ଗଣତନ୍ତ୍ର ପଦ୍ଧତିରେ ରାଜନୈତିକ ଦଳମାନେ ନିର୍ବାଚନ ଜିତି ସରକାର ଗଢ଼ିବା ଏକ ନିରନ୍ତର ପ୍ରକ୍ରିୟା ଅଟେ । ଦେଶ ସ୍ୱାଧୀନ ହେବାର ୭୬ବର୍ଷ ପରେ, ଅନେକ ପଦକ୍ଷେପ ନେଲାପରେ ମଧ୍ୟ କୃଷି ଓ କୃଷକ ଦୁର୍ଦ୍ଦଶାମୁକ୍ତ ନୁହେଁ । ସ୍ୱତଃ ମନରେ ପ୍ରଶ୍ନଉଠେ ଯଦି ଚାକିରୀ, ବ୍ୟବସାୟ, ବୃତ୍ତି ବା ରାଜନୀତି କରୁଥିବା ବ୍ୟକ୍ତି ସୁଖ-ସ୍ୱାଚ୍ଛନ୍ଦ୍ୟରେ ଜୀବନ ଅତିବାହିତ କରିପାରୁଛନ୍ତି ତେବେ କୃଷକ କାହିଁକି ନୁହେଁ?
ରତ୍ନଗର୍ଭା ଓଡିଶା । ଏହାର ମାଟିତଳେ ଖଣିଜ ପଦାର୍ଥ ମହଜୁଦ ଥିଲାବେଳେ, ଉପରେ ଜଳର ଉତ୍ସ, ପର୍ଯ୍ୟାପ୍ତ କୃଷି ଯୋଗ୍ୟ ଜମି, ଉତ୍ତମ ଭୌଗୋଳିକ ସ୍ଥିତି, ଉର୍ବରତା ଓ ଅନୁକୂଳ ପାଗ ଯୋଗୁଁ ଅଧିକାଂଶ ଲୋକ କୃଷି କର୍ମକରି ଜୀବୀକା ନିର୍ବାହ କରିଥାନ୍ତି । ଓଡିଶା ଏକ କୃଷପ୍ରଧାନ ରାଜ୍ୟ ଅଟେ । କୃଷି ରାଜ୍ୟର ମୁଖ୍ୟ ରୋଜଗାରର ଆୟୂଧ ହୋଇଥିବାରୁ, ଗ୍ରାମୀଣ ବିକାଶରେ ଏହାର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି । ଏହା କ୍ଷୁଧା ନିବାରଣ ଓ ଦାରିଦ୍ର୍ୟ ଦୂରୀକରଣର ଏକ ପ୍ରମୁଖ ମାଧ୍ୟମ ଅଟେ । କୃଷି ଯେ କେବଳ ଖାଦ୍ୟ ଉପାଦାନ କରୁଅଛି, ତାହା ନୁହେଁ, ବରଂ ଲାଭପ୍ରଦ ରୋଜଗାର ସୃଷ୍ଟିକରି ଯୁବବର୍ଗଙ୍କୁ କର୍ମ ନିଯୁକ୍ତି ଯୋଗାଇ ବେକାରୀ ସମସ୍ୟାର ସମାଧାନ କରୁଅଛି ଏବଂ ରାଜ୍ୟର ସାମାଜିକ- ଅର୍ଥନୈତିକ ଉନ୍ନତିରେ ସାହାଯ୍ୟ କରିଆସୁଅଛି । ଏହା ରାଜ୍ୟର ମୋଟ ଶ୍ରମଶକ୍ତିର ୪୫.୮% ନିଯୁକ୍ତି ପ୍ରଦାନ କରିଥାଏ, ଯାହାକି ମୋଟ ରାଜ୍ୟ ସଂଯୁକ୍ତ ମୂଲ୍ୟ (ଜି. ଏସ୍.ଭି.ଏ)ର ୨୨.୫% ଅଟେ ।
ଓଡିଶା ରାଜ୍ୟର ଅନ୍ୟାନ୍ୟ ଜିଲ୍ୱା ବ୍ୟତୀତ ଅବିଭକ୍ତ କଟକ, ଢ଼େଙ୍କାନାଳ, ବାଲେଶ୍ୱର ଓ ସମ୍ବଲପୁରରେ ମୁଖ୍ୟତଃ କୃଷିଯୋଗ୍ୟ ଜମି ଅଧିକ ଅଛି । ରାଜ୍ୟର ମୋଟ ଭୌଗୋଳିକ ଜମି ୧୫୫.୭୧ ଲକ୍ଷ ହେକ୍ଟର ମଧ୍ୟରୁ ୬୪.୦୯ ଲକ୍ଷ ହେକ୍ଟର ଚାଷୋପୋଯୋଗୀ ଅଟେ, ଯାହାକି ପ୍ରାୟ ୪୧.୧୬% ଅଟେ । ଧାନ ଓ ଗହମ ରାଜ୍ୟର ମୁଖ୍ୟ ଫସଲ ହେଲେ ମଧ୍ୟ ଡାଲି ଜାତୀୟ ଯଥା ହରଡ, ମୁଗ, କୋଳଥ, ବିରି, ବୁଟ ଓ ମଟର, ତୈଳବୀଜ ଯଥା ଶୋରିଷ, ବାଦାମ, ରାଶି ଓ ସୋୟାବିନ ଏବଂ ମକା, ବାଜରା, ମାଣ୍ଡିଆ ଓ ଛୁଇଁ ଜାତୀୟ ଫସଲ ଇତ୍ୟାଦି ଚାଷ କରାଯାଇଥାଏ । ଏତଦ୍ ବ୍ୟତୀତ ଝୋଟ, ପନିପରିବା, ଛତୁ, ଔଷଧୀୟ ବୃକ୍ଷ, ମହୁମାଛି ପାଳନ ଓ ମହୁ ଉତ୍ପାଦନ, ଗୃହପାଳିତ ପ୍ରାଣୀ ଓ କୁକୁଡା ପାଳନ, କପା,ଫଳ ଏବଂ ମସଲାଜାତୀୟ ବୃକ୍ଷର ମଧ୍ୟ ମଚାଷ ହୋଇଥାଏ ।
ହିସାବରୁ ଜଣାଯାଏ ଯେ ଜଣେ ଚାଷୀ ହାରାହାରୀ ଏକର ପିଛା ୧୫,୦୦୦ରୁ ୨୦,୦୦୦ଟଙ୍କା ଖର୍ଚ୍ଚ କରି ଚାରି-ପାଞ୍ଚ ମାସ ପରେ ଏକର ପିଛା ୨୫,୦୦୦ଟଙ୍କା ଲାଭ ପାଇଥାଏ । ପୁଣି ଜଣେ ଚାଷୀର ହାରାହାରି ମାସିକ ଜାତୀୟ ଆୟ କୃଷିରୁ ୫୨୯୮ଟଙ୍କା ହେଉଥିବା ବେଳେ ହାରାହାରି ମୋଟ ମାସିକ ଆୟ୧୦,୬୯୫ଟଙ୍କା ଅଟେ । ପ୍ରକାଶ ଥାଉକି ଜଣେ ଚାଷୀର ଦେଶରେ ହାରାହାରି ଆୟ ଚାଷର ବିଭିନ୍ନ ଉପାଦାନ ଉପରେ ନିର୍ଭର କରିଥାଏ । ତେବେ ଓଡିଶାରେ ଜଣେ କୃଷକର ମାସିକ ହାରାହାରି ଆୟ ଦେଶରେ ଝାଡଖଣ୍ଡ ରାଜ୍ୟ ପରେ ଦ୍ୱିତୀୟ ଅଟେ । ପଞ୍ଜାବ ରାଜ୍ୟର ସର୍ବାଧିକ ୨୬,୭୦୧ ଟଙ୍କା, ରାଜସ୍ଥାନର ୧୨,୫୨୦ ଟଙ୍କା, ସିକିମର ୧୨,୪୪୭ ଟଙ୍କା ଥିଲାବେଳେ ଓଡିଶାର ମାତ୍ର ୫,୧୧୨ ଟଙ୍କା ଅଟେ । ଓଡିଶା ଗ୍ରାମାଞ୍ଚଳରେ ଜଣେ କୃଷକର ଆୟ ଦେଶର ସର୍ବନିମ୍ନ ଅଟେ । ଆସାମ ରାଜ୍ୟ କୃଷକର ବାର୍ଷିକ ହାରାହାରି ଆୟ ୭ ଲକ୍ଷ, ଝାଡଖଣ୍ଡ ୮.୬ ଲକ୍ଷ, ଛତିଶଗଡ ୮.୯ ଲକ୍ଷ,ପଶ୍ଚିମ ବଙ୍ଗ ୭.୮୯ ଲକ୍ଷ ଥିଲାବେଳେ ଓଡିଶା ରାଜ୍ୟ କୃଷକର ମାତ୍ର ୫.୩୨ ଲକ୍ଷ ଟଙ୍କା ଅଟେ । ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥା (ଏନ୍.ଏସ୍.ଏସ୍.ଓ)-୨୦୧୯ ଅନୁସାରେ ଓଡିଶାରେ ପ୍ରତି କ଼ଷକ ପରିବାରର ହାରାହାରି ସମ୍ପତ୍ତିର ମୂଲ୍ୟ ୬.୨୧ ଲକ୍ଷ ଟଙ୍କା ଅଟେ ।
ଓଡିଶା ସରକାର ୨୦୧୨-୧୩ ଆର୍ôଥକ ବର୍ଷରୁ ସ୍ୱତନ୍ତ୍ର ଭାବରେ କୃଷି ବଜେଟ୍ ଆଣୁଛନ୍ତି । ନୂତନ ସରକାର ଆର୍ôଥକ ବର୍ଷ ୨୦୨୪-୨୫ରେ ଆଗତ ବଜେଟରେ ମୋଟ ୨.୬୫ ଲକ୍ଷ କୋଟି ଟଙ୍କା ମଧ୍ୟରୁ ୩୩,୯୧୯ କୋଟି କୃଷି ପାଇଁ ଉଦ୍ଦିଷ୍ଟ, ଯାହାକି ପୂର୍ବ ୨୦୨୩-୨୪ ବର୍ଷ ତୁଳନାରେ ୩୬% ଅଧିକ ଅଟେ । ଆର୍ôଥକ ବର୍ଷ ୨୦୧୯ ଠାରୁ ୯୦୦୦ କୋଟି ନଗଦ ଟଙ୍କା କାଳିଆ ଯୋଜନା ନାମରେ ଚାଷୀଙ୍କୁ ଦେଇ ସୁଦ୍ଧା କିଛି ସମସ୍ୟାର ସମାଧାନ ହେଉନାହିଁ । ବର୍ତ୍ତମାନର ସରକାର ଏହାର ନାମ ପରିବର୍ତ୍ତନ କରି ସି.ଏମ୍.କିଷାନ ଯୋଜନା କରିଛନ୍ତି । କୃଷକର ଜୀବନ ବଞ୍ଚିବାର ମାନରେ ଉନ୍ନତି ଆଣିବା ଓ ସେମାନଙ୍କର ନିରାପତ୍ତାକୁ ନିଶ୍ଚିତ କରିବା ପାଇଁ ବଜେଟରେ ବ୍ୟବସ୍ଥା ଘୋଷଣା କରାଯାଇଛି । ଧାନର ସର୍ବନିମ୍ନ ବିକ୍ରୟ ମୂଲ୍ୟ (ଏମ୍.ଏସ.ପି.) ୩୧୦୦ ଟଙ୍କାକୁ ବୃଦ୍ଧି କରାଯାଇଅଛି । ମାତ୍ର ଦୈନିକ ମଜୁରୀ, ଅଣକୁଶଳୀ ୪୫୦, ଅର୍ଦ୍ଧକୁଶଳୀ ୫୦୦, କୁଶଳୀ ୫୫୦ ଓ ଅତି କୁଶଳୀ ୬୦୦ଟଙ୍କାକୁ ବୃଦ୍ଧି ହେବା ଦ୍ୱାରା କୃଷିକ୍ଷେତ୍ରକୁ ପ୍ରଭାବିତ କରିବ । ଧାନ ରାଜ୍ୟର ଏକ ମୁଖ୍ୟ ଫସଲ । ଦେଶ ସ୍ୱାଧୀନତା ପାଇଲାବେଳେ ଭାରତର ମୋଟ ଧାନ ଉତ୍ପାଦନର ୧୧% ଭାଗ ଓଡିଶାର ଥିଲାବେଳେ ଏବେ ୭% ରେ ପହଞ୍ଚିଲାଣି । ଅର୍ଥାତ୍ ଉତ୍ପାଦନ ହାର କମି ଯାଉଛି ।
ସେହିଭଳି ଡାଲି, ଆଖୁ ଓ ତୈଳବୀଜର ଉତ୍ପାଦନ ୧୦ବର୍ଷ ପୂର୍ବ ଅପେକ୍ଷା କମିଯାଉଛି । ଆଳୁ, ପିଆଜ, ବିଲାତି ବାଇଗଣ ଓ ବାଇଗଣ ପରିବା ଇତ୍ୟାଦି ମୁଖ୍ୟ ଖାଦ୍ୟ ହୋଇଥିବାବେଳେ, ରାଜ୍ୟରେ ଏହାର ଉତ୍ପାଦନ ନିଜସ୍ୱ ଆବଶ୍ୟକତାକୁ ମେଣ୍ଟାଇବାରେ ଅକ୍ଷମ । ଏଥିପାଇଁ ଆଳୁ ମିଶନ ହେଲା ଓ ପିଆଜ ପାଇଁ ଯୋଜନା ମଧ୍ୟ ହେଲା । ମାତ୍ର ଫଳ ମିଳିଲାନାହିଁ । ଆର୍ôଥକ ବର୍ଷ ୨୦୨୦- ୨୧ରେ ଆଳୁ ଓ ପିଆଜର ଉତ୍ପାଦନ ଯଥାକ୍ରମେ ୨.୯୬ ଓ ୩.୫୦ ଲକ୍ଷ ଟନ୍ ଥିଲାବେଳେ ୨୦୨୩-୨୪ବର୍ଷରେ ୨ ଓ ୨.୫୦ ଲକ୍ଷ ଟନ୍କୁ ଖସି ଆସିଛି । ରାଜ୍ୟରେ ଅ ାଳୁର ବାର୍ଷିକ ଚାହିଦା ୧୩ଲକ୍ଷ ଟନ୍ ଥିଲାବେଳେ, ନିଜସ୍ୱ ଉତ୍ପାଦନ ୨୦ ର । ୨୫% ହେଉଥିବାରୁ ଅଭାବ ମେଣ୍ଟାଇବା ପାଇଁ ସର୍ବଧିକ ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ରାଜ୍ୟ ଉପରେ ନିର୍ଭ କରିବାକ ପଡୁଛି । ଆର୍ôଥକ ବର୍ଷ ୨୦୧୩-୧୪ରେ ଯେତେବେଳେ ରାଜ୍ୟରେ ପ୍ରଥମ କୃଷି ବଜେଟ୍ ଆଗତ ହେଲା ତତ୍କାଳୀନ ଅର୍ଥମନ୍ତ୍ରୀ କୃଷି ଉତ୍ପାଦନ ବୃଦ୍ଧି ଓ ଭିତ୍ତିଭୂମି ସ୍ଥାପନ କଥାକୁ ଗୁରୁତ୍ୱ ଦେଉଥିଲେ । ଏବେ ମଧ୍ୟ ୨୦୨୪-୨୫ ବର୍ଷରେ ୧୧ବର୍ଷ ପରେ ସରକାର ସେଇକଥାକୁ ଦୋହରାଉଛନ୍ତି ।
ଏହାର ଅର୍ଥ ହେଲା ଯେ ଯୋଜନାମାନ ପ୍ରସ୍ତୁତି ହେଉଛି ସତ, ମାତ୍ର କାର୍ଯ୍ୟକାରୀ ହୋଇ ସଠିକ୍ ଭାବରେ ଚାଷୀଙ୍କ ପାଖରେ ପହଞ୍ଚି ପାରୁନାହିଁ । ଆଳୁ ଓ ଅନ୍ୟାନ୍ୟ ପରିବା ମହଜୁଦ୍ ରଖିବା ପାଇଁ ନା ନୂତନ ଭାବରେ ଶୀତଳ ଭଣ୍ଡାର ଖୋଲାଯାଉଛି ନା ପୁରୁଣାଗୁଡିକୁ ମରାମତି କରାଯାଉଛି । ଏହା ଏକ ସାଧାରଣ କଥା ଯେ ଖଣ୍ଡିଏ ଜମିରେ ଏକାଧିକବାର ଫସଲ ଚାଷ ସହ ଜଳସେଚନ ଓ ଅନ୍ୟାନ୍ୟ ଭିତ୍ତିଭୂମି ସ୍ଥାପନ ହେଲେ, ଫସଲର ପରିମାଣ ବୃଦ୍ଧିସହ ଚାଷୀର ଦୁଇପଇସା ରୋଜଗାର ମଧ୍ୟ ହେବ ।
ଫସଲର ସାନ୍ଧ୍ରତା ୨୦୨୩-୧୪ ବର୍ଷରେ ୧୬୭% ଥିଲାବେଳେ ୨୦୨୦-୨୧ ବର୍ଷରେ ୧୫୮% ଅଛି । ଅର୍ଥାତ୍ ଜଳସେଚନ ଓ ଚାଷଜମିର ପରିମାଣ ହ୍ରାସ ହେଉଛି । ଶିଳ୍ପ ଓ ଖଣି ସମୃଦ୍ଧ ଜିଲ୍ଲା ଯଥା-ଅନୁଗୁଳ, ଢ଼େଙ୍କାନାଳ, କେଉଁଝର ଓ ସୁନ୍ଦରଗଡ ଇତ୍ୟାଦିରେ ଚାଷଜମି ଶିଳ୍ପ ଦ୍ୱାରା ଅଧିଗ୍ରହଣ ହେବା ଏବଂ ବାସଚ୍ୟୁତ ଯୋଗୁଁ ଉଭୟ କୃଷି ଓ କୃଷକ କ୍ଷତିଗ୍ରସ୍ତ ହେଉଛନ୍ତି । ଶିଳ୍ପଗୁଡିକ ଚାଷଜମିକୁ ଶିଳ୍ପପାଇଁ ଅଧିଗ୍ରହଣ କରିବାପରେ ଅବଶିଷ୍ଟ ଯେଉଁ ଜମି ରହିଲା ତାହା ମଧ୍ୟ ଚାଷ ହୋଇପାରୁନାହିଁ । ମୁଖ୍ୟତଃ ଶ୍ରମିକର ଅଭାବ, ପ୍ରଦୂଷଣ ଓ ଶ୍ରମମୂଲ୍ୟକୁ ଚାଷୀ ନ ଦେଇପାରିବା ଦ୍ୱାରା ଚାଷଜମିସବୁ ବୁଦାଜଙ୍ଗଲରେ ପରିଣତ ହେଲାଣି । ଏହିସବୁ ଜମିକୁ ପୁନଃ ଚାଷୋପୋଯୋଗୀ କରିବା ଅପେକ୍ଷା ଖର୍ଚ୍ଚ ଦୃଷ୍ଟିରୁ ପଡ଼ିଆ ରଖିବା ଉଚିତ୍ ମନେ କରାଯାଉଛି ।
ଓଡିଶା ରାଜ୍ୟର ଅଧିକାଂଶ ପରିବାର କୃଷକ ହୋଇଥିବାରୁ, ସେମାନଙ୍କର ମୁଖ୍ୟ ଜୀବୀକା ଓ ଆୟ କୃଷି ଅଟେ । ତେଣୁ ସବୁ ସମୟରେ ପ୍ରତ୍ୟେକ ସରକାରଙ୍କର ପ୍ରଥମ କର୍ତ୍ତବ୍ୟ ହେଲା କୃଷକମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକୁ ସମାଧାନ କରିବା ଓ ସଠିକ୍ ସମୟରେ ସାର, ବିହନ, ଔଷଧ, କୀଟନାଶକ, କୃଷି ଯନ୍ତ୍ରପାତି, ଜଳସେଚନ ଏବଂ ଆବଶ୍ୟକୀୟ ଜ୍ଞାନକୌଶଳ ଯୋଗାଇଦେବା । ମାତ୍ର ଦେଖାଯାଉଛି କୃଷକମାନେ ନିଜସ୍ୱ ଉଦ୍ୟମରେ କୃଷିକର୍ମ କରୁଥିବାବେଳେ, ସରକାର କେବଳ କାଗଜ-କଲମ ବା ପ୍ରତିଶ୍ରୁତି ଦେଇ ସମୟ ଗଡାଇ ଚାଲିଛନ୍ତି । ଫଳରେ ଚାଷୀଟିଏ ସର୍ବଧିକ କ୍ଷତି ସହୁଛି । କେବଳ ଅର୍ଥ ହିସାବ ଓ ବ୍ୟୟବରାଦ କରି ବାସ୍ତବତାକୁ ପ୍ରାଧାନ୍ୟ ନନେଲେ ହିତାଧିକାରୀ ଉପକୃତ ହେବେନାହିଁ । ତେଣୁ ପ୍ରତ୍ୟେକ ବର୍ଷ କୃଷି ପାଇଁ ବଜେଟ୍ରେ ହେଉଥିବା ବ୍ୟୟବରାଦକୁ ସୁବିନିଯୋଗ କରିବା, ସୁପରିଚାଳନା ସହିତ କ୍ଷେତ୍ର ବିନିଯୋଗର ନିୟମିତ ତର୍ଜ୍ଜମାର ଆବଶ୍ୟକତା ରହିଛି ।
ବିଗତ ୧୨ବର୍ଷ ହେବ ରାଜ୍ୟରେ ସ୍ୱତନ୍ତ୍ର କୃଷିକ୍ଷେତ୍ର ପାଇଁ ବହୁ କୋଟି ଟଙ୍କାର ବଜେଟ୍ ଆଗତ ହେଉଥିବାବେଳେ କୃଷିର ସମ୍ଭାବ୍ୟ ଉନ୍ନତି କାହିଁକି ପରିଲକ୍ଷିତ ହେଉନାହିଁ, ଚିନ୍ତାର ବିଷୟ ଅଟେ । କେବଳ କୃଷିକୁ ପାଥେୟ କରି ନିଜର ପରିବାର ପୋଷଣ କରିବା ପାଇଁ ଚାଷୀଟିଏ ନିଜ ଉପରେ ଭରସା ରଖିପାରୁନାହିଁ । ଅନ୍ୟ ରାଜ୍ୟ ପଞ୍ଜାବ, ହରିଆନା, ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶ ଇତ୍ୟାଦି କୃଷିରେ ଆତ୍ମନିର୍ଭର ହୋଇପାରୁଥିବାବେଳେ ଆମ ରାଜ୍ୟର କୃଷକ କାହିଁକି ନୁହେଁ? ଜଳବାୟୁ ପରିବର୍ତ୍ତନ, ବୃଷ୍ଟିହୀନ ବା ବହୁଳ ଓ ପ୍ରାକୃତିକ ବିପର୍ଯ୍ୟୟ ଇତ୍ୟାଦି କୃଷକର ମୁଖ୍ୟ ସମସ୍ୟା ଥିଲାବେଳେ ବଜାରଦର ନିର୍ଦ୍ଧାରଣ, ଶସ୍ୟଗଚ୍ଛିତ ପାଇଁ ଗୋଦାମ ଘର ଓ ଶୀତଳଭଣ୍ଡାରର ଆବଶ୍ୟକତା ନିହାତି ଆମଶ୍ୟକ । ରୋଗ, ପୋକ, ମରୁଡି ଓ ଅନାବୃଷ୍ଟି କାରଣଗୁଡିକ ଚାଷୀଙ୍କ ଉପରେ ଦାଉ ସାଧୁଛି । ଋଣ ଓ ପରିଶ୍ରମ କରି ଟିକିଏ ଅଣ୍ଟା ସଳଖିବାବେଳେ ଅଭାବି ବିକ୍ରି ଯଥେଷ୍ଟ କ୍ଷତି ପହଞ୍ଚାଉଛି ।
ଗଣତନ୍ତ୍ର ପଦ୍ଧତିରେ ରାଜନୈତିକ ଦଳମାନେ ନିର୍ବାଚନ ଜିତି ସରକାର ଗଢ଼ିବା ଏକ ନିରନ୍ତର ପ୍ରକ୍ରିୟା ଅଟେ । ଦେଶ ସ୍ୱାଧୀନ ହେବାର ୭୬ବର୍ଷ ପରେ, ଅନେକ ପଦକ୍ଷେପ ନେଲାପରେ ମଧ୍ୟ କୃଷି ଓ କୃଷକ ଦୁର୍ଦ୍ଦଶାମୁକ୍ତ ନୁହେଁ । ସ୍ୱତଃ ମନରେ ପ୍ରଶ୍ନଉଠେ ଯଦି ଚାକିରୀ, ବ୍ୟବସାୟ, ବୃତ୍ତି ବା ରାଜନୀତି କରୁଥିବା ବ୍ୟକ୍ତି ସୁଖ-ସ୍ୱାଚ୍ଛନ୍ଦ୍ୟରେ ଜୀବନ ଅତିବାହିତ କରିପାରୁଛନ୍ତି ତେବେ କୃଷକ କାହିଁକି ନୁହେଁ? ସେମାନଙ୍କର ମାସିକ କିମ୍ବା ବାର୍ଷିକ ଆୟ ଓ ଭବିଷ୍ୟତକୁ ନିଶ୍ଚିତ କରିବା ପାଇଁ ସରକାରୀ ସ୍ତରରେ ଯୋଗାଇ ଦିଆଯାଉଥିବା ସୁବିଧା ଓ ପ୍ରେମାତ୍ସାହନ ରାଶିକୁ ଭୋଟ୍ ଦୃଷ୍ଟିକୋଣରୁ ବିଚାର ନ କରି, ସର୍ବୋପରି ସେମାନଙ୍କର ସ୍ୱାର୍ଥକୁ ଦେଖି ଦୀର୍ଘମିଆଦୀ ବା ସ୍ଥିର ବ୍ୟବସ୍ଥା ମାନ ପ୍ରଚଳନ କରିବା ଉଚିତ୍ ।
କୃଷକମାନେ କୃଷିରେ ଆତ୍ମସପ୍ପୋଷ ଓ ସମ୍ମାନ ପାଇଲେ ଅନ୍ୟମାନଙ୍କୁ ପ୍ରେରଣା ତଥା କର୍ମ ଯୋଗାଇ ବେକାର ସମସ୍ୟାର ସମାଧାନ ମଧ୍ୟ କରିପାରିବେ । ସରକାର କେବଳ ଶିଳ୍ପ ପଛରେ ନ ଗୋଡାଇ କୃଷି ବିକାଶ ପାଇଁ ଦୃଢ଼ ସଂକଳ୍ପ ନେବା ଆବଶ୍ୟକ ଏବଂ ବାସ୍ତବ ପଦକ୍ଷେପ ଏଭଳି ହେବା ଦରକାର, ଯେଉଁଭଳି ରାଜ୍ୟର ଉଚ୍ଚଶିକ୍ଷିତ ଯୁବଗୋଷ୍ଠୀ ଚାକିରୀ ପଛରେ ନ ଗୋଡାଇ କୃଷିକୁ ନିଜର ରୋଜଗାରର ମାଧ୍ୟମ ହିସାବରେ ଗ୍ରହଣ କରିବେ । ସେମାନେ କୃଷିକୁ ୨ୟ ପସନ୍ଦ ଭାବେ ନଭାବି ଚାକିରି କିମ୍ବା ବ୍ୟବସାୟ ଭଳି ସମାନ ଆୟ, ମର୍ଯ୍ୟାଦା ଓ ଆର୍ôଥକ ବୈଷମ୍ୟ ଶିକାର ନ ହୋଇ ନିଜେ ଆତ୍ମନିର୍ଭରଶୀଳ ହୋଇ ଅନ୍ୟମାନଙ୍କୁ ରୋଜଗାର ପ୍ରଦାନ କରିପାରିଲେ ରାଜ୍ୟ ଅର୍ଥନୀତି ସ୍ୱାବଲମ୍ବୀ ହେଲା ବୋଲି ପ୍ରମାଣିତ ହେବ ।