ମୁମ୍ବାଇ,୨୯/୦୩: ୨୦୨୫/୨୬ ବର୍ଷ ପାଇଁ ବିସିସିଆଇ ଖୁବ୍ ଶୀଘ୍ର ନୂଆ କେନ୍ଦ୍ରୀୟ ଚୁକ୍ତି ତାଲିକା ଘୋଷଣା କରିବ । ଆଜି ଚୟନ କମିଟି ମୁଖ୍ୟ ଅଜିତ ଅଗରକର, ମୁଖ୍ୟ କୋଚ ଗୌତମ ଗମ୍ଭୀର ଓ ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆଙ୍କ ମଧ୍ୟରେ ଏକ ବୈଠକ ଆୟୋଜନ କରାଯାଇ କେନ୍ଦ୍ରୀୟ ଚୁକ୍ତି ତାଲିକା ପ୍ରସ୍ତୁତ କରାଯିବ । ବିରାଟ କୋହଲି, ରୋହିତ ଶର୍ମା ଓ ରବିନ୍ଦ୍ର ଜାଡ଼େଜାଙ୍କ ସ୍ଥାନ ଅପରିବର୍ତ୍ତିତ ରହିବାର ଯଥେଷ୍ଟ ସମ୍ଭାବନା ରହିଛି । ଏଥର କିଛି ଖେଳାଳିଙ୍କ ପଦୋନ୍ନତି ହେବ ଓ କିଛି ନୂଆ ଖେଳାଳିଙ୍କୁ ଚୁକ୍ତିରେ ସାମିଲ କରାଯିବ ।
ଶୃଙ୍ଖଳା ଭଙ୍ଗ ଅଭିଯୋଗରେ କେନ୍ଦ୍ରୀୟ ଚୁକ୍ତିରୁ ବାଦ ପଡ଼ିଥିବା ଶ୍ରେୟାସ ଆୟର ଚୁକ୍ତି ତାଲିକାକୁ ଫେରିବେ ଓ ତାଙ୍କ ପଦୋନ୍ନତି କରାଯିବ । ସେ ବିସିସିଆଇର ନିର୍ଦ୍ଦେଶ ସତ୍ତେ୍ୱ ଘରୋଇ କ୍ରିକେଟ୍ରୁ ବିରତି ନେଇ ଆଇପିଏଲ୍ ଅଭ୍ୟାସ ଶିବିରରେ ଯୋଗ ଦେଇଥିଲେ । ସେତେବେଳେ ସେ କୋଲକାତା ନାଇଟ ରାଇଡର୍ସ ଦଳର ଅଧିନାୟକ ଥିଲେ । ନାଇଟ ରାଇଡର୍ସ କ୍ୟାମ୍ପରେ ଯୋଗ ଦେବା ପୂର୍ବରୁ ସେ ଆହତ ଥିବା ବିସିସିଆଇକୁ ଜଣାଇଥିଲେ । ଫଳରେ ତାଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବାଦ ଦିଆଯାଇଥିଲା । ଏହାପରେ ସେ ଘରୋଇ କ୍ରିକେଟ୍କୁ ଫେରିଥିଲେ ଏବଂ ଚମତ୍କାର ପ୍ରଦର୍ଶନ କରି ଦିନିକିଆ ଦଳରେ ପୁନଃ ସ୍ଥାନ ହାସଲ କରିଥିଲେ । ଗତ ଚାମ୍ପିଅନ୍ସ ଟ୍ରଫିରେ ସେ ଭାରତ ପକ୍ଷରୁ ସର୍ବାଧିକ ରନ ସ୍କୋରର ରହିଥିଲେ । ଚୁକ୍ତିରୁ ବାଦ ପଡ଼ିଥିବା ଇଶାନ କିଷନ ଏଥର ଫେରିବା ନେଇ ଏବେବି ଆଶଙ୍କା ରହିଛି । ସେ ମଧ୍ୟ ବିସିସିଆଇର ନିର୍ଦ୍ଦେଶ ଅମାନ୍ୟ କରିଥିଲେ ।
ଏ+ ତାଲିକାରେ ରହିଥିବା ରୋହିତ, କୋହଲି ଓ ଜାଡ଼େଜା ଟି-ଟ୍ୱେଣ୍ଟିରୁ ଅବସର ନେଇସାରିଛନ୍ତି । ତଥାପି ସେମାନଙ୍କୁ ସର୍ବୋଚ୍ଚ ବର୍ଗରେ ରଖିବାକୁ ନିଷ୍ପତ୍ତି ନିଆଯାଇପାରେ । ଗ୍ରେଡ୍-ବି’ରେ ରହିଥିବା ଅଲ୍ରାଉଣ୍ଡର ଅକ୍ଷର ପଟେଲଙ୍କ ପଦୋନ୍ନତି ହେବ ଓ ସେ ଗ୍ରେଡ-ଏ’ରେ ସ୍ଥାନ ପାଇବେ । ଯୁବ ଓପନର ଯଶସ୍ୱୀ ଜୈସ୍ୱାଲଙ୍କ ଗ୍ରେଡ୍ରେ ମଧ୍ୟ ଉନ୍ନତି ହେବ । ସେ ବର୍ତ୍ତମାନ ଗ୍ରେଡ୍-ବି’ରେ ରହିଛନ୍ତି ।
ସ୍ପିନର ବରୁଣ ଚକ୍ରବର୍ତ୍ତୀ, ଅଲ୍ରାଉଣ୍ଡର ନୀତିଶ କୁମାର ରେଡ୍ଡୀ, ଓପନର ଅଭିଷେକ ଶର୍ମା, ପେସ୍ ବୋଲର ଆକାଶ ଦୀପ ଓ ବ୍ୟାଟର ସର୍ଫରାଜ ଖାନ ନବାଗତ ଭାବେ କେନ୍ଦ୍ରୀୟ ଚୁକ୍ତିରେ ସ୍ଥାନ ପାଇବା ସମ୍ଭାବନା ରହିଛି ।
ନିୟମ ଅନୁଯାୟୀ ଗୋଟିଏ ବର୍ଷରେ ୩ଟି ଟେଷ୍ଟ କିମ୍ବା ୮ଟି ଦିନିକିଆ କିମ୍ବା ୧୦ଟି ଟ୍ୱେଣ୍ଟି ଖେଳିଥିବା ଖେଳାଳିଙ୍କୁ ପରବର୍ଷ କେନ୍ଦ୍ରୀୟ ଚୁକ୍ତିରେ ସ୍ଥାନ ମିଳିବ । ନୀତିଶ ଗତ ସିଜନରେ ୪ଟି ଟେଷ୍ଟ, ଆକାଶ ଦୀପ ୭ଟି ଓ ସର୍ଫରାଜ ୩ଟି ଟେଷ୍ଟ ଖେଳିଛନ୍ତି ।