ଖୋର୍ଦ୍ଧା, ୨୯।୧୨: ଉଚ୍ଛେଦ ବେଳେ ବ୍ୟବସାୟୀଙ୍କ ଆତ୍ମହତ୍ୟା ଉଦ୍ୟମ । ଜଣେ ଦୋକାନୀ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରୁଥିବାବେଳେ ପୋଲିସ ଦୋକାନୀଙ୍କୁ କାବୁ କରିଥିଲା । ସେହିପରି ଅନ୍ୟଜଣେ ଛୁରି ଧରି ବେକ କାଟିବାକୁ ଉଦ୍ୟମ କରିଥିବାବେଳେ ମଧ୍ୟ ପୋଲିସ ତାଙ୍କୁ କାବୁ କରିଛି । ଖୋର୍ଦ୍ଧା ବ୍ୟାଙ୍କ ଛକରେ ଉଚ୍ଛେଦ ସମୟରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ଖୋର୍ଦ୍ଧା ମାନୁଆଳି ପଟିଠାରୁ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ଉଠା ଦୋକାନୀକୁ ଉଚ୍ଛେଦ କରିଛି ପ୍ରଶାସନ । ଯେଉଁ ଦୋକାନୀ ହାଇକୋର୍ଟରୁ ଷ୍ଟେ ଅର୍ଡର ଆଣିଛନ୍ତି ସେ ଦୋକାନୀଙ୍କୁ ଛାଡ଼ି ଅନ୍ୟ ଦୋକାନୀଙ୍କୁ ଉଚ୍ଛେଦ କରୁଛି ପ୍ରଶାସନ । ଶାନ୍ତି ଶୃଙ୍ଖଳାରେ ଚାଲିଥିଲା ଜବରଦଖଲ ଉଚ୍ଛେଦ କାର୍ଯ୍ୟକ୍ରମ । ଏଥିପାଇଁ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରିଯାଇଥିଲା । ଖୋର୍ଦ୍ଧା ଉପଜିଲ୍ଲାପାଳ, ତହସିଲଦାର ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଉଚ୍ଛେଦ ପକ୍ରିଆରେ ସାମିଲ ଥିଲେ । ଜେସିବି ସହାୟତାରେ ଜବରଦଖଲ ଉଚ୍ଛେଦ ଅଭିଯାନ ଜାରି ରହିଥିଲା । ଠିକ୍ ଏହି ସମୟରେ ୨ ଦୋକାନୀ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।