ଟାଙ୍ଗୀ,୧୬/୦୧: ଚିଲିକାରେ ଆରମ୍ଭ ହେବ ପକ୍ଷୀ ଓ ଡଲଫିନ୍ ଗଣନା । ପ୍ରତିବର୍ଷ ଭଳି ଚଳିତ ବର୍ଷ ଚିଲିକାକୁ କେତେ ସଂଖ୍ୟକ ଦେଶୀ-ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି, ତାହାର ଟିକ୍-ନିଖ୍ ହିସାବ କରିବ ଚିଲିକା ବନ୍ୟପ୍ରାଣୀ ବିଭାଗ । ଆସନ୍ତାକାଲି ଅର୍ଥାତ ଜାନୁଆରୀ ୧୭ ତାରିଖରେ ପକ୍ଷୀ ଗଣନା ପାଇଁ ଟ୍ରେନିଂ ଦିଆଯିବ । ଏହା ପରେ ଜାନୁଆରୀ ୧୮ ତାରିଖରେ ହେବ ପକ୍ଷୀ ଗଣନା । ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅଧିନରେ ଥିବା ୫ ଟି ରେଞ୍ଜ ଇଲାକାରେ ଗୋଟିଏ ଦିନରେ ପକ୍ଷୀ ଗଣନା କାର୍ଯ୍ୟ ସମାପ୍ତ ହେବ ।
ଏହାର ପର ଦିନ ଅର୍ଥାତ ଜାନୁଆରୀ ୧୯ ତାରିଖରେ ଡଲଫିନ୍ ଗଣନା ପାଇଁ ଟ୍ରେନିଂ ଦିଆଯିବ । ଟ୍ରେନିଂ ପରେ ଜାନୁଆରୀ ୨୦,୨୧ ଏବଂ ୨୨ ତାରିଖ ଅର୍ଥାତ ୩ ଦିନ ଧରି ଡଲଫିନ୍ ଗଣନା କରାଯିବ । ଚିଲିକାରେ କେତେ ସଂଖ୍ୟକ ଡଲଫିନ୍ ଅଛନ୍ତି, ତାହାର ଗୋଟି ଗୋଟି କରି ଗଣତି କରିବ ଚିଲିକା ବନ୍ୟପ୍ରାଣୀ ବିଭାଗ । ବିଶେଷଜ୍ଞ, ଗବେଷକ, ରିସର୍ଚ୍ଚ ପର୍ସନ ଓ ଟୁରିଷ୍ଟ ଗାଇଡ୍ ଏହି ଗଣନା କାର୍ଯ୍ୟରେ ସାମିଲ ହେବେ । ବାଲୁଗାଁ-ବଡକୁଳ ସ୍ଥିତ ସିଡିଏର ରିସର୍ଚ୍ଚ ସେଣ୍ଟର ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଚିଲିକା ବନ୍ୟପ୍ରାଣୀ ଡିଭିଜନର ଡିଏଫଓ ଅମ୍ଲାନ ନାୟକ ଏହି ସୂଚନା ଦେଇଛନ୍ତି ।