ନୂଆଦିଲ୍ଲୀ ୦୨/୦୨: ଘର, ଗାଡି଼ଠୁ ଆରମ୍ଭ କରି ଆଜିକାଲି ଅନେକ ଜିନିଷ ଭଡ଼ାରେ ମିଳୁଛି । ଏତିକିରେ ସୀମିତ ନାହିଁ, ବିଶ୍ୱର କିଛି ଦେଶରେ ତ ପ୍ରେମିକ-ପ୍ରେମିକା, ବାପା, ମା’ ପର୍ଯ୍ୟନ୍ତ ଭଡ଼ାରେ ମିଳିଥାଆନ୍ତି! ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । ଏହା ବୋଲି ଗୋଟିଏ ଦେଶ ଭଡ଼ାରେ ମିଳେ? ବିଶ୍ୱାସ ହେଉନଥିଲେ ବି କିଛି ବର୍ଷ ଆଗରୁ ଏହି ଅବିଶ୍ୱସନୀୟ କଥାଟି ବାସ୍ତବ ଥିଲା । ସେହି ଦେଶଟିର ନାଁ ଲିଚେନଷ୍ଟାଇନ୍ ।
ସ୍ୱିଜରଲ୍ୟାଣ୍ଡ ଏବଂ ଅଷ୍ଟ୍ରିଆ ମଧ୍ୟରେ ଅବସ୍ଥିତ ୟୁରୋପ୍ର ଏହି ଛୋଟ ଦେଶଟି ୨୦୧୧ ପର୍ଯ୍ୟନ୍ତ ରାତ୍ରିଯାପନ ପାଇଁ ଭଡ଼ାରେ ମିଳୁଥିଲା । ଅବିଶ୍ୱାସ ଲାଗୁଥିଲେ ସୁଦ୍ଧା ବିଷୟଟି ସତ । କିନ୍ତୁ ପରବର୍ତ୍ତୀ ସମୟରେ ସେହି ନିୟମ ବଦଳିଗଲା । ତେବେ ୨୦୧୧ ମସିହା ପର୍ଯ୍ୟନ୍ତ ୪୦ ହଜାର ଜନସଂଖ୍ୟା ବିଶିଷ୍ଟ ସେହି ଦେଶକୁ ମୋଟା ଅର୍ଥ ବିନିମୟରେ ଭଡ଼ାରେ ନେଇ ପାରୁଥିଲେ ଯେ କେହି । ମାତ୍ର ଗୋଟିଏ ରାତି ପାଇଁ ସମଗ୍ର ଲିଚେନଷ୍ଟାଇନ୍ ଭଡ଼ା କରିବାର ଖର୍ଚ୍ଚ ଥିଲା ବିଶାଳ । ଭାରତୀୟ ମୁଦ୍ରାରେ ପ୍ରାୟ ୬୦ ଲକ୍ଷ ଟଙ୍କା । ଏହି ଅକଳ୍ପନୀୟ ଅଭିଜ୍ଞତାକୁ ସମ୍ଭବ କରିବା ପାଇଁ ଲିଚେନଷ୍ଟାଇନ୍କୁ ଲୋକପ୍ରିୟ ‘ହୋମଷ୍ଟେ’ ବୁକିଂ ସଂଖ୍ୟା ‘ଏୟାରବିଏନ୍ବି’ ସଂସ୍ଥାରେ ତାଲିକାଭୁକ୍ତ କରାଯାଇଥିଲା ।
ଏକ ବିପଣନ ଏବଂ ପ୍ରଯୋଜନା ସଂସ୍ଥାର ସହଯୋଗିତାରେ ପୂରା ଦେଶଟି ଭଡ଼ା ଦିଆଯାଉଥିଲା । ଏହି ଦେଶଟିକୁ ଭଡ଼ାରେ ନେବା ସାଧାରଣ ବିଷୟ ନଥିଲା । କେହି ଦେଶଟିକୁ ଭଡ଼ାରେ ନେବା ସମୟରେ ସ୍ଥାନୀୟ ପ୍ରଶାସନ ତରଫରୁ ଅତିଥିଙ୍କ ପାଇଁ ଭବ୍ୟ ଆୟୋଜନ କରାଯାଉଥିଲା । ସାରା ଦେଶ ବ୍ୟାପୀ ଉତ୍ସବ ଆରମ୍ଭ ହେଉଥିଲା । ଅତିଥିଙ୍କୁ ରାସ୍ତା ଚିହ୍ନିବାରେ ଅସୁବିଧା ନ ହେବା ପାଇଁ ରାସ୍ତା ଧାରରେ ବଡ଼ ବଡ଼ ପୋଷ୍ଟର୍ ଲଗାଯାଉଥିଲା । ଐତିହାସିକ ଦୁର୍ଗ ସମେତ ଅତିଥିମାନଙ୍କୁ ସେ ଦେଶର ଏମିତି ସବୁ ଜାଗାରେ ପ୍ରବେଶାଧିକାର ମିଳୁଥିଲା, ଯେଉଁଠି ସାଧାରଣ ଲୋକଙ୍କ ପ୍ରବେଶ ନିଷେଧ ଥିଲା ।
କେହି ଦେଶଟିକୁ ଭଡ଼ା କଲେ ଲିଚେନଷ୍ଟାଇନ୍ର ରାଜା ବ୍ୟକ୍ତିଗତ ଭାବେ ତାଙ୍କ ହାତରେ ଦେଶର ଚାବି ହସ୍ତାନ୍ତର କରୁଥିଲେ । ରାଜାଙ୍କ ତରଫରୁ ବି ଅତିଥିମାନଙ୍କ ପାଇଁ ବିଶେଷ ବ୍ୟବସ୍ଥା ରହୁଥିଲା । ବ୍ୟକ୍ତିଗତ ଅନୁଷ୍ଠାନ ପାଖାପାଖି ଆଲ୍ପସ ପର୍ବତ ଉପରେ ଆତସବାଜି ପ୍ରଦର୍ଶନର ଆୟୋଜନ କରାଯାଉଥିଲା । ରାଜା ନିଜେ ବି ଅତିଥି ଆପ୍ୟାୟନ ପାଇଁ ସେହି ସବୁ ଅନୁଷ୍ଠାନରେ ଉପସ୍ଥିତ ଥିଲେ ।
ବିଖ୍ୟାତ ରାପ୍ ଗାୟକ ସ୍ନୁପ୍ ଡଗ୍ ଥରେ ଏକ ମ୍ୟୁଜିକ୍ ଭିଡିଓ କରିବା ଉଦ୍ଦେଶ୍ୟରେ ସେହି କ୍ଷୁଦ୍ର ଦେଶ ଭଡ଼ାରେ ନେବାକୁ ଚାହିଁଥିଲେ । କିନ୍ତୁ ବୁକିଂ କରିବାରେ ବିଳମ୍ବ କରିବାରୁ ତାଙ୍କ ଆବେଦନକୁ ଖାରଜ କରି ଦିଆଯାଇଥିଲା । ଅନନ୍ୟ ସୁଯୋଗଟି ସ୍ୱପ୍ନ ଭଳି ମନେ ହେଉଥିଲେ ବି ୨୦୧୧ ମସିହା ପରଠାରୁ ଏହି ଦେଶଟିକୁ ଭଡ଼ା ସୂତ୍ରରେ ଦିଆଯାଉନାହିଁ । ଏହି ଦେଶଟି ଏକ ଅର୍ଦ୍ଧ-ସାମ୍ବିଧାନିକ ରାଜତନ୍ତ୍ର, ଯାହାର ଶୀର୍ଷ ସ୍ଥାନରେ ଅଛନ୍ତି ବର୍ତ୍ତମାନର ଯୁବରାଜ ଦ୍ୱିତୀୟ ହାନ୍ସ- ଆଡାମ ।