ଭୁବନେଶ୍ୱର,୧୯/୦୩: ୫୭ ନମ୍ୱର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ୍ ସହ ପିଟିହେଲା କାର୍ । ଦୁର୍ଘଟଣାରେ କାର୍ରେ ଯାଉଥିବା ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବସ୍ରେ ଥିବା ୨ ଯାତ୍ରୀ ଆହତ ହୋଇଛନ୍ତି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ସେମାନେ ଦମ୍ପତ୍ତି ହୋଇଥିବା ଅନୁମାନ କରାଯାଉଛି । ଖୋର୍ଦ୍ଧା ଜିଲ୍ଲା ୫୭ ନମ୍ୱର ଜାତୀୟ ରାଜପଥ ଟିକାତାଳ ଆଦର୍ଶ ବିଦ୍ୟାଳୟ ନିକଟରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ଏକ ମାରୁତି ସିଲେରିଓ କାର୍ ନୟାଗଡରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ବିଶାଖା ନାମକ ବସ୍ ଆସିଥିଲା । ୫୭ ନମ୍ୱର ଜାତୀୟ ରାଜପଥ ଟିକାତାଳ ଆଦର୍ଶ ବିଦ୍ୟାଳୟ ନିକଟରେ ଉକ୍ତ କାର୍ ସହ ବସ୍ଟି ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ କାର୍ରେ ଯାତ୍ରା କରୁଥିବା ୨ ଜଣ ପ୍ରାଣ ହରାଇଥିଲେ ଏବଂ ବସ୍ରେ ଥିବା ୨ ଜଣ ଯାତ୍ରୀ ଆହତ ହୋଇଥିଲେ । ଏହା ଦେଖି ଘଟଣା ସ୍ଥଳରୁ ବସ୍ ଡ୍ରାଇଭର ଫେରାର ହୋଇଯାଇଥିଲା । ଦୁର୍ଘଟଣା ହୋଇଥିବା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ବେଗୁନିଆ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚିଛି । ସେଠାରେ ପହଞ୍ଚି କାର୍ରୁ ମୃତଦେହ ଦ୍ୱୟ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଏହା ସହ ଘଟଣାର ତଦନ୍ତ କରୁଛି ବେଗୁନିଆ ପୋଲିସ ।