ବାଲିପାଟଣା,୨୦/୧୨: ସମ୍ପର୍କୀୟଙ୍କୁ ଘର ଚାବି ଦେଇ ଶୁଦ୍ଧିକ୍ରିୟାରେ ଯାଇଥିଲେ ପରିବାର ଲୋକେ । ଘରକୁ ଫେରିଲା ବେଳକୁ ସବୁ ଲୁଟି ନେଇଛନ୍ତି ଲୁଟେରା । ବାଲିପାଟଣା ଥାନା ଅଠାନ୍ତର ମେଡିକାଲ ଛକରେ ଥିବା ମହିଳା ଆଡଭୋକେଟ ନମିତା ସାମନ୍ତସିଂହାରଙ୍କ ଘରେ କଳାକନା ବୁଲାଇଛନ୍ତି ଲୁଟେରା ।
ସୂଚନା ମୁତାବକ, ନମିତା ଏବଂ ତାଙ୍କ ପରିବାର ଏକ ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଯାଇଥିଲେ । ଘରେ ତାଲା ପକାଇ ଚାବି ଜଣେ ସମ୍ପର୍କିୟଙ୍କୁ ଦେଇଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ଲୁଟେରାମାନେ ସିଡ଼ି ଘର ଭାଙ୍ଗି ଘରେ ପଶିଥିଲେ । ଘରେ ଥିବା ଗଡରେଜ, ଟ୍ରଙ୍କ ଏବଂ ଆଟାଚ ଭାଙ୍ଗି ଚୋରମାନେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ୫୦ ହଜାର ଟଙ୍କା ଚୋରି କରି ନେଇଥିଲେ । ପରେ ଗୁରୁବାରରେ ଘର ତାଲା ଭଙ୍ଗା ଯାଇଥିବା ସମ୍ପର୍କୀୟ ଜାଣିବା ପରେ ନମିତାଙ୍କୁ ଖବର ଦେଇଥିଲେ । ଖବର ପାଇ ଶୁଦ୍ଧିକ୍ରିୟାରୁ ଫେରିବା ପରେ ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଚଳାଇଛି ।