ନୂଆଦିଲ୍ଲୀ : ବାଂଲାଦେଶରେ ହିନ୍ଦୁ ସଂପ୍ରଦାୟ ଉପରେ ଅତ୍ୟାଚାର ବଢି ଚାଲିଛି। ଏହାକୁ ନେଇ ସେଠାର ଅନ୍ତରୀଣ ସରକାରର ପ୍ରମୁଖ ମହମ୍ମଦ ୟୁନୁସଙ୍କ ସହ ଭାରତର ସଂପର୍କ ବିଗିଡ଼ି ଯାଇଛି। ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ହମଲାକୁ ନେଇ ୟୁନୁସ ସରକାର ଉପରେ ଲଗାତାର ପ୍ରଶ୍ନ ଉଠାଇଛି ଭାରତ, କିନ୍ତୁ ତାଙ୍କ ସରକାର ଏହି ଅଭିଯୋଗକୁ ଖାରଜ କରି ଚାଲିଛି ଏବଂ ଏହି ଅଭିଯୋଗରୁ ବର୍ତ୍ତିବା ପାଇଁ ଚେଷ୍ଟା କରିଥିବା ନଜର ଆସିଛି। ଏହି ମଧ୍ୟରେ, ରବିବାର ମହମ୍ମଦ ୟୁନୁସ ଚଟଗାଁ ସ୍ଥିତ ମିଲିଟାରୀ ଟ୍ରେନିଂ ଏରିଆରେ , ବାଂଲାଦେଶୀ ସେନାର ଏକ ପ୍ରମୁଖ ଯୁଦ୍ଧାଭ୍ୟାସରେ ଯୋଗ ଦେଇଥିଲେ। ସେ ଏହି ଅବସରରେ ସେନାର ପ୍ରସ୍ତୁତିକୁ ପ୍ରଶଂସା କରିବା ସହ କହିଥିଲେ - କୌଣସି ବି ସମୟରେ ଆବଶ୍ୟକ ପଡ଼ିଲେ ସେନାକୁ ପୂରା ସାହସ ଓ ପ୍ରସ୍ତୁତିର ସହ ଯୁଦ୍ଧକୁ ଓହ୍ଲାଇବାକୁ ହେବ। ବିଶେଷଜ୍ଞଙ୍କ ଅନୁସାରେ, ଏହି ଅଭ୍ୟାସ ପଛରେ ମହମ୍ମଦ ୟୁନିସଙ୍କର ପ୍ରକୃତ ଉଦ୍ଦେଶ୍ୟ ନିଜର ସେନା ଶକ୍ତିର ପ୍ରଦର୍ଶନ କରିବାର ଥିଲା, ଯାହାକି ଅନ୍ତରାଷ୍ଟ୍ରୀୟ ଚାପ ଓ ସମାଲୋଚନା ମଧ୍ୟରେ ସେ ନିଜର ସ୍ଥିତି ମଜବୁତ କରି ପାରିବେ।
ଢାକା ଟ୍ରିବ୍ୟୁନର ରିପୋର୍ଟ ମୁତାବିକ, ୟୁନୁସ ନିଜର ସମ୍ୱୋଧନରେ କହିଛନ୍ତି , ଯୁଦ୍ଧାଭ୍ୟାସ ବାସ୍ତବିକ ଯୁଦ୍ଧର ପ୍ରସ୍ତୁତର ମହତ୍ତ୍ୱପୂର୍ଣ୍ଣ ଅଂଶ। ସେନାର ମୁଖ୍ୟ ଲକ୍ଷ୍ୟ ସବୁ ପରିସ୍ଥିତିରେ ଦେଶର ରକ୍ଷା କରିବା ଓ ବିଜୟ ସୁନିଶ୍ଚିତ କରିବା। ସେ ଏହା ମଧ୍ୟ କହିଛନ୍ତି, ଆମେ ଶାନ୍ତିର ପକ୍ଷଧର, କିନ୍ତୁ ଯେବେ ସ୍ୱାଧୀନତା ଓ ସାର୍ବଭୌମତ୍ୱର ପ୍ରଶ୍ନ ଉଠେ ତ ,ଆମେ ପ୍ରତି ଚ୍ୟାଲେଞ୍ଜର ସାମନା କରିବା ପାଇଁ ପ୍ରସ୍ତୁତ ରହିବାକୁ ହେବ।
ସୂଚନା ଅନୁସାରେ, ରବିବାର (୫ଜାନୁଆରୀ) ଦ୍ୱିପ୍ରହର ୧୨.୩୬ଟା ସମୟରେ ହେଲିକପ୍ଟରରେ ଢାକାରୁ ପ୍ରସ୍ଥାନ କରି ମିଲିଟାରୀ ଟ୍ରେନିଂ ଏରିଆରେ ପହଞ୍ଚି ଥିଲେ। ତାଙ୍କୁ ବାଂଲାଦେଶର ସେନାଧ୍ୟକ୍ଷ ୱାକର-ଉଜ୍-ଜମାନ, ନୌସେନା ପ୍ରମୁଖ ଆଡମିରଲ ଏମ.ନଜମୁଲ ହସନ ଓ ବାୟୁସେନା ପ୍ରମୁଖ ଏୟାର ଚିଫ୍ ମାର୍ଶଲ ହସନ ମହମ୍ମଦ ଖାନ ସ୍ୱାଗତ କରିଥିଲେ। ୟୁନୁସ ପାଖାପାଖି ଘଣ୍ଟାଏ ଯାଏ ଯୁଦ୍ଧାଭ୍ୟାସର ନିରୀକ୍ଷଣ କରିଥିଲେ ଏବଂ ଏହାପରେ ସମାପନ ଭାଷଣ ଦେଇଥିଲେ।