ନୂଆଦିଲ୍ଲୀ,୧୭/୦୨: ଜୀବନ ରାସ୍ତାରେ ବାପା ମାଆଙ୍କ ପରେ ଗୁରୁ ହୋଇଥାନ୍ତି ମାର୍ଗଦର୍ଶକ । ସେ ଦେଖାଇଥିବା ବାଟରେ ଚାଲିଲେ ସଫଳତା ମିଳେ । ତାଙ୍କ ଅବଦାନକୁ କେବେ ଭୁଲି ହୁଏ ନାହିଁ । ତାଙ୍କ ଅସୁବିଧା ସମୟରେ ଛିଡା ହେବା ସୌଭାଗ୍ୟର କଥା ହୋଇଥାଏ । ଭାରତର ପୂର୍ବତନ କ୍ରିକେଟର ଆଶିଷ ନେହେରା ଗୁରୁ ଦକ୍ଷୀଣା ଦେଇ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ପିଲାଦିନ କୋଚଙ୍କୁ ଘର ଗିପ୍ଟ କରି ଏକ ମିଶାଲ ସୃଷ୍ଟି କରିଛନ୍ତି । ଏହି ଖବର ପ୍ରକାଶ ପାଇବା ପରେ ସମସ୍ତେ କହୁଛନ୍ତି ଶିଷ୍ୟ ହେବ ତ ଏମିତି ।
ଭାରତୀୟ କ୍ରିକେଟର ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହେରା । ଜଣେ ଶିଷ୍ୟ ହିସାବରେ ନେହେରା ତାଙ୍କ ପିଲାଦିନ କୋଚଙ୍କୁ ଘର ଉପହାର ଦେଇଛନ୍ତି । କମେଣ୍ଟେଟର ଏବଂ ସ୍ପୋର୍ଟ୍ସ ବୋର୍ଡକାଷ୍ଟର ପଦ୍ମଜିତ୍ ସହରାବତ ଏହାର ଖୁଲାସା କରିଛନ୍ତି । ନେହେରାଙ୍କ ପିଲାଦିନ କୋଚ୍ ତାରକ ସିହ୍ନାଙ୍କୁ ଘର ଖାଲି କରିବାକୁ ନୋଟିସ୍ ହୋଇଥିଲା । ସେ ଭଡାରେ ରହୁଥିବା ଘର ଛାଡିବାକୁ କୁହାଯାଇଥିଲା । ସେ ଆଉ ଏକ ଘର ଖୋଜୁ ଥିବାକୁ ଏକାଡେମୀକୁ ବିଳମ୍ବରେ ଆସୁଥିଲେ । ତାଙ୍କ ପରିବାର ପାଖରେ ମୁଣ୍ଡ ଗୁଞ୍ଜିବାକୁ ଛାତ ନଥିଲା । ଏହା ଜାଣିବା ପରେ ୩ ଦିନ ଭିତରେ କୋଚଙ୍କୁ ଏକ ଘର ଗିପ୍ଟ କରିଥିଲେ । ଗୁରୁଙ୍କ ଦକ୍ଷୀଣା ଆକାରରେ ଘର ଉପହାର ଦେଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଆଶିଷ ନେହେରା ।
ଅଧିକ ପଢନ୍ତୁ...ଚାମ୍ପିଅନ୍ସ ଟ୍ରଫି: ଆଜି ପ୍ରଥମ ସେମି ଫାଇନାଲ୍ ଏବଂ ଭାରତ ମ୍ୟାଚ୍ର ବଳକା ଟିକେଟ୍ ବିକ୍ରି
ତାରକ ସିହ୍ନା କିଏ ? ଭାରତର ଜଣାଶୁଣା କ୍ରିକେଟ କୋଚ୍ ତାରକ ସିହ୍ନା । ସେ ୧୯୬୯ରେ ସୋନେଟ କ୍ରିକେଟ କ୍ଲବ ପ୍ରତିଷ୍ଠା କରିଥିଲେ । ଯେଉଁଠୁ ଆଶିଷ ନେହେରା,ଆକାଶ ଚୋପ୍ରା, ଅଞ୍ଜୁମ ଚୋପ୍ରା ଏବଂ ଶିଖର ଧାୱନଙ୍କ ପରି ବଡ ବଡ କ୍ରିକେଟର ବାହାରିଛନ୍ତି । ତାଙ୍କୁ ସ୍ନେହରେ ସମସ୍ତେ ଉସ୍ତାଦଜୀ ବୋଲି ସମ୍ବୋଧନ କରିଥାନ୍ତି । ୨୦୦୧ରୁ ୨୦୦୨ ମଧ୍ୟରେ ଭାରତୀୟ ମହିଳା କ୍ରିକେଟ ଦଳର କୋଚ୍ ଦାୟିତ୍ବ ତୁଲାଇଥିଲେ । ସେ ୨୦୧୮ରେ ଭାରତ ସରକାରଙ୍କ ପକ୍ଷରୁ ସମ୍ମାନଜନକ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ ହୋଇଥିଲେ । କ୍ୟାନ୍ସରରେ ପୀଡିତ ହୋଇ ୨୦୨୧ରେ ତାଙ୍କର ଦେହାନ୍ତ ହୋଇଥିଲା ।