ପୁରୀ, ୦୪/୧୨ : ନୌସେନା ଦିବସରେ କୌଣସି ପ୍ରକାର ବିଶୃଙ୍ଖଳା ନହେବା ନିମନ୍ତେ ପୁରୀ ସହରରେ ସ୍ୱତନ୍ତ୍ର ସୁରକ୍ଷା ବଳୟ ତିଆରି କରିଛି ପୁଲିସ ପ୍ରଶାସନ । ଏହି ଦିବସ ଅବସରରେ ପୁରୀ ସମୁଦ୍ର ଓ ବେଳାଭୂମିରେ ପ୍ରାୟ ୪ ଟ୍ୟାଙ୍କ, ୧୫ଟି ଯୁଦ୍ଧ ଜାହାଜ, ୩୦ଟି ଯୁଦ୍ଧ ହେଲିକ୍ୟାପ୍ଟର, ୫ଟି ଯୁଦ୍ଧ ବିମାନ, ୫ଟି ଯୁଦ୍ଧ ଜେଟ୍ ନୌସେନା ଦିବସରେ ସେମାନଙ୍କ କୁଶଳତା ପରିଦର୍ଶନ କରିବେ । ଶତ୍ରୁସେନାକୁ ପରାଜିତ କରିବାର ଅଦମ୍ୟ ଶକ୍ତି ସମ୍ପର୍କରେ ମଧ୍ୟ ସାଧାରଣ ଲୋକେ ଏହି ଯୁଦ୍ଧ ପ୍ରଦର୍ଶନୀକୁ ଦେଖିପାରିବେ । ପୁରୀର ପେଣ୍ଠକଟାଠାରୁ ମଙ୍ଗଳା ମୁହାଁଣ ପର୍ଯ୍ୟନ୍ତ ସାଧାରଣ ଲୋକେ ଶୃଙ୍ଖଳିତ ଭାବେ ପହଞ୍ଚି ନୌସେନାର ଏହି ଯୁଦ୍ଧ କୌଶଳ ଦେଖିବାକୁ ବ୍ୟବସ୍ଥା ହୋଇଛି । ପୁରୀର ଜଳଗହଳି ସମ୍ପନ୍ନ ବେଳାଭୂମିରୁ ସମସ୍ତ ଉଠା ଦୋକାନ ହଟାଯାଇଛି। ଏଠାରେ ସାଧାରଣ ଲୋକେ ନୌସେନା ଦିବସର ଯୁଦ୍ଧ କୌଶଳ ଦେଖିବେ ।
ପେଣ୍ଠକଟାଠାରୁ ଷ୍ଟଲିନ୍ ପର୍ଯ୍ୟନ୍ତ ୪୦ଟି ଗେଟ୍ କରାଯାଇଛି । ମାଦକ ଦ୍ରବ୍ୟ, ବହନୀୟ ଦ୍ରବ୍ୟ, ଆତସବାଜି ଦ୍ରବ୍ୟ ନେଇ ଶୋ’ ଦେଖିବାକୁ ଯିବା ବାରଣ ହୋଇଛି । ପୂରା ସମୁଦ୍ରକୂଳ ଅଞ୍ଚଳକୁ ସିସିଟିଭି ନଜରରେ ରଖାଯାଇଛି । ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ପୁଲିସ ପକ୍ଷରୁ ୮୫ ପ୍ଲାଟୁନ୍ ଫୋର୍ସ, ୩୦୦ ଅଫିସର ମୁତୟନ କରାଯାଇଛି । ସେହିପରି ସାଧାରଣ ପ୍ରଶାସନ ପକ୍ଷରୁ ୮୬ ଜଣ ମାଜିଷ୍ଟ୍ରେଟ, ୨୨ ଜଣ ବରିଷ୍ଠ ବରିଷ୍ଠ ଅଧିକାରୀଙ୍କୁ ପୁରୀର ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି । ମଙ୍ଗଳାଘାଟ ଦେଇ ସମୁଦ୍ରକୂଳକୁ ପ୍ରବେଶ କରୁଥିବା ଲୋକେ ଷ୍ଟଲିନ୍ ଛକ ନିକଟରେ ଗାଡ଼ିମୋଟର ପାର୍କିଂ କରି ନୌସେନାର ଯୁଦ୍ଧ କୌଶଳ ଦେଖିବାକୁ ଯାଇପାରିବେ । କୋଣାର୍କ ପାଶ୍ୱର୍ରୁ ଆସୁଥିବା ଲୋକେ ତାଳବଣିଆ ଗ୍ରାଉଣ୍ଡରେ ଗାଡି ରଖି ସିଟିରୋଡ ବାଟେ ସମୁଦ୍ରକୂଳେ ଶୋ’ ଦେଖିବାକୁ ପହଞ୍ଚିବେ । ସିଟିରୋଡରୁ ଷ୍ଟଲିନ୍ ପର୍ଯ୍ୟନ୍ତ କେବଳ ଡ୍ୟୁଟିରେ ଥିବା ଗାଡ଼ି ଓ ଜରୁରୀ ପରିବହନ ଯାନଗୁଡ଼ିକ ଦିନ ୧୨ଟା ପରେ ଛଡ଼ା ଯିବ । ସୁଭାଷ ବୋଷ ଛକରୁ ଆଚାର୍ଯ୍ୟ ହରିହର ଛକ ପର୍ଯ୍ୟନ୍ତ ରାସ୍ତାକୁ ଆବଶ୍ୟକ ସ୍ଥଳେ ନୋ ଭୋଇକିଲ ଜୋନ୍ ଆଦେଶ ବଳବତ୍ତର କରାଯିବ । ଏହି ସମୟରେ ଆଚାର୍ଯ୍ୟ ହରିହର ଛକରୁ ଲୋକେ ପିକେଡିଏ ଛକ ଦେଇ ଯାତାୟାତ କରିବେ ।