ଭୁବନେଶ୍ୱର, ୦୪/୧୨ : ରାଜଧାନୀ ଛାତି ଉପରେ ଜମି ଅମୂଲ ମୂଲ। ଏକ ବର୍ଗଫୁଟ ଜମିର ଦାମ୍ ୪ରୁ ୮ ହଜାର ଟଙ୍କା ଯାଏ ଯାଉଛି। କିନ୍ତୁ ସରକାରୀ ଜମିରୁ ୪୯୬.୦୪୫ ଏକର ଜମି ଜବରଦଖଲକାରୀ ହଡ଼ପ କରିଛନ୍ତି । ମାସେ କି ଦୁଇ ମାସ ନୁହେଁ, ବର୍ଷ ବର୍ଷ ଧରି କବଜାରେ ରଖିଛନ୍ତି । ସରକାର ମାମଲା କରିଦେଇ ଶୋଇଛନ୍ତି । ନା ଏହି ଜବରଦଖଲ ଜମିରୁ ଉଚ୍ଛେଦ ହେଉଛି, ନା ଜମି ଫେରୁଛି । ସବୁଠୁ ବଡ଼ କଥା ହେଲା ସରକାର କାଗଜପତ୍ରରେ ଜବରଦଖଲ ହଟାଇ, ଯେତିକି ଜମି ଜବରଦଖଲମୁକ୍ତ କରାଗଲା କହୁଛନ୍ତି, ବାସ୍ତବରେ ସେହି ଜମି ତା ପରଦିନ ଜବରଦଖଲ ହୋଇଯାଉଛି।
ବିଧାନସଭାରୁ ମିଳିବା ତଥ୍ୟ ମୁତାବକ, ରାଜଧାନୀରେ ମୋଟ୍ ୨୪୯୯୦ ଡିସିମିଲ ସରକାରୀ ଜମି ସାଧାରଣ ପ୍ରଶାସନ ବିଭାଗ ଅଧିନରେ ରହିଛି । ଏହି ଜମିରୁ ବର୍ତ୍ତମାନ ପ୍ରାୟ ୪୯୬.୦୪୫ ଏକର ଜମି ଜବରଦଖଲକାରୀ ମାଡ଼ି ବସିଛନ୍ତି। ଭୁବନେଶ୍ୱରରେ ୫୭ଟି ସ୍ଥାନରେ ଏହି ସରକାରୀ ଜମି ଜବରଦଖଲରେ ରହିଛି । ସେଥିମଧ୍ୟରେ ସର୍ବାଧିକ ଜୟଦେବ ବିହାରରେ ୧୪୮.୮୪୪ ଏକର ରହିଛି । ଏହା ସହ ଚନ୍ଦ୍ରଶେଖପୁରରେ ୩୩.୪୧୫ ଏକର, ଗାଡ଼କଣରେ ୩୧ ଏକର, ପଟିଆରେ ୨୮ ଏକର, ଡୁମୁଡୁମାରେ ୧୭, ବରମୁଣ୍ଡାରେ ୨୪, ନୂଆପଲ୍ଲୀ ନୀଳକଣ୍ଠ ନଗରରେ ୧୨.୦୯୭ ଏକର, କପିଳ ପ୍ରସାଦରେ ୨୨.୨୯୧ ଏକର, ବିଜେବି ନଗରରେ ୧୦ ଏକର, ପାଣ୍ଡରାରେ ୯.୭୭୮ ଏକର, ଲକ୍ଷ୍ମୀସାଗରରେ ୮.୦୧୩, ଭୀମପୁରରେ ୧୮.୫୦୫ ଏକର ଜମି ଜବରଦଖଲ ହୋଇ ରହିଛି ।
ବିଧାନସଭାରେ ମୁଖ୍ୟମନ୍ତ୍ରୀ ରଖିଥିବା ତଥ୍ୟ ମୁତାବକ, ଓପିପି ଆକ୍ଟରେ ମୋଟ ୧୦୯୬୧ଟି ମାମଲା ରୁଜୁ କରାଯାଇଛି । ଏହା ସହ ହାଇକୋର୍ଟ ଓ ସିଭିଲ କୋର୍ଟରେ ମଧ୍ୟ ମାମଲା ବିଚାରାଧୀନ ରହିଛି । ଏହା ସହ ୫୪ଟି ମାମଲା ଇଷ୍ଟେଟ୍ କୋର୍ଟରେ ବିଚାରାଧୀନ ରହିଛି । ମାମଲା ଫୈସଲା ହେବା ପରେ ସେଣ୍ଟ୍ରାଲ ଏନ୍ଫୋର୍ସମେଣ୍ଟ ମନିଟରିଂ କମିଟି (ସିଇଏମ୍ସି), ବିଡିଏ ମାଧ୍ୟମରେ ଜବରଦଖଲ ଉଚ୍ଛେଦ କରାଯାଉଛି । ଜବରଦଖଲ ଉଚ୍ଛେଦ ପରେ ନିର୍ଦ୍ଧାରତି ନାମଫଳକ ଲଗାଯାଇ ଉକ୍ତ ଜମି ଉପରେ ପାଚେରୀ ନିର୍ମାଣ କରାଯାଉଛି । ପ୍ରଶ୍ନ ଉଠିଛି ଯେ ବର୍ଷ ବର୍ଷ ଧରି ସରକାରୀ ଜମି ମାଡ଼ି ବସିଥିଲେ ମଧ୍ୟ ସେମାନଙ୍କ ଉପରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯାଉନି । ନା ଜାଣି ଶୁଣି ମୂଲ୍ୟବାନ ସରକାରୀ ଜମିକୁ ପ୍ରଭାବଶାଳୀଙ୍କୁ ଟେକି ଦେଇଛନ୍ତି ।
ଧର୍ମାନୁଷ୍ଠାନ ନାଁରେ ଲୋକେ ଜାଗା ମାଡ଼ି ବସୁଛନ୍ତି । ଜବରଦଖଲ ଜମିରେ କେହି କେହି ମାର୍କେଟ କମ୍ପେ୍ଳକ୍ସ, ନର୍ସରୀ ବି କରିଛନ୍ତି । ଜିଏ, ବିଡିଏ ଓ ବିଏମ୍ସି ଚୁପ ବସିଛନ୍ତି । ଜାଗା ମିଶନର ନାଁରେ ଶହ ଶହ ଏକର ଜମି ବସ୍ତିବାସିନ୍ଦାଙ୍କ ହାତକୁ ଟେକି ଦେଲେ । ପୂର୍ବ ସରକାର ମଧ୍ୟ ଭୂମି ଅଧିକାର ପ୍ରମାଣ ପତ୍ର ଜରିଆରେ ଏହି ସବୁ ଜାଗାକୁ ବସ୍ତି ବାସିନ୍ଦାଙ୍କ ହାତକୁ ଟେକିଦେଇଛନ୍ତି । ସରକାରୀ ଜମିକୁ ଜବରଦଖଲ କରିଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଚେତାବନୀ ଦେଇଥିଲେ । ଖାଲି ଏତିକି ନୁହେଁ, ଏହି ଜମି ଉପରେ ଘର ନିର୍ମାଣ କରିଥିଲେ ବୁଲ୍ଡୋଜର ଚଳାଇବାକୁ ଚେତାବନୀ ଦେଇଥିଲେ । ହେଲେ ଏହି ସବୁ ଜମି ଉପରେ କେବେ ବୁଲ ଡୋଜର ଚାଲିବ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।