ଭୁବନେଶ୍ୱର ୧୩/୦୪ (ମୁକେଶ ପରିଡ଼ା): ସହିଦନଗରରେ ଜମିର ଦର ବର୍ଗଫୁଟ ପିଛା ୧୦ ହଜାର ଟଙ୍କା । ଖଣ୍ଡଗିରିରେ ୭ ହଜାର, ପଟିଆରେ ୮୫୦୦, ହଂସପାଳରେ ୬ ହଜାର । ଇଏ ତ ସର୍ବନିମ୍ନ । ଦର ମନଇଚ୍ଛା । ଯିଏ ଯେତେ ଅଧିକରେ କିଣିପାରିଲେ ।
ଏବେ ଏବେ ଖଣ୍ଡଗିରିର ୪ କିମି ଦୂର ଭଗବାନପୁରରେ ସରକାରୀ ହାଉସିଂ ପ୍ରକଳ୍ପ ବିକିଛି ବିଡିଏ । ୨ ବଖରା ବିଶିଷ୍ଟ ଟାଇପ୍-୧ ଫ୍ଲାଟ ଦାମ୍ ୪୮.୬ ଲକ୍ଷ, ଟାଇପ୍-୨ ଘର ୫୧.୬୦ ଲକ୍ଷ । ଏ ଦର ଶୁଣିଲେ ସାଧାରଣ ଓଡ଼ିଆଙ୍କ ମୁଣ୍ଡ ବୁଲାଇ ଦେଉଛି । ଏଠି ଜମି କିଣିବ କିଏ, ଘର ଛିଡ଼ା କରିବ କେମିତି? ଭୁବନେଶ୍ୱରରେ ଘର ଖଣ୍ଡିଏ କରିବା ଯେମିତି ଜହ୍ନ ରାଇଜରେ ଘର ତୋଳିବା ଭଳି ଲାଗୁଛି । ଏଠି ଜମି ଓ ଘର ଦାମ୍ ସାଧାରଣ ଲୋକଙ୍କ ପାଇଁ ଅମୂଲ ମୂଲ । ସାରା ଜୀବନର ସଞ୍ଚିତ ଅର୍ଥ ଲଗାଇଲେ ବି ଘର ଖଣ୍ଡିଏ ସାତ ସପନ । ଦେଶର ବଡ଼ବଡ଼ ମେଟ୍ରୋ ସହରକୁ ବି ପଛରେ ପକାଇ ଦେଲାଣି ଭୁବନେଶ୍ୱରର ଜମି ଓ ଘର ଦାମ । ଦର ଯାହା, ସାଧାରଣ ଓଡ଼ିଆ ହାତ ମାରୁନାହାନ୍ତି । ଅନ୍ୟପଟେ ଭୁବନେଶ୍ୱରରେ ସମ୍ପତ୍ତି ବିସ୍ତାର କରି ଚାଲିଛନ୍ତି ବଡ଼ବଡ଼ିଆ, ଅଣଓଡ଼ିଆ, ଆଇଟି ପ୍ରଫେସନାଲ, ଯନ୍ତ୍ରୀ, ମନ୍ତ୍ରୀ, ଆଇଏଏସ୍, ଆଇପିଏସ୍, ଓଏଏସ୍ । ପଇସା ଯାହାର, ଭୁବନେଶ୍ୱର ତାହାର । କାହା ପାଖେ ମାଳମାଳ ପ୍ଲଟ, ଫ୍ଲାଟ, ଆଉ କିଏ ସାରା ଜୀବନ ସଂଘର୍ଷ କରୁଛି ଘରଟିଏ ପାଇଁ ।
ରୋଜଗାର ସନ୍ଧାନରେ ସାରା ରାଜ୍ୟରୁ ଓଡ଼ିଆ ଲୋକେ ଧାଇଁ ଆସନ୍ତି ରାଜଧାନୀକୁ । ବର୍ଷ ବର୍ଷ ଧରି ଭଡ଼ା ଘରେ ମୁଣ୍ଡ ଗେଞ୍ଜିବା ପରେ ମନରେ ସ୍ୱପ୍ନ ସଞ୍ଚରିତ ହୁଏ- ରାଜଧାନୀରେ ଘର ଖଣ୍ଡିଏ ତୋଳିବା ପାଇଁ । ମାତ୍ର ସ୍ୱଚ୍ଛତାରେ ରୋଜଗାର କରୁଥିବା କୌଣସି ପରିବାରର ଘର ସ୍ୱପ୍ନ ଭୁବନେଶ୍ୱର ସହର ଭିତରେ ପୂରଣ ହେବା ଆଜିର ସମୟରେ ଅସମ୍ଭବ । ଯଦି ବି କେହି ମଧ୍ୟବିତ୍ତ ପରିବାର ଋଣ କରି ରାଜଧାନୀ ଉପକଣ୍ଠରେ ଘରଟିଏ ଛିଡ଼ା କରନ୍ତି, ସାରା ଜୀବନ ସରିଯାଏ ଇମ୍ଏଆଇ ସୁଝିବାରେ ।
ରକେଟ ଭଳି ଜମି ଦର ଉପରମୁହାଁ ଭୁବନେଶ୍ୱରରେ । ବିନା କୌଣସି ନୀତିରେ ରାଜଧାନୀରେ ପ୍ରତିବର୍ଷ ଜମିର ବେଞ୍ଚ୍ ମାର୍କ ମୂଲ୍ୟ ବଢ଼ାଇ ଚାଲିଛନ୍ତି ସରକାର । ସରକାରୀ ଦର ଯାହା, ତାହା କିଣିବା ବି କାଠିକର ପାଠ । ଅନ୍ୟପଟେ ସରକାରୀ ମୂଲ୍ୟ ଯେତିକି ବଢ଼ୁଛି, ତା’ଠାରୁ ଢେର ଅଧିକ ଗୁଣାରେ ବଢ଼ିଯାଉଛି ଘରୋଇ ଜମିର ମୂଲ୍ୟ ।
ରାଜଧାନୀରେ ଲୋକଙ୍କ ମୁଣ୍ଡ ଉପରେ ଛାତଟିଏ ଦେବା ପାଇଁ ସରକାର ବିଡିଏ, ହାଉସିଂବୋର୍ଡ ଭଳି ସଂସ୍ଥାକୁ ଜନ୍ମ ଦେଇଥିଲେ । ମାତ୍ର ଏ ସବୁ ସଂସ୍ଥା ଏବେ ରିୟଲ୍ ଇଷ୍ଟେଟ ସଂସ୍ଥା ପାଲଟିଯାଇଛନ୍ତି । ବିଡିଏ, ବିଏମ୍ସି, ହାଉସିଂ ବୋର୍ଡ ଘର ଦର ଯାହା ସାଧାରଣ ପରିବାର ଛୁଇଁପାରିବେନି । ଭଗବାନପୁର ମୌଜାରେ ବିଡିଏ ୨ ବିଏଚ୍କେ ଘର ବିକୁଛି ଅଧ କୋଟି ଉପରେ । କଳିଙ୍ଗନଗରରେ ୨୪୦୦ ବର୍ଗଫୁଟ ଜାଗାକୁ ବିଡିଏ ଦେଢ଼ କୋଟିରେ ବିକିଥିବାବେଳେ ପଟିଆରେ ୮ ଏକର ଜମିକୁ ୨୪୦ କୋଟିରେ ବେପାର କରିଛି । ହାଉସିଂବୋର୍ଡ ଗାଡ଼କଣରେ ପ୍ରସ୍ତାବିତ ହାଉସିଂ ପ୍ରକଳ୍ପରେ ଏମଆଇଜି (୨ବିଏଚକେ) ପାଇଁ ୮୫ ଲକ୍ଷ ଏବଂ ୩ ବିଏଚକେ ଦାମ ପ୍ରାୟ ୧ କୋଟି ଟଙ୍କା ରଖିଲାଣି । ମଧ୍ୟବିତ୍ତ କହିଲେ କାହାକୁ ବୁଝୁଛନ୍ତି ବିଡିଏ ଓ ହାଉସିଂବୋର୍ଡ? କିଛି ପୂର୍ବ ବର୍ଷରୁ ସହିଦନଗରରେ ଭବାନୀ ସଂସ୍ଥା ମିଶି ବିଏମସି ଯେଉଁ ଆପାର୍ଟମେଣ୍ଟ ଓ କମର୍ସିଆଲ୍ କମ୍ପେ୍ଲକ୍ସ ବିକିଲା, ତାହା କେବଳ କୋଟିପତିଙ୍କ ମାଲିକାନାକୁ ଗଲା ।
ଆଜିର ବଜାର ସ୍ଥିତି ଯାହା, ସହିଦନଗର, ଚନ୍ଦ୍ରଶେଖରପୁର, ପଟିଆ, ରଘୁନାଥପୁର ଆଦି ଅଞ୍ଚଳରେ ଜମି ଦାମ୍ ବର୍ଗଫୁଟ ପିଛା ୮ ହଜାରରୁ ୧୦ ହଜାର । ସ୍ଥାନେ ସ୍ଥାନେ ଏହା ୧୫ ହଜାରରୁ ୨୦ ହଜାର ବି ଡେଇଁଯାଉଛି । ନୂଆପଲ୍ଲୀରେ ୮୮୦୦ରୁ ୧୫ ହଜାର, ହଂସପାଳରେ ୬ ହଜାର, ଖଣ୍ଡଗିରିରେ ୭ ହଜାର, ସୁନ୍ଦରପଦାରେ ବର୍ଗଫୁଟ ୧୫୦୦ରୁ ସାଢ଼େ ୪ ହଜାର ଛୁଇଁଲାଣି । ଜନପଥର ଉଭୟ ପାଶ୍ୱର୍ରେ ଜାଗା ତ ନାହିଁ, ତଥାପି ଯଦି ଜମି କିଣିବେ ତେବେ ବର୍ଗଫୁଟ ପିଛା ୨୦ ହଜାରରୁ ୨୫ ହଜାର ଦେବାକୁ ପଡ଼ୁଛି । ସହିଦନଗରରେ ଏକ ଆଖିଝଲସା ଆପାର୍ଟମେଣ୍ଟ ଛିଡ଼ା ହୋଇଛି, ଯେଉଁଠି ୪ ବିଏଚ୍କେ ଫ୍ଲାଟର ଦାମ୍ ପ୍ରାୟ ସାଢ଼େ ୪ କୋଟି । ଏହାକୁ ସାଧାରଣ ଓଡ଼ିଆ ଏ ଜନ୍ମରେ କିଣିପାରିବେ କି?
ଗତ ୧୦ ବର୍ଷ ଭିତରେ ବହୁ ନାମୀଦାମୀ ରିୟଲ୍ ଇଷ୍ଟେଟ କମ୍ପାନି ଭୁବନେଶ୍ୱର ବଜାରରେ ପ୍ରବେଶ କରିଛନ୍ତି । ନାମୀଦାମୀ ହାଉସିଂ କମ୍ପେ୍ଲକସ ଛିଡ଼ା କରିଛନ୍ତି । ଏସବୁ କମ୍ପାନିର ଫ୍ଲାଟ୍ ଦାମ୍ କୋଟି କୋଟିରେ । ଓଡ଼ିଆ ରିୟଲ୍ ଇଷ୍ଟେଟ କମ୍ପାନିର ଫ୍ଲାଟ୍ ଦାମୀ ଶୁଣିଲେ ବି ଯେ କେହି ଝଟ୍କା ଖାଇବ । ପୋଖରୀପୁଟ ଭଳି ଅଞ୍ଚଳରେ ୨ ବିଏଚ୍କେ ୭୦ ଲକ୍ଷ ଓ ୩ ବିଏଚ୍କେ ୯୦ ଲକ୍ଷ ଛୁଇଁଲାଣି । ସୁନ୍ଦରପଦା ହାଟଠାରୁ ୫ କିମି ଦୂରରେ ବି ଫ୍ଲାଟ ଛୁଇଁଲାଣି ୪୦ରୁ ୫୦ ଲକ୍ଷ । ପଟିଆ ଅଞ୍ଚଳରେ ୩ ବିଏଚ୍କେର ସର୍ବନିମ୍ନ ଦାମ ୨ କୋଟି ଡେଇଁଲାଣି । ଭୁବନେଶ୍ୱର ଫ୍ଲାଟ କିଣିବାକୁ ହେଲେ ପ୍ରତି ବର୍ଗଫୁଟ ପିଛା ୫୫୦୦୦ରୁ ୮୫୦୦ ଟଙ୍କା ସର୍ବନିମ୍ନ ଦେବାକୁ ପଡ଼ୁଛି । ଉପକଣ୍ଠକୁ ଗଲେ ଏ ଖର୍ଚ୍ଚ ୫୦୦୦-୬ ହଜାର ।
ବର୍ତ୍ତମାନ ବଜାର ଦର ଯାହା, ଭୁବନେଶ୍ୱରର ଉପକଣ୍ଠ ଅଞ୍ଚଳରେ ଜମି କିଣିଲେ ଅତି କମ୍ରେ ବର୍ଗଫୁଟ ପିଛା ୧୫୦୦ରୁ ୨ ହଜାର ଟଙ୍କା ପଡ଼ିଯାଉଛି । ଘର କରିବାକୁ ୧୨୦୦ରୁ ୧୫୦୦ ବର୍ଗଫୁଟ ଜାଗା ପାଇଁ ପ୍ରାୟ ୨୫ ଲକ୍ଷରୁ ୩୦ ଲକ୍ଷ ଟଙ୍କା ଦରକାର । ଏହି ଜମିରେ ଘର ଛିଡ଼ା କରିବାକୁ ହେଲେ ବର୍ଗଫୁଟ ପିଛା ୧୭୦୦ରୁ ୧୮୦୦ ଟଙ୍କା ଖର୍ଚ୍ଚ ହେଉଛି । ଦୁଇ କୋଠରୀ ବିଶିଷ୍ଟ ଘର ପାଇଁ ଅନ୍ୟୁନ ୨୦ ଲକ୍ଷ ଟଙ୍କା ଦରକାର । ଅର୍ଥାତ୍ ଭୁବନେଶ୍ୱରରୁ ୧୦ରୁ ୧୫ କିମି ଦୂରକୁ ଗଲେ ବି ୫୦ ଲକ୍ଷ ଟଙ୍କା ଲୋଡ଼ା । ଏଥିପାଇଁ ଋଣ କରିବେ, ସାରା ଜୀବନ ଇଏମଆଇ ଭରିବେ । ଏତିରେ ଘର ଭଡ଼ା ବି କମ୍ ନୁହେଁ । ସରକାରଙ୍କର କିଛି ନୀତି, କଟକଣା ନାହିଁ । ଘର ମାଲିକଙ୍କର ଯାହା ଇଚ୍ଛା, ତାହା ହିଁ ଭଡ଼ା ।
ସରକାର ଚୁପ୍ ହୋଇ ବସିଛନ୍ତି । ସତେ ଯେମିତି ସରକାରୀ ସଂସ୍ଥା ବିଡିଏ, ବିଏମସି, ହାଉସିଂ ବୋର୍ଡ, ନଗର ଉନ୍ନୟନ ବିଭାଗ ପଣ କରିଛନ୍ତି, ରାଜଧାନୀରୁ ସାଧାରଣ ଓଡ଼ିଆଙ୍କୁ ତଡ଼ି କେବଳ ବଡ଼ବଡ଼ିଆ ଓ ଅଣଓଡ଼ିଆଙ୍କ ସହର ଗଢ଼ିବେ।