ଭୁବନେଶ୍ୱର, ୦୪/୧୨ : ଘର ଭଡ଼ାକୁ କେନ୍ଦ୍ର କରି ହଷ୍ଟେଲ ମାଲିକ ଓ ଭଡ଼ାଟିଆ ଯୁବତୀଙ୍କ ଭିତରେ ତୁମୁଳକାଣ୍ଡ ଘଟିଛି । ହଷ୍ଟେଲ ମାଲିକ ଓ ତାଙ୍କର ୨ ପୁଅ ମିଶି ୨ଜଣ ଯୁବତୀଙ୍କୁ ନିର୍ଘାତ ମାଡ଼ ମାରିଛନ୍ତି । ଉଭୟଙ୍କୁ କାଠ ଫାଳିଆ ଓ ଟାୟାରରେ ପିଟିଛନ୍ତି । ଅନ୍ୟ ଜଣେ ଯୁବତୀଙ୍କ ଚୁଟି ଘୋଷାଡି଼ବା ସହ ମୋବାଇଲ୍ ଫୋନ ଫୋଫାଡି଼ଛନ୍ତି । ଖାରବେଳନଗର ଅଞ୍ଚଳରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ।
ୟୁନିଟ୍-୩ ଖାରବେଳନଗର ପ୍ଲଟ୍ ନଂ ୨୨ରେ ‘ଲକ୍ଷ୍ମୀ ନିବାସ’ ନାମକ ୩ ମହଲା ବିଶିଷ୍ଟ ଲେଡିଜ୍ ହଷ୍ଟେଲ ରହିଛି । ପ୍ରଫୁଲ ଚନ୍ଦ୍ର ପ୍ରଧାନ ହେଉଛନ୍ତି ଲେଡିଜ୍ ହଷ୍ଟେଲର ମାଲିକ । ତାଙ୍କର ୨ ପୁଅ । ଜଣେ ସିପୁନ ଓ ଅନ୍ୟଜଣେ ବବୁଲ । ଉକ୍ତ ହଷ୍ଟେଲରେ ମୋଟ ୪୫ଜଣ ଯୁବତୀ ଭଡ଼ାସୂତ୍ରରେ ରହୁଛନ୍ତି । ଘର ମାଲିକ ମଧ୍ୟ ସପରିବାରେ ଦ୍ୱିତୀୟ ମହଲାରେ ରହୁଛନ୍ତି । କେନ୍ଦ୍ରାପଡ଼ା ନିକିରାଇ ଥାନା ଅଧୀନ ଇନ୍ଦୁପୁର ଅଞ୍ଚଳର ରଶ୍ମିତା ପୃଷ୍ଟି (ଲିପି) ନାମକ ଜଣେ ଅନ୍ତେବାସୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଅଭିଯୋଗ ମୁତାବକ, ମଙ୍ଗଳବାର ସକାଳୁ ମାମା ନାମକ ଜଣେ ଯୁବତୀଙ୍କୁ ସିପୁନ ଓ ବବୁଲ ମାର୍ଧର୍ କରୁଥିଲେ । ପୂର୍ଣ୍ଣଚନ୍ଦ୍ର ଓ ଅନ୍ୟ ପରିବାର ଲୋକେ ସିଡି଼ରେ ଛିଡ଼ା ହୋଇ ଏହା ଦେଖୁଥିଲେ । ମାମାଙ୍କ ଚିତ୍କାର ଶୁଣି ଲିପି ଓ ଅନ୍ୟ ଯୁବତୀମାନେ ନିଦରୁ ଉଠି ଘଟଣାସ୍ଥଳକୁ ଧାଇଁଗଲେ । ଉଭୟଙ୍କ କବଳରୁ ଯୁବତୀମାନେ ମାମାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କଲେ । ରୋଜା ନାମକ ଅନ୍ୟଜଣେ ଯୁବତୀ ମୋବାଇଲ୍ରେ ସୁଟିଂ କରିବାକୁ ଲାଗିଲା । କିନ୍ତୁ ସିପୁନ ଓ ବବୁଲ ରାଗିଯାଇ ଉକ୍ତ ଯୁବତୀଙ୍କ ଉପରେ ଝାମ୍ପି ପଡି଼ଥିଲେ । ୨ ପୁଅ ରୋଜାଙ୍କ ଚୁଟି ଘୋଷାଡି଼ ତାଙ୍କ ମୋବାଇଲ୍କୁ ଫିଙ୍ଗି ଦେଇଥିଲେ । ଲିପିଙ୍କୁ ଠେଲାପେଲା କରିବା ସହ ନିର୍ଘାତ ମାଡ଼ ମାରିଥିଲେ । ଏକ ସ୍କୁଟି ଟାୟାରରେ ବାରମ୍ବାର ପିଟି ଚାଲିଲେ । ଏକ କାଠ ଫାଳିଆ ଧରି ଲିପିଙ୍କ ମୁଣ୍ଡକୁ ମାରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଅନ୍ୟ ଯୁବତୀମାନେ ଘେରିଯିବାରୁ ଲିପି ବର୍ତ୍ତି ଯାଇଥିଲେ । ଉକ୍ତ ସ୍ଥାନରେ ପାଖାପାଖି ଅଧ ଘଣ୍ଟାଏ ଏଭଳି ହଙ୍ଗାମା ଚାଲିଥିଲା । ଏସବୁର ଦୃଶ୍ୟ ହଷ୍ଟେଲର ସିସି କ୍ୟାମେରା କଏଦ୍ ହୋଇଛି । ହଷ୍ଟେଲର ଅନ୍ୟ ଯୁବତୀମାନେ ମଧ୍ୟ ମୋବାଇଲ୍ରେ ଆକ୍ରମଣର ଏକାଧିକ ଭିଡିଓ ଉତ୍ତୋଳନ କରିଛନ୍ତି ।
ଅଭିଯୋଗକ୍ରମେ ପୁଲିସ ଲକ୍ଷ୍ମୀ ନିବାସକୁ ଯାଇ ଉକ୍ତ ହଷ୍ଟେଲ ସିସି କ୍ୟାମେରା ଫୁଟେଜ ଯାଞ୍ଚ କରିଛି । ପୁଲିସ କହିବା ମୁତାବକ, ଜଣେ ଯୁବତୀ ୨ ବର୍ଷ ଧରି ହଷ୍ଟେଲର ଏକ ରୁମ୍ ମାଡି଼ ବସିଛନ୍ତି । ଅନ୍ୟଜଣେ ଯୁବତୀ ୪ ମାସ ଧରି ଘର ଭଡ଼ା ଦେଇ ନାହାନ୍ତି । ଏହି ବାବଦରେ ହଷ୍ଟେଲ ମାଲିକ ପୂର୍ବରୁ ଥାନାର ଦ୍ୱାରସ୍ଥ ହୋଇଥିଲେ । ସମ୍ପୃକ୍ତ ଯୁବତୀମାନଙ୍କୁ ନୋଟିସ୍ କରିବାକୁ କୁହାଯାଇଥିଲା । ଆଜିର ଅଭିଯୋଗ ମୁତାବକ, ସିପୁନ ଓ ବବୁଲଙ୍କୁ ଥାନାରେ ଅଟକ ରଖାଯାଇଛି । ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ କରାଯାଇଛି ।