ଭୁବନେଶ୍ୱର, ୦୩/୦୩: ମହାପ୍ରଭୁ  ଶ୍ରୀଜଗନ୍ନାଥଙ୍କୁ ଅପମାନ । ଜଣେ ବିଦେଶିନୀ  ତାଙ୍କ ଜଂଘରେ ମହାପ୍ରଭୁଙ୍କ ଟାଟୁ ଆଙ୍କିବାକୁ ନେଇ ବିବାଦ ଆରମ୍ଭ ହୋଇଛି । ଏହି ଟାଟୁ ଆଙ୍କିଥିବା ଭୁବନେଶ୍ୱର ରକି ଟାଟୋଜ୍‌ ବିରୋଧରେ ରବିବାର ସହିଦନଗର ଥାନାରେ  ସାମାଜିକ କର୍ମୀଙ୍କ ପକ୍ଷରୁଏତଲା ଦିଆଯାଇଛି ।  ରକି ଟାଟୋଜ୍‌ ଷ୍ଟୁଡିଓର ମାଲିକ ରକି ରଞ୍ଜନ ବିଶୋଇ ଜଗନ୍ନାଥଙ୍କୁ ଅପମାନିତ କରିଥିବାରୁ  ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ  ଦାବି ହୋଇଛି । ଅଭିଯୋଗକୁ ଆଧାର କରି  ପୁଲିସ ତଦନ୍ତ ଆରମ୍ଭ କରିଛି । 

ସହିଦନଗରରେ ଥିବା ରକିଙ୍କ ଷ୍ଟୁଡିଓ ପକ୍ଷରୁ ଜଣେ ବିଦେଶିନୀ ଜଂଘରେ ଜଗନ୍ନାଥ ଟାଟୁ କରାଯାଇଥିବା ନଜରକୁ ଆସିଛି । ତେବେ ଏହାପରେ ଉକ୍ତ ଟାଟୁକୁ ଇନ୍‌ଷ୍ଟାଗ୍ରାମ ଓ ହ୍ୱାଟ୍‌ସଆପ୍‌ରେ ସେୟାର  ମଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି । ଏହା ହିନ୍ଦୁ ଧର୍ମୀୟ ଭାବନାରେ କୁଠାରଘାତ ସହ ଜଗନ୍ନାଥଙ୍କୁ ଅପମାନିତ କରାଯାଇଥିବା  ଅଭିଯୋଗକାରୀ ସାଗର କୁମାର ସାହୁ ଓ  ଅନ୍ୟମାନେ କହିଛନ୍ତି । ଟାଟୁ ଆର୍ଟିଷ୍ଟଙ୍କୁ ଗିରଫ କରିବାକୁ ସାମାଜିକ କର୍ମୀ ବିନ୍ଦୁଜା  ଉପାଧ୍ୟାୟ ଦାବି କରିଛନ୍ତି । 

ଅପରପକ୍ଷରେ  ଏହି ଘଟଣା ଥାନାକୁ ଆସିବା ପରେ ରକି  ରଞ୍ଜନ ସାମ୍ନାକୁ ଆସି ସଫେଇ ଦେଇଛନ୍ତି ।  ଏଥିପାଇଁ ଷ୍ଟୁଡିଓ ଓ ଆର୍ଟିଷ୍ଟ୍‌ଙ୍କ ପକ୍ଷରୁ ରକି  ସମସ୍ତଙ୍କୁ କ୍ଷମା ମାଗିଛନ୍ତି । ଇଟାଲିର ଯୁବତୀ  ଜଣଙ୍କ ଶନିବାର ଷ୍ଟୁଡିଓକୁ ଆସି ଜଂଘରେ ଟାଟୁ  କରିବାକୁ ଅନୁରୋଧ କରିବାରୁ ଜଣେ ଆର୍ଟିଷ୍ଟ୍‌  ତାହା କରିଦେଇଥିଲେ । ଉକ୍ତ ଟାଟୁ କରିଥିବା  ଯୁବତୀଙ୍କୁ ସେ ଯୋଗାଯୋଗ କରିଛନ୍ତି । ବର୍ତ୍ତମାନ  ଉକ୍ତ ଟାଟୁକୁ ଲିଭାଗଲେ ସଂକ୍ରମଣ ହୋଇଯିବାର  ଆଶଙ୍କା ରହିଛି । ଯୁବତୀ ଜଣଙ୍କ ମାସେ ପରେ  ଏଠାକୁ ଆସି ଟାଟୁକୁ ଲିଭାଇବେ କିମ୍ବା ତାହା  ପରିବର୍ତ୍ତେ ସେହି ସ୍ଥାନରେ ଆଉ କିଛି ଆର୍ଟ  କରିବେ ବୋଲି କହିଥିବା ରକି କହିଛନ୍ତି ।