ଗୋପାଳପୁର, ୧୧/୬ : ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ କିଆ ଫୁଲ ଚାଷ ଉପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗବେଷଣା ହେବ । ଏ ନେଇ ରାଜ୍ୟ ସରକାର ଅର୍ଥ ମଞ୍ଜୁର କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ସୁଗନ୍ଧ କିଆ ଫୁଲ ଚାଷ ଓ ଏଥିରୁ ଅତର ସମେତ ଆନୁସଙ୍ଗିକ ସାମଗ୍ରୀ ଉତ୍ପାଦିତ ହେଉଥିବା ବେଳେ ଜିଲ୍ଲାରେ ଥିବା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବେ ଏହାର ଗବେଷଣାର କେନ୍ଦ୍ରବିନ୍ଦୁ ହେବ । ଏହି ଗବେଷଣା ଜରିଆରେ ଜଳବାୟୁ ସ୍ଥିର ଚାଷ ଏବଂ ସ୍ଥାୟୀ ଜୀବିକା ଓ କ୍ଷୁଦ୍ର ଶିଳ୍ପ ଉପରେ ରିପୋର୍ଟ ପ୍ରସ୍ତୁତ କରାଯିବ ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ଗବେଷଣା ଓ ନୂତନ ସଂଶୋଧନ କାର୍ଯ୍ୟକ୍ରମ (ଏମ୍ଆର୍ଆଇପି-୨୦୨୪) ଅଧୀନରେ ଜଳବାୟୁ ସ୍ଥିର ଚାଷ ଏବଂ ସ୍ଥାୟୀ ଜୀବିକା ଉପରେ ଗଞ୍ଜାମ ଜିଲ୍ଲାର ୪ଟି ବ୍ଲକ୍ରେ କିଆ ଫୁଲ ଚାଷର ସ୍ଥିତି ଏବଂ ଜୀବିକା ଆବଶ୍ୟକତା ଉପରେ ତଥ୍ୟ ସଂଗ୍ରହ କରାଯିବ । ଏହି ୪ଟି ବ୍ଲକ୍ ହେଲା ଚିକିଟି, ରଙ୍ଗେଇଲୁଣ୍ଡା, ଗଞ୍ଜାମ ଓ ଛତ୍ରପୁର । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୫ ଲକ୍ଷ ୫୦ ହଜାର ଟଙ୍କା ଦୁଇ ବର୍ଷ ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ବାଣିଜ୍ୟ ବିଭାଗ ସହକାରୀ ପ୍ରାଧ୍ୟାପକ ତଥା ପ୍ରକଳ୍ପ ମୁଖ୍ୟ ଗବେଷକ ଚନ୍ଦ୍ରିକା ପ୍ରସାଦ ଦାସଙ୍କୁ ପ୍ରଦାନ କରାଯାଇଛି ।
ଗବେଷକ ଦାସ କହିଛନ୍ତି ଜିଲ୍ଲାରେ ରାଜ୍ୟର ଅଧିକ କିଆ ଫୁଲ ଚାଷ କରାଯାଉଛି । ସେଥିରୁ ପ୍ରସ୍ତୁତ ହେଉଥିବା ବିଭିନ୍ନ ସୁଗନ୍ଧ ଦ୍ରବ୍ୟ ପ୍ରସ୍ତୁତି ପାଇଁ କ୍ଷୁଦ୍ର ଶିଳ୍ପ କରି କର୍ମ ନିଯୁକ୍ତି ସହ ରାଜସ୍ୱ ମିଳିବା ନେଇ ଏକ ରିପୋର୍ଟ ପ୍ରସ୍ତୁତି କରି ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରାଯିବ । କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ କହିଛନ୍ତି ରାଜ୍ୟ ସରକାର କିଆ ଫୁଲ ଚାଷକୁ ନେଇ ଗବେଷଣାର ଯେଉଁ ଦାୟିତ୍ୱ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ଦେଇଛନ୍ତି ତାହାକୁ ସୂଚାରୁ ରୂପେ ପାଳନ ପାଇଁ କୁହାଯାଇଛି । ଗବେଷଣା ଦ୍ୱାରା କିଆ ଫୁଲ ଚାଷୀ କିଭଳି ଉପକୃତ ହୋଇପାରିବେ ସେ ବାବଦରେ ଜ୍ଞାନ କୌଶଳ ପ୍ରଦାନ କରାଯିବ । ଏହି ଗବେଷଣା ଯଦି ଲାଭଦାୟକ ହୁଏ ତେବେ ପରବର୍ତ୍ତୀ ସମୟରେ ବିଶ୍ୱବିଦ୍ୟାଳୟରେ ପ୍ରୋସେସିଂ ୟୁନିଟ୍ କରିବା ପାଇଁ ନିଷ୍ପତ୍ତି ହୋଇପାରେ ବୋଲି ସେ କହିଛନ୍ତି ।