ପ୍ରମୂଖ ଖବର
  • ନିମାପଡା : କ୍ରିକେଟ ମ୍ୟାଚ୍ ଖେଳୁଥିବା ବେଳେ ପଡ଼ିଆରେ ଚାଳିଗଲା ଛାତ୍ରଙ୍କ ଜୀବନ
  • ||
  • ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କସରତ: ୪ରେ ବିଧାୟକ ଦଳ ବୈଠକ ପରେ ନାମ ଘୋଷଣା, ୫ରେ ଶପଥ ସମାରୋହ
  • ||
  • ବଲାଙ୍ଗୀର: ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନ ଭିତରକୁ ମାଡିଗଲା ଟ୍ରକ୍, ସିକ୍ୟୁରିଟି ଗାର୍ଡ ମୃତ
  • ||
  • କେରଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, କାର୍-ବସ୍ ମୁହାଁମୁହିଁ ଧକ୍କାରେ ୫ ଡାକ୍ତରୀ ଛାତ୍ରଙ୍କ ଚାଲିଗଲା ଜୀବନ
  • ||
  • ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର, , ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଚଢ଼ାଉ
  • ||
  • ସଂସଦରେ ସମ୍ବିଧାନ ଚର୍ଚ୍ଚା ପାଇଁ ବାଚସ୍ପତିଙ୍କ ସହମତି, ଆଜିଠୁ ସ୍ୱାଭାବିକ ହୋଇପାରେ ଗୃହ
  • ||
  • ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ୪ରେ ନୌସେନା ସମରାଭ୍ୟାସ ଦେଖିବେ, ୫ରେ ଜୁଡିସିଆଲ କମ୍ପେ୍ଲକ୍ସ ଉଦ୍‌ଘାଟନ କରିବେ
  • ||
  • ଚଳିତ ବର୍ଷ ରାଜ୍ୟରେ ଜାଡ଼ କମ୍, ଡିସେମ୍ବରରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ
  • ||

ଲୁପ୍ତ ପ୍ରାୟ ବିରଳ ପ୍ରଜାତିର ଚିଲିକା ମଇଁଷି: ମାନ୍ୟତା ମିଳିଛି, ତଥାପି ଜିଆଇ ଟ୍ୟାଗ୍‌ ପାଇଁ ଆବେଦନ ହେବ

ଭୁବନେଶ୍ୱର,୨୧/୧୧(ଅମନ  ଆୟୁଷ୍ମାନ ଦାସ): ଚିଲିକା ମଇଁଷି ।  ଓଡ଼ିଶାର ଖୋର୍ଦ୍ଧା, ପୁରୀ ଆଦି  ଜିଲ୍ଲାରେ ଦେଖା ଯାଉଥିବା ଅନ୍ୟତମ ବିରଳ ପ୍ରଜାତି । ଏମାନଙ୍କ କ୍ଷୀରରେ  ‘ଓମେଗା-୩-ଫ୍ୟାଟି ଏସିଡ୍‌’  ରହିଛି । ଯାହା ହୃଦରୋଗୀଙ୍କ ପାଇଁ  ସଞ୍ଜୀବନୀ । ଗବେଷକଙ୍କ ଦାବି, ଏହି  ମଇଁଷି ଚିଲିକା ଅଞ୍ଚଳରେ ଲୁଣି ପାଣି ଗୁଳ୍ମ ଖାଉଥିବାରୁ ଏମାନଙ୍କ କ୍ଷୀରରେ କର୍କଟ ନିରୋଧୀ ଶକ୍ତି ରହିଛି । ଯାହା  ଦେଶରେ ଦେଖାଯାଉଥିବା ମଇଁଷିଙ୍କ କ୍ଷୀରରେ ବିରଳ । ହେଲେ ଏହି ମଇଁଷିଙ୍କ ବଂଶବୃଦ୍ଧି ଓ ସଂରକ୍ଷଣ  ପାଇଁ ସରକାରୀସ୍ତରରେ କୌଣସି  ଉଦ୍ୟମ ନାହିଁ ।  

ଏହି ମଇଁଷିଙ୍କ ସଂଖ୍ୟା କ୍ରମଶଃ  ହ୍ରାସ ପାଉଛି । ପ୍ରାୟ ୧୯ବର୍ଷ  ପୂର୍ବେ ଓଡ଼ିଶା କୃଷି ଓ ବୈଷୟିକ  ବିଶ୍ୱବିଦ୍ୟାଳୟ ପକ୍ଷରୁ ଚିଲିକା ମଇଁଷି  ଉପରେ ଗବେଷଣା ହୋଇଥିଲା ।  ସେ ସମୟରେ ଚିଲିକା ଆଖାପଖର  ୩୬ଟି ଗାଁରେ ୬୦ହଜାରରୁ  ଅଧିକ ମଇଁଷି ଥିଲେ । ଏହାପରେ  ଏନବିଏଜେଆର୍‌ର ଗବେଷକମାନେ  ମଧ୍ୟ ଚିଲିକା ଆସି ମଇଁଷି ଉପରେ  ଅନୁସନ୍ଧାନ କରିଥିଲେ । ମଇଁଷିର  କ୍ଷୀରରେ ଔଷଧୀୟ ଗୁଣ ରହିଥିବା  ଗବେଷଣାରୁ ଜଣାପଡ଼ିଛି । ହେଲେ  ଏବେ ଏମାନଙ୍କ ସଂଖ୍ୟା କମି ଆସି  ୩୦ରୁ ୩୫ ହଜାର ରହିଛି । ତେଣୁ  ବେଳ ଥାଉଥାଉ ଏମାନଙ୍କ ସଂରକ୍ଷଣ  କରିବାକୁ ପଡିବ । ଦେଶରେ ମାନ୍ୟତା ପାଇଥିବା  ମଇଁଷିଙ୍କ ଭିତରେ ଦ୍ୱାଦଶ ସ୍ଥାନରେ ରହିଛି ଚିଲିକା ମଇଁଷି ।

ଚିଲିକାର ଆଖପାଖ ଅର୍ଥାତ ବ୍ରହ୍ମଗିରି, ସାତପଡା, କୃଷ୍ଣପ୍ରସାଦ,  ପାରିକୁଦ ଓ ମାଲୁଦ ସମେତ ଖୋର୍ଦ୍ଧାର ଭୁଷଣ୍ଡପୁର ଓ ଟାଙ୍ଗି  ଆଦି ସ୍ଥାନରେ ଏହି ଦେଶୀ ପ୍ରଜାତିର ମଇଁଷି ରହିଛନ୍ତି । ଆସାମ  ଓ ମେଘାଳୟର କିଛି ଅଂଶରେ ଏହି ମଇଁଷି ମଧ୍ୟ ଦେଖାଯାଆନ୍ତି ।  ୨୦୦୫ରେ ଏହି ମଇଁଷଙ୍କ ବିଷୟରେ ଖବର ପାଇଥିଲେ ଓୟୁଏଟିର  ବରିଷ୍ଠ ପ୍ରଫେସର ତଥା ଗବେଷକ ଡ. ସୁଶାନ୍ତ ଦାଶ । ମଇଁଷିର  କ୍ଷୀରରେ ତିଆରି ହେଉଥିବା ଦହି ୭ଦିନ ଧରି ତାଜା ରହୁଥିବା  ସେ ଦେଖିବାକୁ ପାଇଥିଲେ । ମାତ୍ର ଅନ୍ୟ ଦହି ୨ରୁ ୩ ଦିନ  ଭିତରେ ଖଟାଳିଆ ହୋଇଥାଏ । ଏହା ଦେଖି ଶ୍ରୀ ଦାସ ଉକ୍ତ  ମଇଁଷିର ରକ୍ତ ପରୀକ୍ଷା କରିଥିଲେ । ୨୦୦୮ରୁ କ୍ରମାଗତ ଭାବେ  ଶ୍ରୀ ଦାଶ ଏହି ମଇଁଷିଙ୍କ ଉପରେ ଗବେଷଣା ଆରମ୍ଭ କଲେ । ଅନ୍ୟ  ମଇଁଷିମାନେ ଲୁଣି ପାଣିରେ ବଢୁଥିବା ଗୁଳ୍ମ ଖାଇ ପାରନ୍ତିନି ।  ମାତ୍ର ଏହି ମଇଁଷି ହ୍ରଦରେ ବୁଡ଼ି ରହି ଲୁଣିପାଣି ଗୁଳ୍ମ ଖାଇଥାନ୍ତି ।  ୨୦୧୦ରେ ଏହି ମଇଁଷ ଉପରେ ଅଧିକ ଗବେଷଣା କରିବାକୁ  ଏନବିଏଜେଆର୍‌ର ଏକ ଟିମ୍‌ ଚିଲିକାକୁ ଆସିଥିଲା । ଡା. ଦାଶଙ୍କ  ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଟିମ୍‌ ୨୦ଟି ମଇଁଷିଙ୍କ କ୍ଷୀର, ଦହି ଓ  ରକ୍ତ ନମୁନା ସଂଗ୍ରହ କରିଥିଲେ । ବାଉଁଶରେ କ୍ଷୀର ରଖାଯାଇ ଦହି  ତିଆରି ହେଉଥିବାରୁ ଏହାକୁ ‘ବାଉଁଶିଆ ଦହି’ ବୋଲି କୁହାଯାଏ ।  ଶ୍ରୀ ଦାଶଙ୍କ ଦାବି ରହିଛି ମାଣିକ ହାତରୁ ଏହି ଦହି ଖାଇ ମହାପ୍ରଭୁ ଜଗନ୍ନାଥ ଓ ବଡ଼ ଭାଇ ବଳଭଦ୍ର କାଞ୍ଚି ଯୁଦ୍ଧ କରିବାକୁ ଯାଇଥିଲେ ।  ଯାହା ସ୍ଥାନୀୟ ଲୋକକଥାରୁ ଜଣାପଡ଼େ ।  

କ୍ଷୀରରେ ରହିଛି ଓମେଗା-୩ ଫ୍ୟାଟି ଏସିଡ୍‌ 

ଚିଲିକା ମଇଁଷିର କ୍ଷୀର ଅନ୍ୟ ମଇଁଷି ଓ ଗାଈଙ୍କ କ୍ଷୀର ଠାରୁ  ଭିନ୍ନ । କାରଣ ଏହି ମଇଁଷର କ୍ଷୀରରେ ରହିଛି ଓମେଗା-୩ ଫ୍ୟାଟି  ଏସିଡ୍‌ । ଅର୍ଥାତ ୧୦୦ ଚର୍ବି ଅଂଶରେ ୩.୨୫ ଓମେଗା ରହିଛି ।  ଆଇଏମଏସ ଆଣ୍ଡ ସମ୍‌ ହସ୍ପିଟାଲର ଚିକିତ୍ସକ ଡା. ଶ୍ରୀକାନ୍ତ ଧର  କହିଛନ୍ତି, ଏମାନଙ୍କ କ୍ଷୀରରେ କର୍କଟ(କ୍ୟାନ୍ସର) ରୋଗ ପ୍ରତିକାର  ଶକ୍ତି ରହିଛି । ଏହା ଉପରେ ଅଧିକ ଗବେଷଣା ଚାଲିଛି । ତେବେ  ଓମେଗା-୩ ଫ୍ୟାଟି ଏସିଡ୍‌ଟି ହୃଦରୋଗୀଙ୍କ ପାଇଁ ଉପକାରୀ ଅଟେ ।  ପ୍ରଫେସର ଡା. ଦାଶ କହିଛନ୍ତି, ସ୍ୱାମ୍ପ୍‌ ବଫାଲୋ ବା ଚିଲିକା ମଇଁଷିର  ସଂରକ୍ଷଣ ହେଉ । ଏମାନେ ଆମ ଓଡିଶା ପାଇଁ ଏକ ବରଦାନ ।  ପୂର୍ବରୁ ଆମେ ଏନେଇ ସରକାରଙ୍କୁ ଅବଗତ କରିଛୁ । ଏବେ ଜିଆଇ  ଟ୍ୟାଗ ପାଇଁ କେନ୍ଦ୍ରକୁ ଆବେଦନ କରିବୁ । ଏଥିସହ ସରକାରଙ୍କୁ  କହିଛୁ, ଏମାନଙ୍କ କ୍ଷୀରର ଗୁଣବତ୍ତା ଦେଖି ଦର ବଢ଼ାଯାଉ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.