ବାଲିପାଟଣା, ୧୯/୦୯: ଭାର୍ଗବୀ ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ । ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ବାଳକାଟି ଫାଣ୍ଡି ମାହାଲାସାହି ଗ୍ରାମ ନିକଟ ଭାର୍ଗବୀ ନଦୀରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଗୁରୁବାର ମାହାଲାସାହି ଗ୍ରାମ ନିକଟ ଭାର୍ଗବୀ ନଦୀରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ବାଲିଅନ୍ତା ପୋଲିସକୁ ଘଟଣା ସମ୍ବନ୍ଧରେ ଅବଗତ କରାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ଏଥି ସହିତ ଉକ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମଧ୍ୟ ପଠାଇଛି ।
ତେବେ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ମୃତ ବ୍ୟକ୍ତି ଜିନ୍ସ ପ୍ୟାଣ୍ଟ ଏବଂ ନୀଳ ରଙ୍ଗର ଟି-ସାର୍ଟ ପିନ୍ଧିଛନ୍ତି । ତେବେ ନଦୀରେ ମୃତଦେହଟି ଭାସି ଆସିଥିବା ଅନୁମାନ କରୁଛି ପୋଲିସ । ଏଥି ସହିତ ମୃତକଙ୍କ ପରିଚୟ ଖୋଜି ଘଟଣାର ତଦନ୍ତ କରୁଛି ବାଲିଅନ୍ତା ପୋଲିସ ।