ୟକ। ଏଥି ସହ ସୁରକ୍ଷିତ ଭାବେ କିପରି ଗର୍ଭପାତ କରାଇ ହେବ, ସେ ନେଇ ସ୍ୱାସ୍ଥ୍ୟ ବିଭାଗ ଆବଶ୍ୟକୀୟ ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।
କନ୍ଧମାଳ ଜିଲ୍ଲାର ଜଣେ ୧୩ ବର୍ଷୀୟା ନାବାଳିକା ରକ୍ତ ଶିକୁଳି ରୋଗରେ ଆକ୍ରାନ୍ତ। ଏଥିସହ ସେ ଗର୍ଭବତୀ ମଧ୍ୟ ହୋଇଛନ୍ତି। ୬ ମାସର ଗର୍ଭଧାରଣ ସହିତ ପୁରୁଣା ରୋଗର ଯନ୍ତ୍ରଣା ଯୋଗୁଁ ସେ ଛଟପଟ ହେଉଛନ୍ତି। ତେବେ ତାଙ୍କର ସୁରକ୍ଷିତ ଗର୍ଭପାତ ସହିତ ଆବଶ୍ୟକୀୟ ଚିକିତ୍ସା ଲାଗି ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦେଶ ଦେବାକୁ ପୀଡ଼ିତାଙ୍କ ପରିବାର ହାଇକୋର୍ଟରେ ଆବେଦନ କରିଥିଲେ। ଯାହାର ରାୟ ସୋମବାର ହାଇକୋର୍ଟ ପ୍ରକାଶ କରିଥିଲେ। ନିରାପଦ ଗର୍ଭପାତ ପାଇଁ ଏସଓପି ଆଣିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି ।