ନୂଆଦିଲ୍ଲୀ ୧୧/୦୧: ଚୀନ୍ର ଏକ କମ୍ପାନିକୁ ସୋସିଆଲ ମିଡିଆରେ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି । ଜଣେ କର୍ମଚାରୀ କମ୍ପାନିର ଅସ୍ୱାଭାବିକ ଟିମ୍-ବିଲ୍ଡିଂ ଗତିବିଧି ସାମ୍ନାକୁ ଆଣିଛନ୍ତି । ସେ କହିଛନ୍ତି, ତାଙ୍କୁ ଓ ଅନ୍ୟ କର୍ମଚାରୀଙ୍କୁ ଆତ୍ମବିଶ୍ୱାସ ବଢ଼ାଇବାକୁ ଏବଂ ନିଜର ଭୟକୁ ସାମ୍ନା କରିବାକୁ ନିଆଁ ଖାଇବାକୁ ପଡୁଛି । ଏହି ଘଟଣା ସୋସିଆଲ ମିଡିଆରେ ଲୋକଙ୍କ ଆକ୍ରୋଶ ବଢ଼ାଇଛି ।
ସାଉଥ୍ ଚୀନ୍ ମର୍ଣ୍ଣିଂ ପୋଷ୍ଟ୍ ଅନୁସାରେ, ସୋସିଆଲ ମିଡିଆ ୟୁଜର ରୋଙ୍ଗରୋଙ୍ଗ୍ ଚୀନ୍ର ସୋସିଆଲ ମିଡିଆ ପ୍ଲାଟ୍ଫର୍ମରେ ଦାବି କରିଛନ୍ତି, କମ୍ପାନି ତାଙ୍କୁ ଓ ଅନ୍ୟ କର୍ମଚାରୀଙ୍କୁ ଜଳନ୍ତା ତୁଳାକୁ ପାଟି ଭିତରେ ରଖିବାକୁ ବାଧ୍ୟ କଲା । ଭୟ ସତ୍ତେ୍ୱ ସେ ଏହା କରିବାକୁ ପ୍ରସ୍ତୁତ ହେଲେ । କାରଣ ଏପରି ନ କଲେ ଚାକିରି ଚାଲିଯିବାର ଭୟ ଥିଲା । ସେ କହିଛନ୍ତି, ଏହି କାର୍ଯ୍ୟ ସମୟରେ ଶ୍ୱାସକ୍ରିୟାରେ ନିୟନ୍ତ୍ରଣ, ପାଟିକୁ ଆର୍ଦ୍ର ରଖିବା ଓ ଠିକ୍ ସମୟରେ ପାଟି ବନ୍ଦ କରିବା ଆବଶ୍ୟକ । ଏହାକୁ କେବଳ ପେସାଦାର ପ୍ରଶିକ୍ଷକ ହିଁ ସୁରକ୍ଷିତ ଭାବେ କରିପାରନ୍ତି । ଏହା କରିବା ପଛରେ କମ୍ପାନିର ଉଦ୍ଦେଶ୍ୟ ଥିଲା, କର୍ମଚାରୀଙ୍କ ଜିତିବାର ଇଚ୍ଛା ଏବଂ ଅର୍ଥ ଉପାର୍ଜନର ସଂକଳ୍ପକୁ ଦେଖାଇବା । ରୋଙ୍ଗରୋଙ୍ଗ୍ ଏହି ଅନୁଭବକୁ ଅପମାନଜନକ କହିଛନ୍ତି ।
ଏକ ରିପୋର୍ଟ ଅନୁସାରେ, ଏହି ଘଟଣା କେବଳ ରୋଙ୍ଗରୋଙ୍ଗ୍ଙ୍କ ମଧ୍ୟରେ ସୀମିତ ରହିନାହିଁ । ପୂର୍ବ ଚୀନ୍ର ଏକ ଟିମ୍-ବିଲ୍ଡିଂ କମ୍ପାନି ‘ରେଂଝୋଙ୍ଗ୍’ ନିଜର କର୍ମଚାରୀଙ୍କୁ ନିଆଁ ଖାଇବାର କୌଶଳ ଶିଖାଉଛି । ତେବେ ଏହି ମାମଲାକୁ ନେଇ ସ୍ଥାନୀୟ ସୋସିଆଲ ମିଡିଆ ପ୍ଲାଟ୍ଫର୍ମରେ ଲୋକେ ଆକ୍ରୋଶ ପ୍ରକଟ କରିଛନ୍ତି ।