ନୂଆଦିଲ୍ଲୀ ୨୩/୦୬: ନିକଟରେ ଆମେରିକାର ମିଶିଗାନ ରାଜ୍ୟର ଏକ ଦ୍ୱୀପକୁ ବିଶ୍ୱର ଅନ୍ୟତମ ସବୁଠୁ ସୁନ୍ଦର ଦ୍ୱୀପର ମାନ୍ୟତା ମିଳିଛି । ଏହି ଐତିହାସିକ ଦ୍ୱୀପର ୮.୨ ମାଇଲ ଲମ୍ବା ସଡ଼କ ଦେଶର ୧୦ ଲକ୍ଷ ମାଇଲର ସାର୍ବଜନୀନ ସଡ଼କଠୁ ଭିନ୍ନ । ଏମ୍-୧୮୫ ଆମେରିକାର ଏକମାତ୍ର ରାଜ୍ୟ ରାଜମାର୍ଗ, ଯେଉଁଠି ମୋଟର ଗାଡ଼ି ଯାତାୟାତର ଅନୁମତି ନାହିଁ । ମ୍ୟାକିନାକ୍ ଦ୍ୱୀପରେ ଚାଲିବା, ସାଇକେଲ ଚାଳନା ଓ ଘୋଡ଼ା ଗାଡ଼ି ଆଦିକୁ ଯାତାୟାତ ନିମନ୍ତେ ବ୍ୟବହାର କରାଯାଏ । ଦ୍ୱୀପରେ ମାତ୍ର ୫୦୦ ବାସିନ୍ଦା ଅଛନ୍ତି । କିନ୍ତୁ ବର୍ଷକୁ ପ୍ରାୟ ୧୦ ଲକ୍ଷରୁ ଅଧିକ ପର୍ଯ୍ୟଟକ ଏଠାକୁ ଆସନ୍ତି । ଏଠାରେ ୫୦୦ରୁ ଅଧିକ ଘୋଡ଼ା ଗାଡ଼ି ଅଛି ।
ଦ୍ୱୀପର ଔପଚାରିକ ୱେବ୍ସାଇଟ ଅନୁସାରେ, ୧୮୯୮ ମସିହାରୁ ମୋଟର ଚାଳିତ ବାହନ ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି । କାରଣ ଘୋଡ଼ା ଏଗୁଡ଼ିକୁ ଦେଖି ଡରନ୍ତି । ଅଟୋମୋବାଇଲ ଉଦ୍ୟୋଗ ୧୮୦୦ ଦଶକ ଶେଷରେ ଆରମ୍ଭ ହୋଇଥିଲା । ଏହାର ମୁଖ୍ୟାଳୟ ମିଶିଗାନରେ ଥିଲା । ଓଲ୍ଡସ୍ମୋବାଇଲ ଲାନ୍ସିଙ୍ଗ୍ଠାରେ ଏବଂ ଡେଟ୍ରଏଟ୍ଠାରେ ଫର୍ଡ ସ୍ଥାପିତ ହୋଇଥିଲା । ଘୋଡ଼ା ଗାଡ଼ି ସେ ପର୍ଯ୍ୟନ୍ତ ୩୦ରୁ ଅଧିକ ବର୍ଷ ଧରି ମ୍ୟାକିନାକ୍ ଦ୍ୱୀପର ପର୍ଯ୍ୟଟନରେ ମୁଖ୍ୟ ଭୂମିକା ନିର୍ବାହ କରୁଥିଲା । ଦ୍ୱୀପକୁ ଏକ ସୈନ୍ୟ କେନ୍ଦ୍ର ଓ ଗ୍ରେଟ୍ ଲେକ୍ସ ଫର ବିଜ୍ନେସର କେନ୍ଦ୍ରରୁ ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀରେ ରୂପାନ୍ତର କରିବାରେ ଘୋଡ଼ା ଗାଡ଼ିର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । କିନ୍ତୁ ଦ୍ୱୀପରେ ଯେତେବେଳେ କିଛି କାର ନଜର ଆସିଲା, ଘୋଡ଼ା ଚାଳକ ‘ବିପଦପୂର୍ଣ୍ଣ ଘୋଡ଼ା ରହିତ ଗାଡ଼ି’ଗୁଡ଼ିକୁ ଅବୈଧ ଘୋଷଣା କରିବାକୁ ନଗରପାଳିକା ପରିଷଦକୁ ଆବେଦନ କଲେ । ୧୮୯୮ ମସିହା, ଜୁଲାଇ ୬ ତାରିଖରେ ସ୍ଥାନୀୟ ନେତାଙ୍କ ଦ୍ୱାରା ପ୍ରତିବନ୍ଧକ ପାରିତ ହେଲା । ସେବେଠୁ ଦ୍ୱୀପ କାର୍-ମୁକ୍ତ ।