ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ଜାଟ୍ ସଂପ୍ରଦାୟକୁ ଓବିସି ବର୍ଗରେ ସାମିଲ କରିବାକୁ ଅନୁରୋଧ କରିଛନ୍ତି । ଏନେଇ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ କରି, ଜାଟ୍ ସଂପ୍ରଦାୟକୁ ନ୍ୟାୟ ମିଳିବା ଦରକାର ବୋଲି କେଜ୍ରିଓ୍ବାଲ ଦାବି କରିଛନ୍ତି । ସେପଟେ ମୋଦୀଙ୍କୁ ଲେଖିଥିବା ଚିଠିରେ ଜାଟ ସଂପ୍ରଦାୟ ପ୍ରତି ଅନ୍ୟାୟ ହୋଇଛି ବୋଲି ଉଲ୍ଲେଖ କରିଛନ୍ତି ଆପ୍ର ରାଷ୍ଟ୍ରୀୟ ସଂଯୋଜକ । ସେ ଲେଖିଛନ୍ତି, କେନ୍ଦ୍ର ସରକାର ୧୦ ବର୍ଷ ଧରି ଓବିସି ସଂରକ୍ଷଣ ନାମରେ ଜାଟ୍ ସମ୍ପ୍ରଦାୟକୁ ଠକିଛନ୍ତି ।
୨୦୧୫ରେ ଆପଣ ଜାଟ୍ ସମ୍ପ୍ରଦାୟର ନେତାମାନଙ୍କୁ ଆପଣଙ୍କ ଘରକୁ ଡାକି ପ୍ରତିଶ୍ରୁତି ଦେଇଥିଲେ ଯେ, ଦିଲ୍ଲୀର ଜାଟ୍ ସମ୍ପ୍ରଦାୟକୁ ଓବିସିରେ ସାମିଲ କରାଯିବ। ୨୦୧୯ ୨୦୧୫ରେ, ଅମିତ ଶାହ ଜାଟ୍ ସମ୍ପ୍ରଦାୟକୁ କେନ୍ଦ୍ରର ଓବିସି ତାଲିକାରେ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ। ଯଦି ରାଜସ୍ଥାନର ଜାଟ ସମ୍ପ୍ରଦାୟର ଛାତ୍ରମାନେ ଡିୟୁରେ ସଂରକ୍ଷଣ ପାଉଛନ୍ତି, ତେବେ ଦିଲ୍ଲୀର ଜାଟ୍ ସମ୍ପ୍ରଦାୟ କାହିଁକି ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ‘କେନ୍ଦ୍ରର ଓବିସି ତାଲିକାରେ ନ ଥିବାରୁ ଦିଲ୍ଲୀର ଜାଟ୍ ସମ୍ପ୍ରଦାୟର ହଜାର ହଜାର ପିଲା ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏଣ୍ଟ୍ରି କରିପାରୁନାହାନ୍ତି।
ମୋଦୀ ସରକାର ଜାଟ୍ମାନଙ୍କୁ କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠାନରେ ସୁବିଧା ପାଇବାକୁ ଦେଉନାହାନ୍ତି। ଦିଲ୍ଲୀର ଜାଟ ସମ୍ପ୍ରଦାୟକୁ ସଂରକ୍ଷଣ ମିଳେ ନାହିଁ। ସେମାନଙ୍କୁ କଲେଜ ପ୍ରବେଶ କିମ୍ବା ଚାକିରିରେ ସଂରକ୍ଷଣ ମିଳେ ନାହିଁ। ପ୍ରଧାନମନ୍ତ୍ରୀ ନିଜେ ଘୋଷଣା କରିଥିଲେ ଯେ ଜାଟ ସମ୍ପ୍ରଦାୟକୁ ସଂରକ୍ଷଣ ମିଳିବ, କିନ୍ତୁ ତାହା କରାଯାଇ ନାହିଁ । ଗୃହମନ୍ତ୍ରୀ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ତାହା ପାଳନ କଲେ ନାହିଁ । ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ମିଛ କହୁଛନ୍ତି ବୋଲି କହିଛନ୍ତି କେଜ୍ରିଓ୍ବାଲ । ସେମାନେ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦିଅନ୍ତି, କିନ୍ତୁ ତା’ପରେ ଭୁଲିଯାଆନ୍ତି ବୋଲି ସେ ଅଭିଯୋଗ ମଧ୍ୟ କରିଛନ୍ତି ।