ମୁମ୍ବାଇ: ଦୀର୍ଘ ଦିନ ପରେ ଅଜିଙ୍କ୍ୟ ରାହାଣେ ଶତକ କରିବାରେ ସଫଳ ହୋଇଛନ୍ତି । ମଙ୍ଗଳବାର ହରିୟାଣା ବିପକ୍ଷରେ ମୁମ୍ବାଇ ଅଧିନାୟକ ଶତକ କରି ନିଜର ସ୍ଥିତି ମଜଭୁତ କରିବାକୁ ସକ୍ଷମ ହୋଇଛନ୍ତି । ରଣଜୀ ଟ୍ରଫି କ୍ବାର୍ଟର ଫାଇନାଲରେ ଦୀର୍ଘ ୭୬୨ ଦିନ ପରେ ରାହାଣେ ଶତକ କରିଛନ୍ତି । ୨୦୨୪/୨୫ ସିଜିନ୍ରେ ଭଲ ଆରମ୍ଭ କରିନଥିବା ରାହାଣେ ମେଘାଳୟ ବିପକ୍ଷରେ ଶେଷ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ ୯୬ ରନ୍ କରି ଆଉଟ୍ ହୋଇଥିଲେ । ହେଲେ କ୍ୱାର୍ଟରଫାଇନାଲ ମ୍ୟାଚ୍ରେ ସେ ନିଜର ଶତକ ହାସଲ କରିଛନ୍ତି । ଇଡେନ୍ ଗାର୍ଡେନ୍ସରେ ମୁମ୍ବାଇ ଏବଂ ହରିୟାଣା ମଧ୍ୟରେ କ୍ୱାର୍ଟରଫାଇନାଲ ମ୍ୟାଚ୍ର ତୃତୀୟ ଦିନ ଶେଷରେ ୮୮ ରନ୍ କରି ଅପରାଜିତ ଥିବା ରାହାଣେ ଚତୁର୍ଥ ଦିନ ସକାଳେ ନିଜର ଶତକ ପୂରଣ କରିଛନ୍ତି ।
ଅନୁଜ ଠକ୍ରାଲଙ୍କ ବଲ୍ରେ ଆଉଟ ହେବା ପୂର୍ବରୁ ସେ ୧୦୮ ରନ୍ କରିଛନ୍ତି । ଏହି ଶତକ ରାହାଣେଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା ବୋଲି କୁହାଯାଉଛି । ୨୦୨୨-୨୩ ସିଜିନ୍ ପରେ ପ୍ରଥମ ଥର ଆଜି ଶତକ କରିବାରେ ସଫଳ ହୋଇଛନ୍ତି ଅଜିଙ୍କ୍ୟ ରାହାଣେ । ଜାନୁଆରୀ ୨୦୨୩ରେ ରାହାଣେ ଆସାମ ବିପକ୍ଷରେ ୧୯୧ ରନ୍ କରିଥିଲେ । ସେପଟେ ନିଜର ୨୦୦ ତମ ପ୍ରଥମ ଶ୍ରେଣୀ କ୍ରିକେଟ ରାହାଣେଙ୍କୁ ଏହି ସଫଳତା ମିଳିଛି । ଭାରତୀୟ ଦଳରୁ ବାହାରେ ଥିବା ରାହାଣେ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରି ଲୋକପ୍ରିୟତା ସାଉଁଟିଛନ୍ତି । ଅନ୍ୟପକ୍ଷରେ ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଘରୋଇ କ୍ରିକେଟରେ ୧୪ ଇନିଂସ ପରେ ନିଜର ଫର୍ମ ଫେରି ପାଇଛନ୍ତି । ୮୬ ବଲ୍ରେ ୭୦ ରନ୍ କରିଛନ୍ତି ସୂର୍ଯ୍ୟକୁମାର ଯାଦବ । ହରିୟାଣା ବିପକ୍ଷରେ ପ୍ରଥମ ଇନିଂସରେ ୧୪ ରନ୍ରେ ଆଗୁଆ ଥିଲା ମୁମ୍ବାଇ । ଦ୍ବିତୀୟ ଇନିଂସରେ ରାହାଣେଙ୍କ ଶତକ ଓ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ଦଳ ୩୩୯ ରନ କରିପାରିଛି ଏବଂ ହରିୟାଣାକୁ ୩୫୪ ରନ୍ ଟାର୍ଗେଟ୍ ଦେଇଛି ।
ହରିୟାଣା ଦଳ
ଲକ୍ଷ୍ୟ ଦଲାଲ, ୟଶ ବର୍ଦ୍ଧନ ଦଲାଲ, ଅଙ୍କିତ କୁମାର (ଅଧିନାୟକ), ହିମାଂଶୁ ରାଣା, ନିଶାନ୍ତ ସିନ୍ଧୁ, ରୋହିତ ପରମୋଦ ଶର୍ମା (ଓ୍ବିକେଟକିପର), ଜୟନ୍ତ ଯାଦବ, ସୁମିତ କୁମାର, ଅନସୁଲ କମ୍ବୋଜ, ଅନୁଜ ଠକ୍ରାଲ, ଅଜିତ ଚହଲ
ମୁମ୍ବାଇ ଟିମ୍
ଆୟୁଷ ମହାତ୍ରେ, ଆକାଶ ଆନନ୍ଦ (ଓ୍ବିକେଟକିପର), ସିଦ୍ଧେଶ ଲାଡ, ଅଜିଙ୍କ୍ୟ ରାହାଣେ (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଶିବମ୍ ଦୁବେ, ଶ୍ୟାମ ମୁଲାନି, ଶାର୍ଦ୍ଦୁଲ ଠାକୁର, ତନୁଶ କୋଟିୟାନ୍, ମୋହିତ ଅବସ୍ତି, ରୟଷ୍ଟନ୍ ଦିଆସ୍