ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ସଂଗ୍ରାମୀଙ୍କ ତୀର୍ଥକ୍ଷେତ୍ର ‘ପାଣିମୋରା’: ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ଗାଁର ୩୨ ବୀରପୁତ୍ର

ବରଗଡ଼,୧୫/୦୮: ଭାରତର କଷ୍ଟଲବ୍ଧ ସ୍ୱାଧୀନତା ପ୍ରାପ୍ତିରେ ଅନେକଙ୍କ ତ୍ୟାଗ ଓ  ବଳିଦାନ ରହିଥିବା ବେଳେ ସେମାନଙ୍କ  ଲହୁଲୁହର ଜୀବନ୍ତ ପ୍ରମାଣ ଏବେ ବି  ଲୋକଙ୍କୁ ଉଦ୍‌ବୁଦ୍ଧ କରୁଛି । ସେହିକ୍ରମରେ  ସଂଗ୍ରାମୀ ଜନପଦ ଭାବେ ମାନ୍ୟତା ଗୋଟାଇଛି  ପାଣିମୋରା ଗାଁ । ମହାତ୍ମା ଗାନ୍ଧିଙ୍କ ଆହ୍ୱାନରେ  ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ୩୨  ବୀରପୁତ୍ରଙ୍କ ପାଇଁ ପାଣିମୋରା ଭାରତୀୟ  ସଂଗ୍ରାମ ଇତିହାସରେ ବହନ କରୁଛି ସ୍ୱର୍ଣ୍ଣିମ  ସ୍ୱାକ୍ଷର । ଶତାୟୁ ସଂଗ୍ରାମୀ ଜିତେନ୍ଦ୍ର ପ୍ରଧାନଙ୍କ  ଗତବର୍ଷ ପରଲୋକ ପରେ ପାଣିମୋରା ସମ୍ପୂର୍ଣ୍ଣ ସଂଗ୍ରାମୀ ଶୂନ୍ୟ ହୋଇଯାଇଛି ସତ³ ହେଲେ  ଦେଶପ୍ରେମୀଙ୍କ ଉତ୍ସର୍ଗୀକୃତ ମନୋଭାବ ଆଜି  ବି ପାଣିମୋରାକୁ ଜାତୀୟସ୍ତରରେ ଚର୍ଚ୍ଚିତ କରିବାରେ ସମର୍ଥ ହୋଇଛି ।  

ବରଗଡ଼ ଜିଲ୍ଲା ସୋହେଲା ବ୍ଲକ  ଅନ୍ତର୍ଗତ ଅଖ୍ୟାତପଲ୍ଲୀ ପାଣିମୋରା । ଗାନ୍ଧିଜୀଙ୍କ  ଆହ୍ୱାନରେ ଉଦ୍‌ବୁଦ୍ଧ ହୋଇ ୧୯୩୬ରୁ  ୧୯୪୭ ମଧ୍ୟରେ ସ୍ୱାଧୀନତା ସଂଗ୍ରାମରେ  ଲମ୍ଫ ଦେଇଥିଲେ ଗାଁର ଉତ୍ସାହୀ ଯୁବକ ।  ବ୍ରିଟିଶ ପୁଲିସ ଦ୍ୱାରା ଗିରଫ ହୋଇ ୩୨  ଜଣ କାରାବାରଣ କରିବା ପରେ ପାଣିମୋରା  ରାତାରାତି ହୋଇଯାଇଥିଲା ଚର୍ଚ୍ଚିତ । ଗାନ୍ଧିଜୀଙ୍କ  ଆହ୍ୱାନରେ ଗାଁର ୯ଜଣ ଦେଶପ୍ରେମୀ ଯଶୋବନ୍ତ  ଭୋଇ, ଋଷି ସରାଫ, ଶ୍ୟାମସୁନ୍ଦର ସାହୁ,  ଧନଞ୍ଜୟ ପ୍ରଧାନ, ଚୈତନ୍ୟ ସରାଫ, ରାଘବ  ଚରଣ ପରିଡ଼ା, ଚମରୁ ପରିଡ଼ା, ଡମ୍ବରୁଧର  ଦେୱାନ ଓ କବି ଦିବ୍ୟ କିଶୋର ସାହୁ ୧୯୪୦ରୁ  ୧୯୪୨ ପର୍ଯ୍ୟନ୍ତ ସତ୍ୟାଗ୍ରହ ଓ ଭାରତଛାଡ଼  ଆନ୍ଦୋଳନରେ ଝାସ ଦେଇଥିଲେ । କବି ଶ୍ରୀ  ସାହୁଙ୍କ ସଂଗ୍ରାମୀ କବିତା ସେତେବେଳେ  ସମସ୍ତଙ୍କ ମନରେ ଜଳାଇଥିଲା ଦେଶପ୍ରେମର  ବହ୍ନି । ସେହିପରି ଦୟାନନ୍ଦ ସରସ୍ୱତୀଙ୍କ  ଦୀକ୍ଷା ଭରିଥିଲା ଅଦମ୍ୟ ସାହସ । ସେମାନଙ୍କ  କାର୍ଯ୍ୟକଳାପରେ ପ୍ରଭାବିତ ହୋଇ ଫୁଲଶର  ପ୍ରଧାନ, ଚନ୍ଦ୍ରଭାନୁ ପରଡ଼ିଆ, ଦୟାନିଧି ନାୟକ,  ଚୈତନ୍ୟ ସାହୁ, ମୀନକେତନ ସରାଫ, ଜିତେନ୍ଦ୍ର  ପ୍ରଧାନ, ଶଙ୍କର ପ୍ରଧାନ, ଫକୀର ବେହେରା,  ଧନସିଂହ ପ୍ରଧାନ, ଧନୁ ସାହୁ, ଶ୍ରୀବ ନାୟକ,  ପ୍ରଭାକର ସାହୁ, ପ୍ରଭାକର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର  ପ୍ରଧାନ, କହ୍ନାଇଲାଲ ସାହୁ, ଗୋକୁଳଚନ୍ଦ୍ର  ନାୟକ, ମଦନମୋହନ ପ୍ରଧାନ, ହରିହର  ପ୍ରମୁଖ ସ୍ୱାଧୀନତା ସଂଗ୍ରାମରେ ସାମିଲ  ହୋଇଥିଲେ । ଏଥିପାଇଁ ବ୍ରିଟିଶ ସରକାରଙ୍କ  ରୋଷର ଶିକାର ହୋଇଥିଲେ ସଭିଏଁ ।  ପ୍ରତ୍ୟେକଙ୍କୁ ଚାରିମାସରୁ ଦୁଇବର୍ଷ ଯାଏ  କାରାବରଣ କରିବାକୁ ପଡ଼ିଥିଲା ।   

୧୯୪୭ ଅଗଷ୍ଟ ୧୫ରେ ଦେଶ ସ୍ୱାଧୀନତା  ଲାଭ କରିବା ଦିନ ଗ୍ରାମବାସୀ ପାଳିଥିଲେ  ଉତ୍ସବ । ‘ଭାରତମାତା’ଙ୍କ ପ୍ରତିଛବିକୁ  ଶଗଡ଼ରେ ସଜେଇ ଗାଁ ପରିକ୍ରମା କରିଥିଲେ । ରାତିରେ ପିଠାପଣା କରି ମଉଜ କରିଥିଲେ ।  ହେଲେ ୧୯୪୮ ଜାନୁଆରୀରେ ଗାନ୍ଧିଜୀଙ୍କ  ହତ୍ୟା କରାଯିବା ଘଟଣା ଗ୍ରାମବାସୀଙ୍କୁ  ଦୋହଲାଇ ଦେଇଥିଲା । ଦୁଃଖରେ ମ୍ରିୟମାଣ  ଗାଁ ଲୋକେ ସେହିଦିନ ସମୂହ ଉପବାସ  ରହିଥିଲେ । ଗାନ୍ଧୀସ୍ମୃତିକୁ ସାଇତି ରଖିବା  ପାଇଁ ଆଜି ବି ପ୍ରତି ଶୁକ୍ରବାର ସନ୍ଧ୍ୟାରେ  ଗାଁରେ ଏକାଦଶ ଆବୃତ୍ତି ପ୍ରାର୍ଥନା କରାଯାଉଛି ।  ସଂଗ୍ରାମୀଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଗ୍ରାମ  କମିଟିର ସଦସ୍ୟଙ୍କୁ ନେଇ ସ୍ୱାଧୀନତା  ସଂଗ୍ରାମୀ ପରିଷଦ ଗଠନ କରାଯାଇଛି ।  ପରିଷଦର ଉଦ୍ୟମରେ ସଂଗ୍ରାମୀଙ୍କ ସ୍ମୃତିକୁ  ନେଇ ମ୍ୟୁଜିୟମ କରାଯାଇଛି । ସ୍ୱାଧୀନତା  ସଂଗ୍ରାମର ମହନୀୟ ସ୍ୱାକ୍ଷର ବହନ କରୁଥିବା  ‘ପାଣିମୋରା’କୁ ଐତିହ୍ୟ ଗ୍ରାମ ବା ହେରିଟେଜ  ଭିଲେଜ ମାନ୍ୟତା ଦେବା ଜରୁରୀ । ଦାବି ପୂରଣ  ହେଲେ ଗାଁର ପର୍ଯ୍ୟଟନ ସମ୍ଭାବନା ବଢ଼ିବ ଏବଂ  ସଂଗ୍ରାମୀଙ୍କ ତୀର୍ଥକ୍ଷେତ୍ର ପାଣିମୋରା ବିଷୟରେ  ବିଶ୍ୱବାସୀ ଜାଣିପାରିବେ ବୋଲି ବରଗଡ଼ର  ବୁଦ୍ଧିଜୀବୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.