ନୂଆଦିଲ୍ଲୀ: ଖଲିସ୍ଥାନ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟା ମାମଲାରେ ୪ ଭାରତୀୟ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି କାନାଡ଼ା କୋର୍ଟ। ଏହି ୪ ଭାରତୀୟ ଅଭିଯୁକ୍ତ ହେଲେ- କରନ ବ୍ରାର, ଅମନଦ୍ୱିପ ସିଂ, କମଲପ୍ରିତ ସିଂ ଓ କରନପ୍ରିତ ସିଂ। ଅଭିଯୁକ୍ତ ୪ ଜଣଙ୍କ ଉପରେ ଫାଷ୍ଟ ଡିଗ୍ରି ହତ୍ୟା ଓ ହତ୍ୟା ପାଇଁ ଷଡଯନ୍ତ୍ର ଭଳି ଅଭିଯୋଗ ଲଗାଯାଇଛି। ଆଗାମୀ ଫ୍ରେବୃୟାରି ୧୧ ତାରିଖରେ ବ୍ରିଟିଶ କଲମ୍ବିଆ ସୁପ୍ରିମ କୋର୍ଟରେ ମାମଲାର ପରବର୍ତ୍ତି ଶୁଣାଣୀ ହେବ।
ସୁଚନା ଅନୁସାରେ, ଖଲିସ୍ତାନ ଆତଙ୍କବାଦୀ ହରଦୀପ ନିଜ୍ଜରକୁ ଜୁନ ୨୦୨୩ ମସିହାରେ ବ୍ରିଟିଶ କଲମ୍ବିଆ ଅଧିନ ସୁରେଠାରେ ଏକ ଗୁରୁଦ୍ୱାର ସାମ୍ନାରେ ହତ୍ୟା କରାଯାଇଥିଲା। ଏହାପରେ କାନାଡ଼ାର ପୂର୍ବତନ ପ୍ରଧାନନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ହତ୍ୟାକାଣ୍ଡରେ ଭାରତ ସରକାରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଥିଲେ। ହେଲେ ଭାରତ ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଥିଲା। ଏହାପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗିଡ଼ି ଯାଇଛି।
ନିଜ୍ଜର ହତ୍ୟା ଘଟଣାରେ ଅଭିଯୁକ୍ତ ୪ ଭାରତୀୟଙ୍କୁ ମେ ୨୦୨୪ରେ ରୟାଲ କାନାଡ଼ିଆନ ମାଉଣ୍ଟେନ ପୁଲିସ(ଆରସିଏମପି) କାନାଡ଼ାର ବିଭିନ୍ନ ସ୍ଥାନରୁ ଗିରଫ କରିଥିଲା। ତେବେ ମାମଲାରେ ପ୍ରାଥମିକ ଶୁଣାଣି ବେଳେ କାନାଡ଼ା ସରକାର ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ପ୍ରମାଣ ନ ଦେଇପାରିବାରୁ ସମାଲୋଚନାର ଶିକାର ହୋଇଥିଲେ।
କୋର୍ଟରେ ଥିବା ଅଭିଯୁକ୍ତମାନଙ୍କ ଡକ୍ୟୁମେଣ୍ଟକୁ ‘ଏନ’ ବର୍ଗରେ ସୂଚିତ କରାଯାଇଛି। ଅର୍ଥାତ ଅଭିଯୁକ୍ତମାନେ ପୁଲିସ ହେପାଜତରେ ରହିପାରିବେ ନାହିଁ। କୋର୍ଟର ପରିବର୍ତ୍ତି ଶୁଣାଣି ପର୍ଯ୍ୟନ୍ତ ଜାମିନ କିମ୍ବା କୋର୍ଟ ସେମାନଙ୍କୁ ସର୍ତ୍ତମୂଳକ ଭାବେ ମୁକ୍ତ କରିପାରିବେ।
ତେବେ ଭାରତୀୟମାନଙ୍କୁ ଫସାଇବାକୁ କାନାଡ଼ା ସରକାର ଆଉ ଏକ ଆଇନଗତ ଚାଲ୍ ଖେଳିଛନ୍ତି। ଡାଇରେକ୍ଟ ଇଣ୍ଡିକ୍ଟମେଣ୍ଟ(ପ୍ରାଥମିକ ଶୁଣାଣି ନ କରି ସିଧା ସୁପ୍ରିମକୋର୍ଟରେ ଶୁଣାଣି ହେବା)ରେ ମାମଲାକୁ ସୁରେ ପ୍ରାଦେଶିକ କୋର୍ଟରୁ ବ୍ରିଟିଶ କଲମ୍ୱିଆ କୋର୍ଟକୁ ସ୍ତାନାନ୍ତର କରାଯାଇଛି। ଏହାର ଅର୍ଥ ହେଲା ମାମଲାରେ ଆଉ ପ୍ରାଥମିକ ଶୁଣାଣି ନ ହୋଇ ସିଧା ସୁପ୍ରିମକୋର୍ଟରେ ଶୁଣାଣି କରାଯିବ।