ଜୟପୁର, ୦୩/୧୨ : ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ ଘଟଣା। ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କର ରହିଛି ମାଳମାଳ ପ୍ଲଟ୍। ଭୁବନେଶ୍ଵର, ଜୟପୁର, ବ୍ରହ୍ମପୁର ଏବଂ ଜଗନ୍ନାଥପ୍ରସାଦରେ ରହିଛି ୧୮ଟି ପ୍ଲଟ୍। ଏଥିରୁ ଭୁବନେଶ୍ଵର, ଜୟପୁର ଏବଂ ବ୍ରହ୍ମପୁର ଟାଉନ୍ରେ ୬ଟି ପ୍ଲଟ୍ ରହିଛି। ଗଞ୍ଜାମ ଜଗନ୍ନାଥପ୍ରସାଦରେ ୧୦ଟି ପ୍ଲଟ୍ ରହିଛି। ବିଶ୍ବନାଥଙ୍କ ଘରେ ଚଢାଉ ବେଳେ ୮୫୦ ଗ୍ରାମର ସୁନା, ବିଭିନ୍ନ ବ୍ୟାଙ୍କ ଡିପୋଜିଟ୍ ଜବତ ହୋଇଛି।
ସୂଚନାନୁଯାୟୀ, ବିଶ୍ବନାଥ ପାତ୍ରଙ୍କର ଭୁବନେଶ୍ଵର ଗୋଠପାଟଣାରେ ୫ଟି ପ୍ଲଟ୍, ଗଙ୍ଗପାଟଣାରେ ଗୋଟିଏ ପ୍ଲଟ୍, ଜୟପୁର ଟାଉନରେ ଗୋଟିଏ ପ୍ଲଟ୍, ଜଗଦଲପୁରରେ ଗୋଟିଏ ପ୍ଲଟ୍, ଏବଂ ଜଗନ୍ନାଥପ୍ରସାଦରେ ୧୦ଟି ପ୍ଲଟ୍ ରହିଛି। ଏତଦ୍ ବ୍ୟତୀତ ଜୟପୁର ଟାଉନରେ ଏକ ତିନି ମହଲା ଘର, ବେଲଗୁଣ୍ଠାରେ ଏକ ଦୁଇ ମହଲା ଘର ରହିଛି। ଭିଜିଲାନ୍ସ ଚଢାଉ ଜାରି ରଖିଛି। ଆଗକୁ ବିଶ୍ଵନାଥଙ୍କ ସମ୍ପତ୍ତି ତାଲିକା ଲମ୍ବିପାରେ ବୋଲି ଅନୁମାନ କରାଯାଉଛି।
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ବିଶ୍ଵନାଥଙ୍କ ଭଡ଼ାଘର ସମେତ ବିଭିନ୍ନ ସ୍ଥାନରେ ରେଡ୍ କରାଯାଉଛି। ଏହି ଚଢାଉରେ ଜଣେ ଅତିରିକ୍ତ ଏସପି, ୨ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୬ ଜଣ ଏଏସଆଇ ଏବଂ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି। ଗଞ୍ଜାମ ଏବଂ ଭୁବନେଶ୍ଵରର ୬ଟି ସ୍ଥାନରେ ରେଡ୍ ଚାଲିଛି।