ମାଲକାନଗିରି, ୪/୧୨(ଆପ୍ର ) : ଦୀର୍ଘ ଦିନର ନୀରବତା ପରେ ପୁଣି ଉଠିଛି ପୋଲାଭରମ ଝଡ଼। ଆନ୍ଧ୍ର ସରକାରଙ୍କ ଏହି ପ୍ରକଳ୍ପ ହେଲେ ମାଲକାନଗିରି ଜିଲ୍ଲାର ବ୍ୟାପକ କ୍ଷୟକ୍ଷତି ହେବା ସହିତ ମୋଟୁ ତହସିଲ ଅଞ୍ଚଳର ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଗାଁ ଜଳରେ ଲୀନ ହେବାର ସମ୍ଭାବନା ରହିଛି। ଏହି ପ୍ରକଳ୍ପ ପାଇଁ ମାଲକାନଗିରି ଜିଲ୍ଲାରେ ବିପଦ ରହିଛି ବୋଲି ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ମାନସ ମାଡକାମି ଓ ରାଜ୍ୟ ବିଜେଡି ପ୍ରତିନିଧି ଦଳ ଦିଲ୍ଲୀ ଯାଇ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀଙ୍କୁ ଭେଟିଛନ୍ତି।
ରାଜ୍ୟ ବିଜେଡି ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ନବରଙ୍ଗପୁର ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ଅନ୍ୟମାନେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି ଆର ପାଟିଲ, ଜଙ୍ଗଲ ପରିବେଶ ମନ୍ତ୍ରୀ, ସଚିବ, ଆଦିବାସୀ କଲ୍ୟାଣ ମନ୍ତ୍ରୀ ପ୍ରମୁଖଙ୍କୁ ଭେଟି ପ୍ରକଳ୍ପ ଦ୍ୱାରା କ୍ଷତି ହେଉଥିବା ବିବରଣୀ ପ୍ରଦାନ କରିଛନ୍ତି।
ବିଜେଡି ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପ୍ରଥମେ ମାଲକାନଗିରି ଓ ପରେ ପ୍ରକଳ୍ପ ଅଞ୍ଚଳକୁ ଏକ ତଥ୍ୟ ଅନୁସନ୍ଧାନକାରୀ ଟିମ୍ ପଠାଇଥିଲେ । ମୋଟୁ ଓ ପଡିଆ ଅଞ୍ଚଳର ପ୍ରାୟ ୨୦୦ରୁ ଅଧିକ ଗାଁ ଓ ପଡ଼ା ଗ୍ରାମ କ୍ଷତିଗ୍ରସ୍ତ ହେବେ ବୋଲି ଆଶଙ୍କା କରାଯାଉଛି । କେନ୍ଦ୍ର ଜଳ ସେଚନ ମନ୍ତ୍ରୀ,କେନ୍ଦ୍ରୀୟ ଜଳ କମିଶନ(ସିଡବ୍ଲୁସି) ସମେତ ପ୍ରକଳ୍ପ ସମ୍ବନ୍ଧୀୟ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟି ବିଜେଡିର ୭ ରାଜ୍ୟସଭା ସାଂସଦଙ୍କ ସମେତ ୧୪ଜଣ ବରିଷ୍ଠ ବିଜେଡି ନେତା ଆଲୋଚନା କରିଥିବାର ମାଲକାନଗିରି ପୂର୍ବତନ ବିଧାୟକ ମାନସ ମାଡକାମି ସୂଚନା ଦେଇଛନ୍ତି।