ସମ୍ବଲପୁର, ୨୮/୦୮ : ବନ ବିଭାଗ ସ୍ୱତନ୍ତ୍ର ଟିମ୍ କରି ଜଙ୍ଗଲରେ ଘନ ଘନ ଚଢ଼ାଉ କରୁଛି । କରଡି ସଂଗ୍ରହ କରୁଥିବା ଲୋକଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ନେଉଛି । ହେଲେ ଏହି ବାଉଁଶ ଗଜାରୁ ତିଆରି କରଡ଼ି ଏବଂ ହେଣ୍ଡୁଆ ପସରା ଏବେ ସହରରେ ଏକପ୍ରକାର ବାଟ ଓଗାଳିବା ଭଳି ସ୍ଥିତି ସୃଷ୍ଟି କଲାଣି । ବାଉଁଶ ଗଜାରୁ ତିଆରି କରଡ଼ି ଏବଂ ହେଣ୍ଡୁଆ ହେଉଛି ପଶ୍ଚିମ ଓଡ଼ିଶାର ଏକ ପ୍ରସିଦ୍ଧ ତଥା ସୁସ୍ୱାଦୁ ଖାଦ୍ୟ । ସଭ୍ୟତା ଯେତେ ଉନ୍ନତ ହେଲେ ବି ଏହି ବାଉଁଶ କରଡ଼ି ଏବଂ ହେଣ୍ଡୁଆ ତାର ଚାହିଦାକୁ ଅତୁଟ ରଖି ଆସିଛି । ଏପରିକି ଏହା ପଶ୍ଚିମ ଓଡ଼ିଶା ବାହାରେ ଦେଶ ତଥା ବିଦେଶରେ ରହୁଥିବା ପ୍ରବାସୀଙ୍କ ମଧ୍ୟରେ ବି ଏହାର ଚାହିଦା ବଢ଼ିବାରେ ଲାଗିଛି ।
ଅପରପକ୍ଷରେ, ଏହି କରଡ଼ି ଏବଂ ହେଣ୍ଡୁଆର ଅବାଧ ବିକ୍ରି ଦ୍ୱାରା ବାଉଁଶ ଜଙ୍ଗଲ ଧ୍ୱଂସ ପାଇବାକୁ ବସିଲାଣି । ଏହାର ଧରପଗଡ଼ ପାଇଁ ଜଙ୍ଗଲରେ ଚଢ଼ାଉ ଚାଲିଥିବା ନେଇ ବିଭାଗ କହୁଥିବା ବେଳେ ସମ୍ବଲପୁର ସହରରେ କିନ୍ତୁ ଏହାର ପସରା ଚାରିଆଡ଼େ ଦେଖିବାକୁ ମିଳୁଛି । ଏପରିକି ଆଉ ଦିନ କେଇଟା ପରେ ଗୁଣ୍ଡ ଆକାରରେ ବିକ୍ରି ହେଉଥିବା ହେଣ୍ଡୁଆ ବି ବଜାରକୁ ଆସିବାକୁ ପ୍ରସ୍ତୁତ ହେଲାଣି । ଏଥିପାଇଁ ଗାଁ ଗାଁରେ ହେଣ୍ଡୁଆ ଶୁଖାଇବା ଆରମ୍ଭ ହୋଇଛି । ବେସରକାରୀ ଆକଳନ ହିସାବରେ ଏହି ଦୁଇ ମାସରେ ହିଁ କେବଳ ସମ୍ବଲପୁର ଜିଲ୍ଲାରେ ୫ ହଜାର ଟନ୍ରୁ ଅଧିକ କରଡ଼ି ବେପାର ହେଉଥିବା ସୂଚନା ମିଳିଛି ।
ବାଉଁଶ ଗଜାରୁ ତିଆରି କରଡ଼ି ଓ ହେଣ୍ଡୁଆର ଚାହିଦା ଆଦିମ କାଳରୁ ରହି ଆସିଛି । ପଶ୍ଚିମ ଓଡ଼ିଶାରେ ଚୂନା ମାଛର ଚୁଟଚୁଟା ହେଉ ଅବା ମାଖନ୍ ବା ସାରୁ ଶାଗ ଖରଡ଼ା କିମ୍ବା ଜହ୍ନି ରାଇତା ହେଉ ପ୍ରତିଟି ରୋଷେଇରେ କରଡ଼ି କିମ୍ବା ହେଣ୍ଡୁଆ ମିଶାଇଲେ ସ୍ୱାଦ ବଢ଼ିଯାଏ । ଏଥିପାଇଁ ମୁଖ୍ୟତଃ ଆଷାଢ଼ ମାସର ଶେଷ ଆଡ଼ରୁ ବଜାରକୁ କଞ୍ଚା କରଡ଼ି ଓ ହେଣ୍ଡୁଆ ବହୁଳ ମାତ୍ରାରେ ବିକ୍ରି ପାଇଁ ଆସେ । କାର୍ତ୍ତିକ ମାସ ପର୍ଯ୍ୟନ୍ତ ବିକ୍ରି ହୋଇଥାଏ । ଶୁଖିଲା ହେଣ୍ଡୁଆ ବର୍ଷତମାମ ବିକ୍ରି ହୋଇଥାଏ । ଆଗରୁ ଏହା କେବଳ ଗରିବ ଘରର ପଖାଳ କଂସା ପାଖରେ ଶୋଭା ପାଉଥିଲା ।
ବର୍ତ୍ତମାନ ଏହା ଆଲିସାନ୍ ହୋଟେଲର ମେନ୍ୟୁରେ ସ୍ଥାନ ପାଇଲାଣି । ସେଥିପାଇଁ ବିଭିନ୍ନ ସପିଂ ମଲ୍ରେ ବି ଏହା ଆକର୍ଷଣୀୟ ପ୍ୟାକିଂ ହୋଇ ବିକ୍ରି ହେଉଛି । ତେବେ, ଏହାର ବେପାର ବେଆଇନ ବୋଲି ବନ ବିଭାଗ ପୋଷ୍ଟର ମାରୁଛି । ସପିଂ ମଲ୍ରେ କିନ୍ତୁ ଆକର୍ଷଣୀୟ ପ୍ୟାକିଂରେ ବିକ୍ରି ହେଉଛି । ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳର ଲୋକେ ବାଉଁଶ ଗଜା ହେବା ମାତ୍ରେ ତାହାକୁ ଭାଙ୍ଗି ଆଣି କରଡ଼ି ଏବଂ ହେଣ୍ଡୁଆ ପ୍ରସ୍ତୁତିରେ ଲାଗି ପଡ଼ିଥାନ୍ତି । ତେବେ, ଏହାଦ୍ୱାରା ନୂତନ ବାଉଁଶ ସୃଷ୍ଟି ହୋଇପାରୁ ନଥିବା ବେଳେ ଦିନକୁ ଦିନ ଜଙ୍ଗଲ ବ୍ୟାପକ ଭାବେ ନଷ୍ଟ ହେଉଛି । ବିଶେଷ କରି ଜଙ୍ଗଲରେ ମୃତ୍ତିକା ସଂରକ୍ଷଣରେ ବାଉଁଶ ବୁଦାର ଗୁରୁତ୍ୱପୂର୍ଣ ଭୂମିକା ରହିଥିବା ବେଳେ ଏହା ନଷ୍ଟ ହେବା ସାଙ୍ଗକୁ ମୃତ୍ତିକା ଅବକ୍ଷୟ ବି ହେଉଛି । ବାଉଁଶର ସଂରକ୍ଷଣ ପାଇଁ ସରକାରୀସ୍ତରରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ବାସ୍ତବରେ ତାହା କେବଳ କାଗଜପତ୍ରରେ ସୀମିତ ରହିଯାଉଛି ।
ବିଶେଷ କରି ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଉପଖଣ୍ଡର ନାକଟିଦେଉଳର ହିତସରା, ଖଳାଶୁଣୀ ଆଦି ଜଙ୍ଗଲ ସମେତ କୁଚିଣ୍ଡା ଉପଖଣ୍ଡର ବଡ଼ରମା ଅଭୟାରଣ୍ୟ ଅଞ୍ଚଳରୁ ବ୍ୟାପକ ମାତ୍ରାରେ କରଡ଼ି ସଂଗୃହୀତ ହୋଇଥାଏ । ଅପରପକ୍ଷେ, ଏହି ସିଜନ୍ ସମୟରେ ମଧ୍ୟ ଜଙ୍ଗଲରେ କେବଳ ନାମକୁ ମାତ୍ର ଧରପଗଡ଼ ହେଉଥିବା ବେଳେ ଅବାଧରେ ବାଉଁଶ ଗଜା ସଂଗ୍ରହ ଚାଲିଛି । ଆଉ ଏହାକୁ କରଡ଼ି ଏବଂ ହେଣ୍ଡୁଆ ପ୍ରସ୍ତୁତ କରି ସମ୍ବଲପୁର ପରି ବିଭିନ୍ନ ସହରରୁ ଆରମ୍ଭ କରି ଗ୍ରାମାଞ୍ଚଳର ବଜାର ଯାଏ କ୍ୱିଣ୍ଟାଲ କ୍ୱିଣ୍ଟାଲ ବିକ୍ରି ହେଉଛି । ଏବେ ସମ୍ବଲପୁର ସହରର ସବୁ ମୁଖ୍ୟ ରାସ୍ତା କଡ଼ରେ ଶତାଧିକ ସଂଖ୍ୟାରେ କରଡ଼ି ଏବଂ ହେଣ୍ଡୁଆର ପସରା ଦେଖିବାକୁ ମିଳୁଛି । ଏପରିକି ସବୁ ପରିବା ପସରା ସହ କରଡ଼ି ରହିଛି । ଜଙ୍ଗଲ ଅଧିବାସୀ ଏହାକୁ ସଂଗ୍ରହ କରି କରଡ଼ି କେଜି ପିଛା ୫୦ରୁ ୬୦ ଟଙ୍କାରେ ବିକ୍ରି କରୁଛନ୍ତି । ସହରକୁ ଆସିବା ପରେ ଏହା କେଜି ପିଛା ୧୬୦ ଟଙ୍କାରେ ବିକ୍ରି ହେଉଛି । ଆଉ ଏହାକୁ ସବୁ ବର୍ଗର ଲୋକ ଏବଂ ଖାଦ୍ ବନ ବିଭାଗର କର୍ମଚାରୀ ବି କିଣୁଥିବା ଅଭିଯୋଗ ହେଉଛି । ହେଲେ ଏହାର ବିକ୍ରି ଆଳରେ କେତେ ଯେ ଜଙ୍ଗଲ ଧ୍ୱଂସ ପାଉଛି ତାହାର ହିସାବ କାହାରି ପାଖରେ ନାହିଁ ।