ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପିଛି। କିଛି ଏହି ଭଳି ଗୁଜବ ପ୍ରଚାରିତ ହେବା ପରେ ଆନ୍ଧ୍ରପ୍ରଦେଶରେ କୁକୁଡା ଉତ୍ପାଦ ଗୁଡିକର ବିକ୍ରିରେ ଅସମ୍ଭବ ଭାବେ ହ୍ରାସ ଘଟିଛି। ଏହାକୁ ଲକ୍ଷ୍ୟ କରି ରାଜ୍ୟର କୁକ୍କଟ ପାଳକ ସଂଗଠନ ଏକ ଜବଦସ୍ତ ନିଷ୍ପତ୍ତି ଗ୍ରହଣ କରିଥିଲା। ଯାହା ଜାଣିଲେ ଆପଣ ତାଜୁବ ହୋଇଯିବେ।
ସୂଚନା ମୁତାବକ ଆନ୍ଧ୍ରପ୍ରଦେଶର କୁକ୍କଟ ପାଳକ ସଂଗଠନଗତ ଫ୍ରେବୃୟାରି ୨୪ ତାରିଖ ଦିନ ରାଜମୁଣ୍ଡ୍ରି କଳା ମହାବିଦ୍ୟାଳୟ ସମ୍ମୁଖରେ ଏକ କୁକୁଡା ଓ ଅଣ୍ଡା ମେଳା ଆରମ୍ଭ କରିଥିଲେ। ଏହି ମହୋତ୍ସବ ମାଧ୍ୟମରେ ଲୋକଙ୍କୁ କୁକୁଡା ଉତ୍ପାଦର ସୁରକ୍ଷିତ ହେବାକୁ ନେଇ ସଚେତନତା ସୃଷ୍ଟି କରାଯାଇଥିଲା। ଏହା ସହ ବାଡଫ୍ଲୁ ଗୁଜବରେ ଠପ ପଡିଯାଇଥିବା କୁକୁଡା ଉତ୍ପାଦର ବ୍ୟବହାରକୁ ବଢାଇବା ପାଇଁ ଲୋକମାନଙ୍କୁ ଅନୁରୋଧ କରାଯାଇଥିଲା।
ସବୁଠୁ ମଜାର କଥା ହେଉଛି ଏହି ମେଳାରେ ଲୋକଙ୍କ ପାଇଁ ସୁସ୍ୱାଦୁ ଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ମେଳାରେ ଯୋଗଦେଉଥିବା ଲୋକମାନଙ୍କୁ ମାଗଣାରେ ବିରିୟାନି ସହ ସିଝା ଅଣ୍ଡା ଖାଇବାକୁ ଦିଆଯାଉଥିଲା। ଏହି ମେଳାକୁ ନେଇ ଜାରି ହୋଇଥିବା ଏକ ଭିଡିଓରେ ଲୋକମାନେ ଖୁବ୍ ଉତ୍ସାହର ସହ ବିରିୟାନି ଓ ଅଣ୍ଡା ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।
କେବଶ ଗୋଟିଏ ଅଞ୍ଚଳରେ ନୁହେଁ ଆନ୍ଧ୍ରପ୍ରଦେଶର ଅନେକ ଅଞ୍ଚଳରେ ଏହି ଭଳି ମେଳା ଓ ଖାଦ୍ୟ ବଣ୍ଟନର ବ୍ୟବସ୍ଥା ହୋଇଥିଲା। ଏହି ଚର୍ଚ୍ଚିତ ଘଟଣାକୁ ନେଇ ବିଭିନ୍ନ ସୋଶିଆଲ ମିଡିଆ ୟୁଜର୍ସମାନେ ବିଭିନ୍ନ ସାମଜିକ ଗଣମାଧ୍ୟମରେ ଏହା ସମ୍ପର୍କିତ ଭିଡିଓ ପୋଷ୍ଟ କରିଥିଲେ। ଯାହା ଭାଇରାଲ ହେବା ପରେ ଏହାକୁ ନେଇ ଯୁଜର୍ସମାନେ ମଜାଳିଆ କମେଣ୍ଟ ପୋଷ୍ଟ କରିବା ଆରମ୍ଭ କରିଦେଇଥିଲେ।
ତେବେ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଅନେକ ସ୍ଥାନରେ ଏହିଭଳି ମେଳା ଜାରି ରହିବ ବୋଲି ରାଜ୍ୟ କୁକ୍କଟ ପାଳକ ସଂଗଠନ ଘୋଷଣା କରିଛି।