ଭୁବନେଶ୍ବର,୦୩/୧୨: ରାଜ୍ୟସଭା ଉପନିର୍ବାଚନ ନେଇ ବିଜ୍ଞପ୍ତି ବାହାରିଛି । ବିଧାନସଭାରେ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଓଡିଶାରୁ କିଏ ଯିବ ରାଜ୍ୟସଭା ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ମମତା ମହନ୍ତଙ୍କ ପର୍ମୁଲାରେ ସୁଜିତ କୁମାରଙ୍କୁ ରାଜ୍ୟସଭାକୁ ପଠାଯାଇପାରେ । ରାଜ୍ୟସଭା ଉପନିର୍ବାଚନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବଡ ବୟାନ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ।
ରିପିଟ ହେବ କି ମମତା ମହନ୍ତଙ୍କ ଫର୍ମୁଲା । ଏହା ଉପରେ ବଡ ବୟାନ ଦେଇ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ କହିଛନ୍ତି, ଯେହେତୁ ଏହା ପୂର୍ଣ୍ଣାଙ୍ଗ କାର୍ଯ୍ୟକାଳ ନୁହେଁ ତେଣୁ ମମତା ମହନ୍ତଙ୍କ ଭଳି ସୁଜିତ କୁମାର ହିଁ ରାଜ୍ୟସଭାକୁ ଯିବେ ବୋଲି ଜଣାପଡୁଛି । ଆଲୋଚନା ତ ଅନେକ ହେବ କିନ୍ତୁ ପାର୍ଟିର ସଂସଦୀୟ ନିଷ୍ପତ୍ତି ସର୍ବୋପରି ଓ ସର୍ବମାନ୍ୟ ।
ଆଜି ରାଜ୍ୟସଭା ଉପନିର୍ବାଚନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଡିସେମ୍ବର ୧୦ ତାରିଖ ନାମାଙ୍କନର ଶେଷ ତାରିଖ । ୧୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ୧୩ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ । ଡିସେମ୍ବର ୨୦ ତାରିଖରେ ଭୋଟ୍ ଗ୍ରହଣ ହେବ । ଉକ୍ତି ଦିନ ହିଁ ଫଳାଫଳ ପ୍ରକାଶ ପାଇବ । ରାଜ୍ୟସଭାରୁ ସାଂସଦ ସୁଜିତ କୁମାରଙ୍କ ଇସ୍ତଫା ପରେ ଉପନିର୍ବାଚନ ହେବ । ମମତା ମହନ୍ତଙ୍କ ପର୍ମୁଲା ରିପିଟ ହୋଇପାରେ ବୋଲି ଆକଳନ କରାଯାଉଛି । ସୁଜିତ କୁମାର ରାଜ୍ୟସଭା ଯାଉଛନ୍ତି ମାତ୍ର ଚିହ୍ନ ବଦଳିବ ବୋଲି ଅନୁମାନ କରାଯାଉଛି ।
ଓଡିଶା ସମେତ ୪ ରାଜ୍ୟରେ ଖାଲି ପଡିଥିବା ପଦବୀରେ ନିର୍ବାଚନ ହେବାକୁ ଯାଉଛି । ସୁଜିତ କୁମାରଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରହିଥିଲା । ମାତ୍ର ଏହା ପୂର୍ବରୁ ସେ ଇସ୍ତଫା ଦେଇଥିଲେ । ପରବର୍ତ୍ତୀ ସମୟରେ ବିଜେପିରେ ଯୋଗ ଦେଇଥିଲେ ।