ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

କଟକରେ ଜମିଲାଣି ରମ୍‌ଜାନ୍‌ ବଜାର: ବିଦେଶୀ ଖଜୁରୀକୁ ଦିଲ୍ଲୀର ଘିଅ ଲଚ୍ଛାର ଚାହିଦା ଅଧିକ..

Published By : Prameya | March 3, 2025 2:31 PM

କଟକ,୦୩/୦୩: ପବିତ୍ର ରମ୍‌ଜାନ ମାସ  ଆରମ୍ଭ ହୋଇ ସାରିଥିଲାବେଳେ ଏବେଠୁ ଜମି ଆସିଲାଣି ରମ୍‌ଜାନ୍‌ ବଜାର । କାରଣ ପ୍ରଥମ ଦିନରେ ଲୋକମାନେ ଘରକୁ ରମ୍‌ଜାନ୍‌ ପାଇଁ  ସ୍ୱତନ୍ତ୍ର ଖଜୁରୀ, ସିମେଇ ଆଦି ଖାଦ୍ୟ ସାମଗ୍ରୀ  କିଣାକିଣି କରି ନେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ସହରର ପ୍ରମୁଖ ଛକମାନଙ୍କରେ ରମ୍‌ଜାନ୍‌ ପାଇଁ ପସରା ମେଲାଇଲେଣି ବହୁ ବ୍ୟବସାୟୀ । ବ୍ୟବସାୟୀମାନେ  ମଧ୍ୟ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ  ରଖି ଦେଶବିଦେଶରୁ ଆସିଥିବା ୨୦ରୁ ଅଧିକ ପ୍ରକାରର  ଖଜୁରୀ ସହିତ କୋଲକାତା  ଓ ଦିଲ୍ଲୀର ପ୍ରସିଦ୍ଧ ଘିଅ ଲଚ୍ଛା ଆଦି ସ୍ୱତନ୍ତ୍ର ଖାଦ୍ୟ ସାମଗ୍ରୀ  ବିକ୍ରି କରୁଛନ୍ତି । ଏହାବାଦ୍‌  ଗୋଟିଏ ଦୋକାନରେ ହିଁ  କାଜୁ କିସ୍‌ମିସ୍‌ରୁ ଆରମ୍ଭ କରି  ଫଳ ଆଦି ରମ୍‌ଜାନ୍‌ରେ ଅଧିକ  ବ୍ୟବହୃତ ଖାଦ୍ୟ ସାମଗ୍ରୀ ରଖିଛନ୍ତି ।  

ମୁସଲ୍‌ମାନ୍‌ ସମ୍ପ୍ରଦାୟରେ ରମ୍‌ଜାନ୍‌  ମାସ ହେଉଛି ମୁଖ୍ୟ ଧାର୍ମିକ ମାସ । ଏହି  ମାସରେ ୩୦ଦିନ ଯାକ କାଷ୍ଠା ଉପବାସ କରିଥାନ୍ତି  ମୁସ୍‌ଲିମ୍‌ ଲୋକମାନେ । ସକାଳେ ସୂର୍ଯ୍ୟଦୋୟ  ପୂର୍ବରୁ ଉପବାସ କରିବା ସହିତ ସଂଧ୍ୟାରେ  ନିର୍ଦ୍ଦିଷ୍ଟ ସମୟରେ ଉପବାସ ଭାଙ୍ଗିଥାନ୍ତି । ସଂଧ୍ୟାରେ ଉପବାସ ଭାଙ୍ଗିବା ତଥା ରୋଜା  ଖୋଲିବା ସମୟରେ ବିଭିନ୍ନ ପ୍ରକାରର ଖାଦ୍ୟ  ଖାଇବାକୁ ପସନ୍ଦ କରିଥାନ୍ତି । ଏଥିପାଇଁ ରମ୍‌ଜାନ୍‌  ଆସିବା ମାତ୍ରେ କଟକ ସହରର ବିଭିନ୍ନ ସ୍ଥାନରେ  ସ୍ୱତନ୍ତ୍ର ମାସିକିଆ ଦୋକାନ ଖୋଲିଥାଏ । ଏ  ବର୍ଷ ମଧ୍ୟ କିଛି ନୂଆ ଓ ଅଧିକ ଭେରାଇଟି ସହ  ଦୋକାନ ଖୋଲିଛି । ଲୋକଙ୍କ ଚାହିଦାକୁ ଦୃଷ୍ଟିରେ  ରଖି ବ୍ୟବସାୟୀମାନେ ସାଉଦି ଆରବ, ଇରାକ୍‌,  ଇରାନ୍‌, କତାର୍‌, ଦୁବାଇ ଓ ତୁନିସିଆ ଭଳି  ବିଭିନ୍ନ ଦେଶରୁ ୨୦ରୁ ଅଧିକ ପ୍ରକାରର ଖଜୁରୀ  ଆଣିଛନ୍ତି । ଯାହାର ମୂଲ୍ୟ ଅଧକିଲୋକୁ ୨ ଶହରୁ  ଆରମ୍ଭ କରି ସାଢେ ୪ ହଜାର ଟଙ୍କା ପର୍ଯ୍ୟନ୍ତ  ରହିଛି । 

ସେହିଭଳି ମିଠା ଖାଉଥିବା ଲୋକଙ୍କ  ପସନ୍ଦ ଲଚ୍ଛାର ଅନେକ ଭେରାଇଟି ଦେଖିବାକୁ  ମିଳିଛି । ଯଦିଓ କିଛି ନାମୀଦାମୀ ବ୍ରାଣ୍ଡ୍‌ର ଲଚ୍ଛା ରହିଛି କିନ୍ତୁ ସେଥିରେ କୋଲକାତା ଓ ଦିଲ୍ଲୀରୁ  ଆସିଛି ଘିଅର ସ୍ୱତନ୍ତ୍ର ଲଚ୍ଛା । ଯାହାର ମୂଲ୍ୟ  ମଧ୍ୟ କିଲୋପିଛା ୩ ଶହରୁ ନେଇ ୬ଶହ ଟଙ୍କା  ପର୍ଯ୍ୟନ୍ତ ରହିଛି । ସେହିଭଳି ଏଥର ରମ୍‌ଜାମ୍‌  ବଜାରରେ ନାଲି ଭଜା ସିମେଇ ମଧ୍ୟ ବଜାରକୁ  ଆସିଛି । ରମ୍‌ଜାନ୍‌ ମାସରେ ହିଁ କଟକର ବକ୍ସି  ବଜାର, ଦରଘା ବଜାର, ଓଡିଆ ବଜାର, ଶେଖ୍‌  ବଜାର, ବାଉଁଶ ଗଳି ଭଳି ପ୍ରମୁଖ ସ୍ଥାନରେ ବିକ୍ରି  ହେଉଛି । ଏ ନେଇ ଦୀର୍ଘ ବର୍ଷରୁ ବକ୍ସି ବଜାରରେ  ବ୍ୟବସାୟ କରୁଥିବା ବ୍ୟବସାୟୀ ଅବଦୁଲ୍‌  ଜାହିଦ୍‌ କହିଛନ୍ତି, କଟକ ଭାଇଚାରା ସହରରେ  ଏହି ଖାଦ୍ୟ ସାମଗ୍ରୀ ସବୁ ଧର୍ମର ଲୋକମାନେ  ନେବାକୁ ପସନ୍ଦ କରନ୍ତି । ସେଥିପାଇଁ ସବୁବେଳେ  କିଛି କିଛି ନୂଆ ସାମଗ୍ରୀ ଆଣିଛି । ବିଶେଷକରି  ଏଥର ଅନେକ ପ୍ରକାରର ଖଜୁରୀ ଆସିଛି । 

ପବିତ୍ର ରମ୍‌ଜାନ୍‌ ମାସ ଆରମ୍ଭ  ହୋଇଥିଲାବେଳେ ଆଜି ପ୍ରଥମ ରୋଜା ତଥା  ଉପବାସ ସମସ୍ତେ ରଖିଥିଲେ । ଯାହାଦ୍ୱାରା ଦିନ  ତମାମ୍‌ ରୋଜାରେ ନିଜ ନିଜ କାମ ଓ କର୍ତ୍ତବ୍ୟ  କରିବା ସହିତ ନମାଜ ପାଠ ମଧ୍ୟ ହୋଇଥିଲା ।  ତେବେ ପ୍ରଥମ ଇଫ୍‌ତାରିକୁ ସମସ୍ତେ ଏକାଠି  କରିଥିଲେ । ଏଥିପାଇଁ ଘର ଓ ମସ୍‌ଜିଦ୍‌ମାନଙ୍କରେ  ସ୍ୱତନ୍ତ୍ର ଆୟୋଜନ ହୋଇଥିଲା ।

ଥଣ୍ଡା ପାଇଁ ରୁଅଫ୍‌ଜା ଓ ନଣ୍ଡା ବଗୁଲି 

ପେଟ ଥଣ୍ଡା ରଖିବାକୁ ଲୋକମାନେ ପସନ୍ଦ କରୁଛନ୍ତି ରୁଅଫ୍‌ଜା । ଯାହାକୁ ପାଣିରେ ପକାଇ  ଗୋଳାଇ ପିଇଲେ ପେଟ ଥଣ୍ଡା ରହୁଛି । ଏବେ ଏହି ରୁଅଫ୍‌ଜାରେ ଟିକେ ନଣ୍ଡା ବଗୁଲି  ଭିଜାଇ ରଖିଦେଲେ ଏହାର ସ୍ୱାଦ ଦୁଇଗୁଣା ସହିତ ଦେହ ପାଇଁ ମଧ୍ୟ ବେଶ୍‌ ସ୍ୱାସ୍ଥ୍ୟକର  ହେଉଛି । ତେଣୁ ଦୋକାନରେ ରୁଅଫ୍‌ଜା, ବିଭିନ୍ନ କମ୍ପାନୀର ସ୍କ୍ୱାସ୍‌ ଓ ଫ୍ଲେବର୍‌ର  ସରବତ ମଧ୍ୟ ବିକ୍ରି ହେଉଛି । ଯାହାର ମୂଲ୍ୟ ୭୦ରୁ ୩ ଶହ ଟଙ୍କା ପର୍ଯ୍ୟନ୍ତ ରହିଛି ।

ଦାନ୍ତ ସଫା ରଖିବାକୁ ମିସ୍ୱାକ୍‌ 

ସାଧାରଣତଃ ଏହି ମାସରେ କାଷ୍ଠା ଉପବାସ କରିଥାନ୍ତି । ଏଥିପାଇଁ ଅନେକ ପ୍ରକାରର  ନିୟମ ମଧ୍ୟ ରହିଛି । ଉପବାସ ସମୟରେ କୌଣସି ପ୍ରକାରର ଖାଦ୍ୟ ଖାଇବା ବାରଣ  ରହିଛି । ଏମିତିକି ଦିନବେଳା ବ୍ରସ୍‌ ମଧ୍ୟ କରାଯାଇପାରିବ ନାହିଁ । ଏସବୁ ମଧ୍ୟରେ ପାଟିର  ବାସ୍ନା ସୁଗନ୍ଧ ରଖିବା ସହିତ ଦାନ୍ତ ସଫା ରଖିବା ପାଇଁ ଅଧିକ ମାତ୍ରାରେ ବିଦେଶରୁ ଆସୁଥିବା  ମିସ୍ୱାକ୍‌ କାଠିର ବ୍ୟବହାର କରାଯାଇଥାଏ । ଯାହାର ମୂଲ୍ୟ ୫୦ରୁ ଶହେ ଟଙ୍କା ରହିଛି ।

ଷ୍ଟ୍ରବେରି ପ୍ୟାକେଟ୍‌ ୧୦୦ଟଙ୍କା

ଇଫ୍‌ତାରି ତଥା ରୋଜା ଖୋଲିବା ସମୟରେ ଫଳମୂଳ ଖାଇବାକୁ  ସମସ୍ତେ ପସନ୍ଦ କରିଥାନ୍ତି । ଏଥିପାଇଁ ବିଭିନ୍ନ ଫଳ ମଧ୍ୟରେ  ଷ୍ଟ୍ରବେରି ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି । ଯାହାକୁ ଲୋକଙ୍କ ପାଇଁ  ପ୍ୟାକେଟ୍‌ କରି ବିକ୍ରି କରାଯାଉଛି । ଯେଉଁଥିରେ ୬ରୁ ୭ଟି  ଷ୍ଟ୍ରବେରୀ ଥିଲାବେଳେ ଏହାର ମୂଲ୍ୟ ୧୦୦ ଟଙ୍କା ରହିଛି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.